ଶେଷ ହୋଲି ଖେଳି ବହୁତ ଖୁସି ଥିଲେ ସତୀଶ କୌଶିକ, ଟ୍ୱିଟ କରି ସେୟାର କରିଥିଲେ ଫଟୋ

ମୃତ୍ୟୁ ପୂର୍ବରୁ ସାମ୍ନାକୁ ଆସିଛି ସତୀଶଙ୍କ ଶେଷ ଟ୍ୱିଟ୍‌, ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ସତୀଶ କୌଶିକଙ୍କ ଆଜି ସକାଳୁ ହୃଦ୍‌ଘାତ ହୋଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲକୁ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଛି।

ବଲିଉଡର ଜଣାଶୁଣା ତଥା ଲୋକପ୍ରିୟ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ଆଜି ସକାଳୁ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁରେ ସମଗ୍ର ବଲିଉଡ ଗଭୀର ଶୋକରେ ରହିଛି । ତେବେ ମୃତ୍ୟୁ ପୂର୍ବରୁ ସାମ୍ନାକୁ ଆସିଛି ସତୀଶଙ୍କ ଶେଷ ଟ୍ୱିଟ୍‌, ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ସତୀଶ ପରଦାରେ କମେଡି କରିବାରେ ମାହିର ଥିଲେ ।

ମୃତ୍ୟୁ ପୂର୍ବରୁ ହସି ହସି ଟ୍ୱିଟ୍‌ର ଓ ଫେସ୍‌ବୁକରେ ଫଟୋ ସେୟାର କରିଥିଲେ ସତୀଶ। ନିଜ ପ୍ରଶଂସକ ଓ ବନ୍ଧୁମାନଙ୍କୁ ହୋଲି ଶୁଭେଚ୍ଛା ଦେଇଥିଲେ । ଫଟୋରେ ସଙ୍ଗୀତକାର ଜାଭେଦ ଅଖତର, ମହିମା ଚୌଧୁରୀ, ଅଲି ଫେଜଲ ଓ ରିଚା ଚଡ୍ଡାଙ୍କ ସହ ନଜର ଆସିଥିଲେ। ସେ ଗତକାଲି ମୁମ୍ବାଇର ଜୁହୁ ସ୍ଥିତ ଜାନକୀ କୁଟିରରେ ହୋଲି ଖେଳିଥିବା ନେଇ ସୂଚନା ଦେଇଥିଲେ। ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ସମସ୍ତଙ୍କୁ ହୋଲି ଶୁଭେଚ୍ଛା ଜଣାଇଥିଲେ। ଏହି ଟ୍ୱିଟ ମାର୍ଚ୍ଚ ୭ ତାରିଖ ରାତି ୧୧.୨୭ରେ କରିଥିଲେ ।

ସୂଚନାଯୋଗ୍ୟ, ସତୀଶ କୌଶିକଙ୍କ ଆଜି ସକାଳୁ ହୃଦ୍‌ଘାତ ହୋଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲକୁ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ବଲିଉଡ ସେଲିବ୍ରିଟି ।

ଅଭିନେତା ଅନୁପମ ଖେର ତାଙ୍କ ବନ୍ଧୁଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଥିଲେ । ସତୀଶ କୌଶିକଙ୍କ ମୃତଦେହ ବର୍ତ୍ତମାନ ଗୁରୁଗାଓଁର ଫୋର୍ଟିସ୍ ହସ୍ପିଟାଲରେ ରଖାଯାଇଛି। ପୋଷ୍ଟମର୍ଟମ ପରେ ତାଙ୍କ ମୃତଦେହ ଆଜି ଅପରାହ୍ନରେ ମୁମ୍ବାଇସ୍ଥିତ ତାଙ୍କ ଘରକୁ ଅଣାଯିବ ଏବଂ ତା’ପରେ ତାଙ୍କର ଶେଷ ରୀତିନୀତି ଏଠାରେ କରାଯିବ। ସତୀଶ କୌଶିକ ଗୁରୁଗାଓଁର ଫାର୍ମହାଉସକୁ କାହାକୁ ଭେଟିବାକୁ ଯାଇଥିଲେ। ଫାର୍ମହାଉସରୁ ଫେରୁଥିବାବେଳେ ହୃଦଘାତର ଶିକାର ହୋଇଥିଲେ ଏବଂ ପରେ ତାଙ୍କୁ ଗୁରୁଗାଓଁର ଫୋର୍ଟିସ୍ ହସ୍ପିଟାଲକୁ ନିଆଯାଇଥିଲା।

୧୯୫୬ ଏପ୍ରିଲ ୧୩ ତାରିଖରେ ହରିୟାଣାର ମହେନ୍ଦ୍ରଗଡରେ ଜନ୍ମଗ୍ରହଣ କରିଥିଲେ କମେଡିଆନ୍ ସତୀଶ କୌଶିକ। ସେ ୧୯୮୩ରେ ଆସିଥିବା ଫିଲ୍ମ ମାସୁମରୁ ନିଜ ଆକ୍ଟିଂ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ଫିଲ୍ମ ମିଷ୍ଟର ଇଣ୍ଡିଆରେ କ୍ୟାଲେଣ୍ଡର ଭୂମିକା ତାଙ୍କୁ ଏକ ନୂଆ ପରିଚୟ ଦେଇଥିଲା। ୧୯୯୩ରେ ରୂପ କି ରାନୀ ଚୋରୋ କା ରାଜାରୁ ସତୀଶ ଫିଲ୍ମ ନିର୍ଦ୍ଦେଶନା ଦେବା ଦୁନିଆରେ ପାଦ ରଖିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.