ଓସ୍କାର ଦୌଡ଼ରୁ ହଟିଲା ଭିକ୍କି କୌଶଲଙ୍କ ଅଭିନୀତ ‘ସରଦାର ଉଧମ’, ସାମ୍ନାକୁ ଆସିଲା ଏହି ବଡ଼ କାରଣ

ଭିକ୍କି କୌଶଲଙ୍କ ଅଭିନୀତ ଫିଲ୍ମ ‘ସରଦାର ଉଧମ’ ନିକଟରେ ରିଲିଜ୍‌ ହୋଇଛି। ଫିଲ୍ମକୁ ସିନେ ସମୀକ୍ଷକ ଏବଂ ଦର୍ଶକମାନଙ୍କ ତରଫରୁ ଅନେକ ଭଲ ପାଇବା ମିଳିଛି। ଏବେ ଏହି ଫିଲ୍ମ ସହ ଜଡ଼ିତ ଲୋକଙ୍କୁ କିନ୍ତୁ ବଡ଼ ଝଟକା ଲାଗିଛି, ଯାହାର କାରଣ ହେଉଛି, ଫିଲ୍ମ ଫେଡେରେଶନ ଅଫ୍‌ ଇଣ୍ଡିଆ ଏହାକୁ ଓସ୍କାର ଦୌଡ଼ରୁ ବାହାର କରି ଦେଇଛି। ଫେଡେରେଶନର ଜୁରି ସଦସ୍ୟଙ୍କ କହିବା ହେଲା କି, ଏହି ଫିଲ୍ମରେ ଇଂଲିଶ୍‌ମାନଙ୍କ ପ୍ରତି ଭିକ୍କି ଅର୍ଥାତ୍‌ ସରଦାର ଉଧମଙ୍କର ଅତ୍ୟଧିକ ଘୃଣା ଦେଖିବାକୁ ମିଳିଛି। ‘ସରଦାର ଉଧମ’ ଫିଲ୍ମକୁ ସୁଜିତ୍‌ ସରକାର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ ଭିକ୍କି କୌଶଲଙ୍କ ବ୍ୟତୀତ ଷ୍ଟିଫନ୍‌ ହୋଗନ, ବନିତା ସନ୍ଧୁ, ଅମୋଲ ପାରାଶର ଓ ଶାନ୍‌ ସ୍କଟ୍‌ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ଫିଲ୍ମକୁ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ୍‌ ଭିଡିଓରେ ରିଲିଜ୍‌ କରାଯାଇଥିଲା।

‘ସରଦାର ଉଧମ’ର କାହାଣୀ

ସୁଜିତ୍‌ ସରକାର ସବୁବେଳେ ଲିକ୍‌ରୁ ହଟି ଫିଲ୍ମ ବନାଇବା ପାଇଁ ଜଣାଯାଇ ଥାଆନ୍ତି। କ୍ରାନ୍ତିକାରୀ ସରଦାର ଉଧମ ସିଂଙ୍କ ଉପରେ ସେ ଅନେକ ଦିନରୁ ଏକ ଫିଲ୍ମ ବନାଇବାକୁ ଚାହିଁଥିଲେ। ସରଦାର ଉଧମ ସିଂ ଇଂଲିଶମାନଙ୍କ ବିରୋଧରେ ବିନା କୌଣସି ଡରରେ ନିଜର କଥା ସାମ୍ନାରେ ରଖିଥିଲେ। ତାଙ୍କ ଜୀବନ ଉପରେ ବନିଥିବା ଏହି ଫିଲ୍ମ ପାଇଁ ନିର୍ମାତା ପ୍ରଥମେ ଅଭିନେତା ଇରଫାନ ଖାନଙ୍କୁ ବାଛିଥିଲେ। କିନ୍ତୁ ତାଙ୍କର ନିଧନ ପରେ ଭିକ୍କି କୌଶଲ ଏହି ରୋଲ୍‌ ପ୍ଲେ କରିଛନ୍ତି। ‘ସରଦାର ଉଧମ’ ସେହି କ୍ରାନ୍ତିକାରୀଙ୍କ କାହାଣୀ, ଯିଏ ୧୯୧୯ର ଜାଲିୟାନାଓ୍ଵାଲା ବାଗ ନରସଂହାରର ପ୍ରତିଶୋଧ ନେବା ପାଇଁ ଜଣେ ବ୍ରିଟିଶ ଅଧିକାରୀଙ୍କୁ ଗୁଳି ମାରି ଦେଇଥିଲେ।

