‘ଜୟ ଭୀମ୍‌’ ଯୋଗୁ ଆଇନ୍‌ ଜାଲରେ ଫସିଲେ ସାଉଥ୍‌ ଷ୍ଟାର ସୂର୍ଯ୍ୟା ସିଂହମ୍ ଓ ଫିଲ୍ମ ନିର୍ଦ୍ଦେଶକ, ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀ ଏବେ ନିଜ ଫିଲ୍ମକୁ ନେଇ ସାରା ଦେଶରେ ଚର୍ଚ୍ଚାରେ ରହିଛି। ପୁଷ୍ପା, ଆର୍‌ଆର୍‌ଆର୍‌ ଓ କେଜିଏଫ୍‌ ୨ର ଅଭୁତପୂର୍ବ ସଫଳତା ପରେ ବଲିଉଡ୍‌ ଠାରୁ ବି ଅଧିକ ସଫଳତା ସାଉଁଟିଛି ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀ। କିନ୍ତୁ ଅନ୍ୟପଟେ ସାଉଥ୍‌ର ଅନେକ କଳାକାର ଆଇନ୍‌ ଫାଶରେ ଫସୁଥିବାର ଦେଖାଯାଇଛି। ନିକଟରେ ମାଲାୟାଲମ୍‌ ଫିଲ୍ମ ନିର୍ମାତା ସତଲ କୁମାର ଶଶିଧରନ୍‌ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଏବେ ଆଉ ଜଣେ ସାଉଥ୍‌ ଅଭିନେତାଙ୍କ ସହ ଜଡ଼ିତ ବଡ଼ ଖବର ସାମ୍ନାକୁ ଆସିଛି। ସୈଦାପେଟ କୋର୍ଟ ଚେନ୍ନାଇ ପୋଲିସକୁ ଅଭିନେତା ସୂର୍ଯ୍ୟା, ତାଙ୍କ ପତ୍ନୀ ଜ୍ୟୋତିକା ଓ ଜୟ ଭୀମ ଫିଲ୍ମର ନିର୍ଦ୍ଦେଶକ ଟିଜେ ଜ୍ଞାନବେଲଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରିପୋର୍ଟ ମୁତାବକ, ରୁଦ୍ର ବନ୍ନିୟାର ସେନା ନାମକ ଏକ ବନ୍ନିୟାର ସମୂହ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ଏହି ଜାତି ପକ୍ଷରୁ ଏକ ପିଟିସନ୍‌ରେ କୁହାଯାଇଛି ଯେ ଫିଲ୍ମ ଜୟ ଭୀମ୍‌ରେ କେତେକ ଦୃଶ୍ୟ ବନ୍ନିୟାର ସମ୍ପ୍ରଦାୟର ଛବିକୁ ଖରାପ କରିଛି। ଏହି ସମ୍ପ୍ରଦାୟ ଫିଲ୍ମ ରିଲିଜ୍‌ ବେଳେ ମଧ୍ୟ ଜୟ ଭୀମ୍‌ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଥିଲା। ଏଥିସହ କହିଥିଲା ଯେ ଫିଲ୍ମରୁ ସମସ୍ତ ଆପତ୍ତିଜନକ ଦୃଶ୍ୟକୁ ହଟାଯାଉ। ସେମାନେ ଫିଲ୍ମ ଜୟ ଭୀମ୍‌ ଟିମ୍‌ଠାରୁ ଜରିମାନା ସ୍ୱରୂପ ୫ କୋଟି ଟଙ୍କା ଓ ବିନା ସର୍ତ୍ତରେ କ୍ଷମା ଯାଚନା ମଧ୍ୟ ଦାବି କରିଥିଲେ।

ପ୍ରକାଶ ଯେ ସାଉଥ୍‌ ଷ୍ଟାର ସୂର୍ଯ୍ୟାଙ୍କ ଫିଲ୍ମ ଜୟ ଭୀମ୍‌ ନଭେମ୍ବର ୨ ତାରିଖରେ ଆମାଜନ ପ୍ରାଇମ୍‌ ଭିଡିଓରେ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମକୁ ଦର୍ଶକଙ୍କ ପକ୍ଷରୁ ବେଶ୍‌ ପ୍ରତିକ୍ରିୟା ମିଳିଥିଲା। କେବଳ ଏତିକି ନୁହେଁ, ଏହି ଫିଲ୍ମକୁ ଓସ୍କାର ପାଇଁ ମଧ୍ୟ ଚୟନ କରାଯାଇଥିଲା। ଏହି ଫିଲ୍ମରେ ଇରୁଲର ସମ୍ପ୍ରଦାୟର ସଦସ୍ୟଙ୍କୁ ପୋଲିସ ହେପାଜତରେ ନେବା ପରେ କେଉଁ ଭଳି ଭାବେ ନିର୍ଯାତନା ଦେଇଥିଲା, ତାହା ଦର୍ଶାଯାଇଛି। ରିଲିଜ୍‌ ପୂର୍ବରୁ ହିଁ ଏହି ଫିଲ୍ମ ବେଶ୍‌ ବିବାଦରେ ଥିଲା।

ପ୍ରଥମେ ହିନ୍ଦୀ ଭାଷାର ଲୋକ ଫିଲ୍ମର ଏକ ସିନ୍‌ ପାଇଁ ଅସନ୍ତୁଷ୍ଟ ହୋଇଥିଲେ। ଫିଲ୍ମର ଏକ ସିନ୍‌ରେ ପ୍ରକାଶ ରାଜ୍‌ ହିନ୍ଦୀ ଭାଷାରେ କଥା ହେଉଥିବାରୁ ଜଣେ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିଥିଲେ। ଏହା ପରେ ଏହି ସିନ୍‌କୁ ନେଇ ବେଶ୍‌ ହଙ୍ଗାମା ହୋଇଥିଲା। ସେହିପରି ବନ୍ନିୟାର ସମ୍ପ୍ରଦାୟର ସଦସ୍ୟ ଦାବି କରିଥିଲେ ଯେ ଫିଲ୍ମ ଯୋଗୁ ତାଙ୍କ ପ୍ରତିଛବି ଖରାପ ହୋଇଛି। ଏଣୁ ସୂର୍ଯ୍ୟା, ଜ୍ୟୋତିକା, ନିର୍ଦ୍ଦେଶକ ଟିଜେ ଜ୍ଞାନବେଲ ଓ ଆମାଜନ ପ୍ରାଇମ୍‌ ଭିଡିଓକୁ କୋର୍ଟ ନୋଟିସ୍‌ ପଠାଯାଇଛି।

Also Read: Asian Games 2022 : ଏସିଆନ୍‌ ଗେମ୍‌ସ ସ୍ଥଗିତ, ଚୀନ୍‌ ମିଡିଆ ଦେଲା ସୂଚନା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.