ରାନୁ ମଣ୍ଡଳଙ୍କୁ ମିଳିଲା ନୂଆ ପ୍ରୋଜେକ୍ଟ, ଏବେ ରାମାୟଣର ‘ସୀତା’ ଦୀପିକାଙ୍କ ଫିଲ୍ମରେ ଗାଇବେ ଗୀତ

ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାତାରାତି ଷ୍ଟାର ପାଲଟିଥିବା ରାନୁ ମଣ୍ଡଳ ଏବେ ପୁଣି ଚର୍ଚ୍ଚାରେ। ରାନୁ ଏବେ ରାମାୟଣର ସୀତା ଦୀପିକା ଚିଖଲିୟାଙ୍କ ଫିଲ୍ମରେ ଗୀତ ଗାଇବେ। ଏନେଇ ଦୀପିକା ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଦୀପିକାଙ୍କ ଫିଲ୍ମ ସରୋଜିନୀରେ ଗୀତ ଗାଇବେ ରାନୁ ମଣ୍ଡଳ। ଏହା ସ୍ୱାଧୀନତା ସଂଗ୍ରାମୀ ସରୋଜିନୀଙ୍କ ବାୟୋପିକ୍‌ ବୋଲି ଜଣାଯାଇଛି।

ଦୀପିକା ସୋସିଆଲ ମିଡିଆରେ ଭିଡିଓ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି ‘ମୋ ଫିଲ୍ମ ସରୋଜିନୀ… ଧୀରଜ ମିଶ୍ରଙ୍କ ଲିଖିତ ଗୀତକୁ ରାନୁ ମଣ୍ଡଳ ଗାଉଛନ୍ତି’। ଭିଡିଓରେ ରାନୁ ମଣ୍ଡଳ ମଧ୍ୟ ଏହା କହୁଥିବା ଦେଖାଯାଇଛି। ଶେଷରେ ସେ କହୁଛନ୍ତି ‘ମୁଁ ଆଶା କରୁଛି ସେହି ଭଲ ପାଇବା ଓ ସମ୍ମାନ ମୋତେ ମିଳିବ ଯାହା ଲୋକମାନେ ମୋତେ ଦେଇ ଆସୁଛନ୍ତି’।


ପ୍ରକାଶ ଯେ ରାନୁ ମଣ୍ଡଳ ରେଳ ଷ୍ଟେସନ୍‌ରେ ଗୀତ ଗାଇ ଟଙ୍କା ରୋଜଗାର କରୁଥିଲେ। ତାଙ୍କର ଏକ ଗୀତ ଗାଉଥିବା ଭିଡିଓକୁ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ସେ ଭିଡିଓରେ ଲତା ମଙ୍ଗେସକରଙ୍କ ଏକ ପ୍ୟାର କା ନଗମା ହୈ ଗୀତ ଗାଉଥିଲେ। ତା’ପରେ ତାଙ୍କୁ ସମସ୍ତେ ଚିହ୍ନିବାକୁ ଲାଗିଲେ ଓ ହିମେଶ ରେଶମିଆଁ ତାଙ୍କୁ ବଲିଉଡ୍‌ରେ ବିଗ୍‌ ବ୍ରେକ୍‌ ଦେଇଥିଲେ।