ଦିନେ ‘ବିଗ୍ ବସ୍’ ଓ ‘ରୋଡିଜ୍’ର ଓ୍ଵିନର ଥିଲେ ଏହି ସେଲିବ୍ରିଟି, ଏବେ ଢାବାରେ କଟୁଛି ଜୀବନ

ଜୀବନ କେତେବେଳେ କେଉଁ ପରିସ୍ଥିତିରେ ପହଞ୍ଚି ଯିବ, ତାହା କହିବା କଷ୍ଟକର। କେତେବେଳେ ଏହା ମଣିଷକୁ ତଳେ କଚାଡ଼ି ଦିଏ ତ କେତେବେଳେ ମାଟିରୁ ଉଠାଇ ଏକଦମ୍ ଆକାଶରେ ନେଇ ବସାଇ ଦିଏ। ବର୍ତ୍ତମାନ ଠିକ୍ ଏମିତି ହିଁ ପରିସ୍ଥିତି ଆସିଛି ଆଶୁତୋଷ କୌଶିକ୍ଙ୍କ ଜୀବନରେ। ରିୟାଲିଟି ଟିଭି ଶୋ’ ‘ବିଗ୍ ବସ୍’ ଏବଂ ‘ରୋଡିଜ୍’ର ଓ୍ଵିନର ଥିବା ଆଶୁତୋଷ ସେହି ସମୟରେ ବନି ଯାଇଥିଲେ ଜଣେ ଜଣାଶୁଣା ସେଲିବ୍ରିଟି। ସମସ୍ତେ ତାଙ୍କୁ ଚିହ୍ନଥିଲେ ଏବଂ ତାଙ୍କର ଏକ ବଢ଼ିଆ ଫ୍ୟାନ୍ ଫଲୋଇଙ୍ଗ୍ ମଧ୍ୟ ହୋଇଯାଇଥିଲା। ହେଲେ ଏବେ ତାଙ୍କ ଜୀବନ ଢାବାରେ ହିଁ ବିତୁଛି।
ଢାବା ଚଲାଉଛନ୍ତି ଆଶୁତୋଷ
ଛୋଟ ପରଦାରେ ଖୁବ୍ ଲୋକପ୍ରିୟ ସେଲିବ୍ରିଟି ବନି ଯାଇଥିବା ଆଶୁତୋଷ ହଠାତ୍ ଲାଇମ୍ଲାଇଟଠାରୁ ଦୂରେଇ ଯିବାକୁ ଲାଗିଲେ। ଆଉ ଆଜି ସେ ୟୁପିର ସହାରନପୁରରେ ୨ଟି ଢାବା ଚଲାଉଛନ୍ତି ଏବଂ ଏହି କାମରେ ସେ ବହୁତ ଖୁସି ମଧ୍ୟ ଅଛନ୍ତି। ଏହାଛଡ଼ା ଉତ୍ତରାଖଣ୍ଡରେ ତାଙ୍କର କପଡ଼ାର ଏକ ଶୋ’ରୁମ୍ ମଧ୍ୟ ଅଛି। ଏକ ଇଣ୍ଟରଭ୍ୟୁରେ ଆଶୁତୋଷ କହିଥିଲେ ଯେ ‘ରୁଟି ପାଇଁ କୌଣସି ସମସ୍ୟା ନାହିଁ। ଆମେ ତ ନିଜ ଢାବାରେ ଲୋକଙ୍କୁ ଖୁଆଉଛୁ। ମୁଁ ନଏଡାର ନ୍ୟୁଜ୍ ଚ୍ୟାନେଲ ପାଇଁ ମଝିରେ ମଝିରେ ଶୋ’ କରି ଚାଲିଛି। ଯଦି ମୋତେ ମୁମ୍ବାଇର କୌଣସି ପ୍ରୋଜେକ୍ଟ ପାଇଁ କଲ୍ ଆସୁଛି, ତା’ହେଲେ ଶୁଟ୍ ପାଇଁ ଯାଉଛି ଏବଂ ପୁଣି ଫେରୁଛି’।
ଆଶୁତୋଷ ‘ବିଗ୍ ବସ୍’ର ୫ମ ସିଜନ ଜିତିଥିଲେ ଏବଂ ‘ରୋଡିଜ୍’ରେ ମଧ୍ୟ ଓ୍ଵିନର ରହିଥିଲେ। ଏ ବିଷୟରେ ସେ କହିଥିଲେ, ‘ମୋତେ ଲାଗୁଛି କି, ମୁଁ ଏଥିପାଇଁ ପ୍ରସ୍ତୁତ ନ ଥିଲି। ମୋ ଭାଗ୍ୟ ଯୋଗୁ ଏବଂ ଭଗବାନଙ୍କ କୃପାରୁ ରିୟାଲିଟି ଶୋ’ ଜିତି ପାରିଲି। ମୁଁ ବାସ୍ତବରେ ଏଥିପାଇଁ କାମ କରି ନ ଥିଲି’। ଆଶୁତୋଷ ଏବେ ଏହି ଲୋକପ୍ରିୟତାରୁ ଦୂରେଇ ଯାଇଛନ୍ତି, ଯାହାକି ତାଙ୍କ ଫ୍ୟାନ୍ସଙ୍କ ଯୋଗୁ ହିଁ ତାଙ୍କୁ ମିଳିଥିଲା।
ଆଶୁତୋଷ କହିଥିଲେ, ଯେଉଁ ସମୟରେ ସେ ରୋଡିଜ୍ ଜିତିଥିଲେ, ସେହି ସମୟରେ ସେ ବହୁତ ଉପରେ ଥିଲେ। ସେ ରୋଡିଜ୍ର ଅନେକ ଅଡିସନ୍ ଦେଇଥିଲେ। ଯେତେବେଳେ ସେ ସିଲେକ୍ଟ ହୋଇଗଲେ, ତ ତାଙ୍କୁ ତାଙ୍କ ମା’ଙ୍କ କଥା ମନେ ପଡ଼ିଗଲା କି, କେବଳ ପ୍ରୟାସ କରିଚାଲ। ସେ କୁହନ୍ତି, ରୋଡିଜ୍ର ଅନୁଭବ ତାଙ୍କ ପାଇଁ ମଜାଦାର, କଠିନ ଏବଂ ସ୍ମରଣୀୟ ଥିଲା। ଶୋ’ ଜିତିବାର ୧ ବର୍ଷ ପରେ ତାଙ୍କୁ ବିଗ୍ ବସ୍ର କଲ୍ ଆସିଥିଲା ଏବଂ ୨୦୦୮ରେ ସେ ଏହି ଶୋ’ରେ ସାମିଲ ହୋଇଥିଲେ। ସବୁ ସମୟରେ ତାଙ୍କୁ ଲୋକଙ୍କ ଭଲ ପାଇବା ମିଳିଛି ବୋଲି ଆଶୁତୋଷ କହିଥିଲେ।