ପାଟଣାଗଡ଼ରେ ପରିବାରର ୬ ଜଣଙ୍କୁ ହତ୍ୟା ଘଟଣାରେ ପୋଲିସର ତନାଘନା: କିଏ ଓ କାହିଁକି ହତ୍ୟା କଲା? ଚାଲିଛି କାରଣ ଖୋଜା

ପାଟଣାଗଡ଼: ପାଟଣାଗଡ଼ରେ ବନ୍ଦ ଘରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତଦେହ ଉଦ୍ଧାର ଘଟଣାରେ ପୋଲିସ ଚଳାଇଛି ତନାଘନା । ଗତକାଲି ବନ୍ଦ ଘରୁ ବାପା, ମାଆ ଓ ଚାରି ପିଲାଙ୍କର ମର ଶରୀର ଉଦ୍ଧାର ହୋଇଥିଲା । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ କୁସୁମପଡ଼ାରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଥିଲା । କମ୍ବଳ ଘୋଡ଼ା ଯାଇଥିବା ଅବସ୍ଥାରେ ସମସ୍ତ ମୃତଦେହ ଉଦ୍ଧାର କରାଯାଇଥିଲା । ଏନେଇ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ ।

ମୃତଦେହ ନିକଟରୁ ଜବତ ହୋଇଛି ମାରଣାସ୍ତ୍ର । ସେମାନଙ୍କ ଦେହରେ ରହିଛି କ୍ଷତ ଚିହ୍ନ । ପୋଲିସ, ସାଇଣ୍ଟିଫିକ ଟିମ୍‌ ତଦନ୍ତ ଜାରି ରଖିଛନ୍ତି । ତଦନ୍ତ ପାଇଁ ସ୍ୱତନ୍ତ୍ର ପୋଲିସ ଟିମ୍‌ ଗଠନ କରିଛି ବଲାଙ୍ଗିର ପୋଲିସ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସେମାନଙ୍କୁ ହତ୍ୟା କରାଯାଇଛି ନା ଆତ୍ମହତ୍ୟା ଖୋଳତାଡ କରୁଛି ପୋଲିସ ।

ପାରିପାର୍ଶ୍ୱିକ ସ୍ଥିତି ଜଣାପଡୁଛି ଏହା ଜଘନ୍ୟ ହତ୍ୟାକାଣ୍ଡ । କିଏ ସେମାନଙ୍କୁ ହତ୍ୟା କଲା ? ଏମିତି ନୃଶଂସ ଭାବରେ ମାରିଲା କାହିଁକି ? ୬ ଜଣଙ୍କୁ ହତ୍ୟା କରି କେହି ମୃତଦେହକୁ ଘର ଭିତରେ ବନ୍ଦ କରି ନାହିଁ ତ ? ଏସବୁ ପ୍ରଶ୍ନକୁ ନେଇ ତଦନ୍ତ ଚଳାଇଛି ପୋଲିସ । ବଲାଙ୍ଗିର ଏସ୍‌ପି ପାଟଣାଗଡ଼ରେ କ୍ୟାମ୍ପ କରି ନିଜେ ରହିବେ ବୋଲି କହିଛନ୍ତି । ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ଟିମ୍‌ ଘଟଣାର ତନ୍ନ ତନ୍ନ ଯାଞ୍ଚ କରୁଛି । ମୃତକଙ୍କ ଅନ୍ୟ ୩ ପୁଅ ଭୁବନେଶ୍ୱରରେ ରହୁଛି। ଆଜି ସେମାନେ ପହଞ୍ଚିବା ପରେ ମୃତଦେହ ବ୍ୟବଛେଦ କରାଯାଇ ହସ୍ତାନ୍ତର କରିବ ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.