କମୁନି ସାମନ୍ଥାଙ୍କ ରାଗ, କୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି ନେଲେ ଏଭଳି ପଦକ୍ଷେପ

ପ୍ରବଳ ରାଗି ଯାଇଛନ୍ତି ସାଉଥ୍‌ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ। ନିକଟରେ ସାମନ୍ଥା କେତେକ ୟୁଟ୍ୟୁବ୍‌ ଚ୍ୟନେଲ ସହ ଜଣେ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ। ଉକ୍ତ ଚ୍ୟାନେଲ ସାମନ୍ଥାଙ୍କ ଭାବମୂର୍ତ୍ତିକୁ ଖରାପ କରୁଥିବା ନେଇ ଅଭିନେତ୍ରୀ ଜଣକ ଅଭିଯୋଗ କରିବା ସହ ସେମାନଙ୍କ ବିରୋଧରେ ମାନହାନି ମକଦ୍ଦମା ରୁଜୁ କରିଥିଲେ। କିନ୍ତୁ କୁକଟପଲ୍ଲୀ କୋର୍ଟ ସାମନ୍ଥାଙ୍କ ଏହି ଅଭିଯୋଗକୁ ଖାରଜ କରିଦେଇଛନ୍ତି। ଫଳରେ ରାଗିଯାଇଛନ୍ତି ସାମନ୍ଥା।

ସାମନ୍ଥା ଚାହୁଁଥିଲେ ଯେ ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। କିନ୍ତୁ ଓଲଟା ତାଙ୍କ ବିରୋଧରେ ହିଁ ଶୁଣାଣି ହୋଇଛି ଓ ସାମନ୍ଥାଙ୍କୁ ଉକ୍ତ ବ୍ୟକ୍ତି ବିଶେଷଙ୍କୁ କ୍ଷମା ମାଗିବାକୁ କୁହାଯାଇଛି। କୋର୍ଟ କହିଛନ୍ତି, ଲୋକପ୍ରିୟ କଳାକାର ପ୍ରଥମେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ତଥ୍ୟ ସେୟାର କରିଥାନ୍ତି ଓ ପରେ ମାନହାନି ମକଦ୍ଦମା ରୁଜୁ କରିଥାନ୍ତି। ଏହା ଆଦୌ ଭଲ କଥା ନୁହେଁ।

କୋର୍ଟଙ୍କ ନିର୍ଦ୍ଦେଶ ବିପକ୍ଷରେ ସାମନ୍ଥା ନିଜ ଓକିଲଙ୍କୁ ଠିଆ କରିଛନ୍ତି। କୁହାଯାଉଛି ଯେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଯେଭଳି ଗଣମାଧ୍ୟମ ବିପକ୍ଷରେ କୋର୍ଟରେ କେସ୍‌ କରିଥିଲେ, ସାମନ୍ଥା ମଧ୍ୟ ସେଭଳି ଗଣମାଧ୍ୟମ ବିରୋଧରେ ନିଷେଧାଜ୍ଞା ଜାରି କରିବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ସାମନ୍ଥାଙ୍କ ଓକିଲ ଏନେଇ ସଙ୍କେତ ଦେଇ କହିଛନ୍ତି ଯେ ସେ ନିଜ ମାନହାନୀ ମକଦ୍ଦମାରେ ଏଭଳି ନିଷ୍ପତ୍ତି ପାଇଁ ଉପରକୋର୍ଟକୁ ଯାଇପାରନ୍ତି। ଅନ୍ୟପଟେ କୋର୍ଟ ଏବେ ସାମନ୍ଥାଙ୍କ ମାନହାନି ମକଦ୍ଦମା ନିଷ୍ପତ୍ତିକୁ ସୁରକ୍ଷିତ ରଖିଛନ୍ତି ଓ ଖୁବ୍‌ଶୀଘ୍ର ଏନେଇ ଶୁଣାଣି ହେବ।

ସୂଚନାଯୋଗ୍ୟ ଯେ ନିକଟରେ ସାମନ୍ଥା ସ୍ୱାମୀ ନାଗା ଚୈତନ୍ୟଙ୍କ ଠାରୁ ଛାଡ଼ପତ୍ର ନେଇଛନ୍ତି। ଏହି ଖବର ତାଙ୍କ ଫ୍ୟାନ୍‌ଙ୍କୁ ବେଶ୍‌ ଝଟ୍‌କା ଦେଇଥିଲା। ଏହା ପରଠାରୁ କେତେକ େଓ୍ଵବ୍‌ସାଇଟ୍‌ ଓ ୟୁଟ୍ୟୁବ୍‌ ଚ୍ୟାନେଲ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ମନଗଢ଼ା କାହାଣୀ ଦେଖାଇବା ଆରମ୍ଭ କରିଥିଲେ। କିଛି ଚ୍ୟାନେଲ ଏମିତି ମଧ୍ୟ କହିଥିଲେ ଯେ ସାମନ୍ଥାଙ୍କର ଅନ୍ୟ ସହଯୋଗୀଙ୍କ ସହ ସମ୍ପର୍କ ଥିବାରୁ ତାଙ୍କ ବୈବାହିକ ସମ୍ପର୍କ ଭାଙ୍ଗିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.