ଡିନର ପାଇଁ ଗଲେନି ବୋଲି ଜଙ୍ଗଲମନ୍ତ୍ରୀଙ୍କ ଆକ୍ରୋଶର ଶିକାର ହେଲେ ବିଦ୍ୟା ବାଲାନ୍‌, ଅଟକିଲା ସୁଟିଂ

ମନ୍ତ୍ରୀଙ୍କ ଡିନର ନିମନ୍ତ୍ରଣକୁ ଅସ୍ୱୀକାର କରିବା ବିଦ୍ୟା ବାଲାନ୍‌ଙ୍କ ପାଇଁ ପଡ଼ିଛି ମହଙ୍ଗା। ବିଦ୍ୟା ବାଲାନ୍‌ ଡିନରକୁ ନା’କହିବା ଯୋଗୁ ପୂରା ଟିମ୍‌କୁ ହଇରାଣ ହେବାକୁ ପଡ଼ିଛି। ଏଭଳି ଦାଦାଗିରି କରିଛନ୍ତି ମଧ୍ୟପ୍ରଦେଶର ଜଙ୍ଗଲ ମନ୍ତ୍ରୀ।

ରିପୋର୍ଟ ମୁତାବକ ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲାନ୍‌ ଫିଲ୍ମ ‘ଶେରନୀ’ର ସୁଟିଂ ପାଇଁ ନଭେମ୍ବର ୮ରେ ମଧ୍ୟପ୍ରଦେଶର ବାଲା ଘାଟ ଯାଇଥିଲେ। ସେଠାରେ ତାଙ୍କୁ ଦେଖା କରିବାକୁ ରାଜ୍ୟର ଜଙ୍ଗଲ ମନ୍ତ୍ରୀ ବିଜୟ ଶାହ ଯାଇଥିଲେ। ମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ସେ ବିଦ୍ୟାଙ୍କୁ ଡିନର ପାଇଁ ନିମନ୍ତ୍ରଣ କରିଥିଲେ। ମାତ୍ର ବିଦ୍ୟା ବାଲାନ୍‌ ଅସହଜ ମନେ କରି ଡିନର ପାଇଁ ମନା କରି ଦେଇଥିଲେ। ମନ୍ତ୍ରୀ ବିଦ୍ୟାଙ୍କର ଏହି ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରିନଥିଲେ ।

vidya2

ତା’ ପର ଦିନ ‘ଶେରନୀ’ର ପ୍ରଡକ୍ସନ୍‌ ଟିମ୍‌ ଯେତେବେଳେ ବାଲାଘାଟ ଯାଇଥିଲେ, ସେତେବେଳେ ଜିଲ୍ଲା ବନ ଅଧିକାରୀ ସେମାନଙ୍କୁ ଅଟକାଇଥିଲେ। ଭିତରକୁ କେବଳ ୨ଟି ଗାଡ଼ି ଯିବାକୁ ଅନୁମତି ମିଳିବ ବୋଲି ସେ କହିଥିଲେ। ଏହା ପରେ ମାମଲା ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ପହଞ୍ଚିଥିଲା। ତା’ପରେ ସବୁ ଗାଡ଼ିକୁ ଭିତରକୁ ଯିବାକୁ ଅନୁମତି ମିଳିଥିଲା।

ସୂଚନାଯୋଗ୍ୟ ଯେ ଫିଲ୍ମର ପ୍ରଡକ୍ସନ୍‌ ୟୁନିଟ୍‌ ୨୦ ଅକ୍ଟୋବରରୁ ୨୧ ନଭେମ୍ବର ପର୍ଯ୍ୟନ୍ତ ଜଙ୍ଗଲରେ ସୁଟିଂ ପାଇଁ ଅନୁମତି ଆଣିଥିଲେ। ବିଦ୍ୟା ବାଲାନ୍‌ ସୁଟିଂ ପାଇଁ ପହଞ୍ଚିବା ପରେ ବନ ବିଭାଗର ମନ୍ତ୍ରୀ ବିଜୟ ଶାହ ଅଭିନେତ୍ରୀଙ୍କ ସହ ସାକ୍ଷାତ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏଥିପାଇଁ ୮ ନଭେମ୍ବର ସକାଳ ୧୧ରୁ ୧୨ଟା ମଧ୍ୟରେ ସମୟ ସ୍ଥିର ହୋଇଥିଲା।

vidya

ତେବେ ବିଦ୍ୟା ବାଲାନ୍‌ ମହାରାଷ୍ଟ୍ରର ଗୋଁଦିଆରେ ରହୁଥିବା ବେଳେ ମନ୍ତ୍ରୀ ଭରବେଲୀର ଗେଷ୍ଟ ହାଉସ୍‌ରେ ରାତ୍ରିଯାପନ କରିଥିଲେ। ଏଣୁ ବିଦ୍ୟା ବାଲାନ୍‌ ସେଠାକୁ ଡିନର ପାଇଁ ଯିବାକୁ ମନା କରିଥିଲେ। ଏହା ପରେ ଆକ୍ରୋଶମୂଳକ ଭାବେ ମନ୍ତ୍ରୀ ଫିଲ୍ମର ପ୍ରଡକ୍ସନ୍‌ ଟିମ୍‌କୁ ହଇରାଣ କରିବାକୁ ଜଙ୍ଗଲ ମଧ୍ୟକୁ ପ୍ରବେଶ ଅନୁମତି ଦେଇନଥିଲେ। ଏବେ ଏହି ମାମଲାରେ ରାଜନୀତି ଜୋର ଧରିଛି। କଂଗ୍ରେସ ଦଳ ମନ୍ତ୍ରୀଙ୍କ ଏହି କାର୍ଯ୍ୟକୁ ତୀବ୍ର ନିନ୍ଦା କରିଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.