ଏହି ଦୁଇ ଫିଲ୍ମକୁ କରାଯାଇଥିଲା ଶର୍ଟଲିଷ୍ଟ

ଓସ୍କାର ୨୦୨୨ ପାଇଁ ‘ସରଦାର ଉଧମ’ ଏବଂ ବିଦ୍ୟା ବାଲନଙ୍କ ଅଭିନୀତ ଫିଲ୍ମ ‘ଶେର୍‌ନୀ’କୁ ଶର୍ଟଲିଷ୍ଟ କରାଯାଇଥିଲା। ଏବେ ସେଥିରୁ ‘ସରଦାର ଉଧମ’କୁ ବାହାର କରି ଦିଆଯାଇଛି। ଫିଲ୍ମ ‘ଶେରନୀ’କୁ ମଧ୍ୟ ଓଟିଟିରେ ରିଲିଜ୍‌ କରାଯାଇଥିଲା। ଏଥିରେ ବିଦ୍ୟା ଲିଡ୍‌ ରୋଲ୍‌ ପ୍ଲେ କରିଛନ୍ତି। ବିଦ୍ୟା ବାଲନ ଜଣେ ଫରେଷ୍ଟ ଅଫିସରର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି, ଯିଏକି ମଣିଷଖିଆ ବାଘକୁ ଧରିବା ପାଇଁ ଉଦ୍ୟମ କରୁଛନ୍ତି। ସେ ଏଥିରେ ମଣିଷ-ପଶୁ ବିବାଦର ସମାଧାନ କରିବାକୁ ଚେଷ୍ଟା ଚଳାଇଛନ୍ତି। ଏହି ଚଳଚ୍ଚିତ୍ରରେ ଶରତ ସକ୍ସେନା, ମୁକୁଲ ଖଡ୍ଡା, ବିଜୟ ରଜ, ଇଲା ଅରୁଣ, ବ୍ରିଜେନ୍ଦ୍ର କାଲା, ନୀରଜ କବି ପ୍ରମୁଖ ଅଭିନୟ କରିଛନ୍ତି। ସୂଚନାଥାଉ କି, ଆସନ୍ତା ବର୍ଷ ଅର୍ଥାତ୍ ୨୦୨୨, ମାର୍ଚ୍ଚ ୨୭ରେ ୯୪ତମ ଏକାଡେମୀ ଆଓ୍ଵାର୍ଡସ୍ ଆୟୋଜନ କରାଯିବ। ପ୍ରତ୍ୟେକ ବର୍ଷ ଭାରତୀୟ ସିନେମା ମଧ୍ୟରୁ କିଛି ଫିଲ୍ମ ଓସ୍କାର ପାଇଁ ମନୋନୀତ ହୋଇଥାଏ। ଏଥର ମଧ୍ୟ ‘ଓସ୍କାର ୨୦୨୨’ ପାଇଁ ବିଦ୍ୟା ବାଲନ ଷ୍ଟାରର ‘ଶେରନୀ’ ଏବଂ ଭିକ୍କି କୌଶଲ ଷ୍ଟାରର ଫିଲ୍ମ ‘ସରଦାର ଉଧମ’ ମନୋନୀତ ହୋଇଥିଲା। କିନ୍ତୁ ଏବେ ଏହି ଦୌଡ଼ରୁ ‘ସରଦାର ଉଧମ’କୁ ବାହାର କରାଯାଇଛି।

 

View this post on Instagram

 

A post shared by Vicky Kaushal (@vickykaushal09)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.