ମରାଠୀ ଭାଷାକୁ ନେଇ ଜାନ୍‌ଙ୍କ କମେଣ୍ଟ ପରେ ହାତ ଯୋଡ଼ି କ୍ଷମା ମାଗିଲେ ବାପା କୁମାର ସାନୁ, କହିଲେ-‘ତା ମା’ ତାକୁ କି ଶିକ୍ଷା ଦେଇଛି କେଜାଣି’

କଲର୍ସ ଚ୍ୟାନେଲର ସବୁଠୁ ଲୋକପ୍ରିୟ ତଥା ବିବାଦୀୟ ଶୋ’ ବିଗ୍‌ବସ୍‌ ୧୪ରେ ନିକଟରେ କୁମାର ସାନୁଙ୍କ ପୁଅ ଜାନ୍‌ କୁମାର ସାନୁ ମରାଠୀ ଭାଷାକୁ ନେଇ ଟିପ୍ପଣୀ ଦେଇଥିଲେ। ଏହା ପରେ ଏମ୍‌ଏନ୍‌ଏସ୍‌ର ନେତା ଅମୟେ ଖୋପକର ବିରକ୍ତି ପ୍ରକାଶ କରିଛନ୍ତି। ସେ ବିଗ୍‌ବସ୍‌ ଶୋ’କୁ ବନ୍ଦ କରିବା ସହ ଜାନ୍‌ଙ୍କ କ୍ୟାରିୟର ବର୍ବାଦ କରିବାକୁ ଧମକ ଦେଇଛନ୍ତି। ମାମଲା ବଢ଼ୁଥିବା ଦେଖି ଚ୍ୟାନେଲ ଜାନ୍‌ଙ୍କୁ ନିଜ ଭୁଲ ପାଇଁ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେବା ସହ ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଥିଲେ। ଏହା ପରେ ଜାନ୍‌ ମଧ୍ୟ କ୍ଷମା ମାଗିଥିଲେ। ଏବେ ପୁଅର କମେଣ୍ଟ ପାଇଁ ବଲିଉଡ୍‌ ସିଙ୍ଗର କୁମାର ସାନୁ ମଧ୍ୟ କ୍ଷମା ମାଗିଛନ୍ତି।

କୁମାର ସାନୁ ଫେସ୍‌ବୁକ୍‌ରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି-ନମସ୍କାର ଉଦ୍ଧବ ଜୀ। ମୁଁ କୁମାର ସାନୁ, କୋଭିଡ୍‌ ସମୟରେ ବିଏମ୍‌ସି ମୋ ଯତ୍ନ ନେଇଥିବାରୁ ମୋତେ ବହୁତ ଭଲ ଲାଗିଥିଲା। ଏସବୁ ପାଇଁ ମୁଁ ଧନ୍ୟବାଦ ଜଣାଉଛି। ବିଏମ୍‌ସି ଯୋଗୁ ମୁଁ କରୋନାରୁ ବର୍ତ୍ତିଛି। ମୁଁ ଶୁଣିଲି ଯେ ମୋ ପୁଅ ଜାନ୍‌ ଏକ ଭୁଲ କଥା କହିଛି, ଯାହା ଆମେ ୪୦-୪୧ ବର୍ଷରେ ଚିନ୍ତା ବି କରିନଥିଲୁ। ଯେଉଁ ମୁମ୍ବାଇ ସହର ମୋତେ ଆଶୀର୍ବାଦ ଦେଇଛି, ମୋତେ ନେମ୍‌ ଫେମ୍‌ ଦେଇଛି, ସେ ମୁମ୍ବାଇ ଦେବୀ, ମହାରାଷ୍ଟ୍ର ବିଷୟରେ ମୁଁ ଏମିତି ଚିନ୍ତା ବି କରିପାରିବି ନାହିଁ। କିନ୍ତୁ ମୋ ପୁଅ ଭାଷା ବିଷୟରେ ଯାହା କହିଛି ସେ ବିଷୟରେ କହିବାକୁ ଚାହୁଁଛି ମୁଁ ସବୁ ଭାଷାକୁ ଆଦର କରେ। ସବୁ ଭାଷାରେ ଗୀତ ଗାଇଛି।

jaan

କୁମାର ସାନୁ କହିଛନ୍ତି ମୋ ପୁଅ ଯିଏ ମୋ ଠାରୁ ଗତ ୨୭ ବର୍ଷ ହେଲା ଅଲଗା ଅଛି। ମୁଁ ଜାଣିନି ତା ମା’ତାକୁ କି ଶିକ୍ଷା ଦେଇଛନ୍ତି। ଜଣେ ବାପା ହିସାବରେ ମୁଁ ଆପଣଙ୍କୁ ମୋ ପୁଅ ପାଇଁ କ୍ଷମା ମାଗି ପାରିବି। ବାଲା ସାହେବଙ୍କ ଠାରୁ ଆରମ୍ଭ କରି ଏବେ ଯାଏ ମୁଁ ଦଳ ସହ ଜଡ଼ିତ ଅଛି। ଏଭଳି କଥା ଶୁଣିବା ପରେ ମୁଁ ଆଉ ସମ୍ଭାଳିପାରିଲିନାହିଁ। ଏଭଳି କଥା ପାଇଁ ମୋତେ ଓ ପରିବାରକୁ କ୍ଷମା କରିଦେବେ। ମୋ ପୂର୍ବ ପରିବାରକୁ ବି କ୍ଷମା କରିଦେବେ। ଧନ୍ୟବାଦ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.