ଦୂରେଇ ଦିଅନ୍ତୁ ଭୁଲଧାରଣା, ଗର୍ଭାବସ୍ଥାରେ ବି କରିପାରିବେ ଏହି ସବୁ ବାରଣ କାର୍ଯ୍ୟ

ମହିଳାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅବସ୍ଥା ହେଉଛି ଗର୍ଭାବସ୍ଥା। ଏହି ସମୟ ସବୁ ନାରୀଙ୍କ ପାଇଁ ବେଶ୍‌ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ନାରୀଟିଏ ଏହି ସମୟରେ ନିଜର ଅଧିକ ଯତ୍ନ ନେଇଥାଏ। ଖାସ୍‌ କରି ଜୀବନଶୈଳୀ ଉପରେ ପୂରା ଧ୍ୟାନ ରଖିଥାଏ। କେବଳ ଗର୍ଭବତୀ ନୁହେଁ, ପରିଜନମାନେ ମଧ୍ୟ ଏହି ସମୟରେ ଅଧିକ ଯତ୍ନଶୀଳ ହୋଇପଡ଼ିଥାନ୍ତି। ତେବେ ବେଳେବେଳେ ଗର୍ଭାବସ୍ଥାରେ ମହିଳାଙ୍କୁ କେତେକ କାମ କରିବାକୁ ମନା କରାଯାଏ। ମାତ୍ର ଡାକ୍ତରଙ୍କ କହିବାନୁସାରେ ଗର୍ଭାବସ୍ଥାରେ ମହିଳା ସବୁ କାମ କରିପାରିବେ ଯାହା ସେ ନିୟମିତ କରିଥାନ୍ତି। ଆସନ୍ତୁ ଜାଣିବା ଗର୍ଭାବସ୍ଥାକୁ ନେଇ ମହିଳାଙ୍କ ମନରେ ଥିବା କେତେକ ଭ୍ରାନ୍ତଧାରଣା ସମ୍ପର୍କରେ…

ଦୁଇ ଜଣଙ୍କ ଖାଦ୍ୟ ଖାଇବା ଉଚିତ୍‌:

ଗର୍ଭାବସ୍ଥା ବେଳେ ମହିଳାଙ୍କୁ ଅଧିକ ଖାଦ୍ୟ ଖାଇବାକୁ କୁହାଯାଏ। ଗର୍ଭରେ ଶିଶୁଥିବାରୁ ମହିଳାଙ୍କୁ ଏହି ସମୟରେ ଦୁଇଜଣଙ୍କ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଏ। ମାତ୍ର ଏଭଳି ଧାରଣା ଭୁଲ୍‌। ଗର୍ଭାବସ୍ଥା ବେଳେ ମହିଳାଙ୍କୁ ଅତିରିକ୍ତ ୩୦୦ କ୍ୟାଲୋରି ଆବଶ୍ୟକ ପଡ଼ିଥାଏ। ତା’ଠାରୁ ଅଧିକ ଖାଇଲେ ମେଦବହୁଳତାର ଶିକାର ହେବା ଆଶଙ୍କା ରହିଛି।

ଅମୃତଭଣ୍ଡା ଖାଇବା ଦ୍ୱାରା ଗର୍ଭପାତ ଆଶଙ୍କା:

ଗର୍ଭାବସ୍ଥାରେ ଅମୃତଭଣ୍ଡା ଖାଇବା ଦ୍ୱାରା ଗର୍ଭପାତର ଆଶଙ୍କା ରହିଥାଏ ବୋଲି ବହୁ ପୁରାତନ କଥା ରହିଛି। ପ୍ରକୃତରେ ଅପରିପକ୍ୱ ବା ଅଧା ପାଚିଥିବା ସବୁଜ ଅମୃତଭଣ୍ଡାରେ ଲେଟେକ୍ସ ଉଚ୍ଚ ସାନ୍ଦ୍ରତାରେ ରହିଥାଏ। ଏହା ଅକ୍ସିଟୋସିନ୍‌ ଓ ପ୍ରୋଷ୍ଟାଗ୍ଲେଣ୍ଡିସ୍‌ ଭଳି ଶ୍ରମ ଉଦ୍‌ପ୍ରେରଣ ହରମୋନ୍‌ର ସୃଷ୍ଟି କରେ। ଯାହା ଶିଶୁ ପାଇଁ କ୍ଷତିକାରକ ହୋଇଥାଏ। ମାତ୍ର ପାଚିଲା ଅମୃତଭଣ୍ଡାରେ ଏହା କମ୍‌ ପରିମାଣରେ ରହିଥାଏ। ତେଣୁ ଗର୍ଭାବସ୍ଥାରେ ପାଚିଲା ଅମୃତଭଣ୍ଡା ଖାଇବା ବିପଦଜନକ ନୁହେଁ।

କେସର ଖାଇବା ଦ୍ୱାରା ଛୁଆ ଗୋରା ହୋଇଥାଏ:

ଲୋକଙ୍କ ଧାରଣା ରହିଛି ଯେ ଗର୍ଭାବସ୍ଥାରେ ମା’ କେସର ଖାଇଲେ ଛୁଆର ରଙ୍ଗ ଗୋରା ହୋଇଥାଏ। ମାତ୍ର ଏହା ଭାବିବା ଭୁଲ। ଶିଶୁର ରଙ୍ଗ ଗୋରା ହେବା ବା କଳା ହେବା ସମ୍ପୂର୍ଣ୍ଣ ଭାବେ ଜିନ୍‌ ଉପରେ ନିର୍ଭର କରେ। ଗର୍ଭାବସ୍ଥାରେ କ୍ଷୀର ସହ କେସର ଗୋଳାଇ ପିଇବାକୁ ଦିଆଯାଏ। କିନ୍ତୁ ଏହା ପଛରେ କିଛି ସତ୍ୟତା ନାହିଁ।

ଗ୍ରହଣରେ ବାହାରକୁ ବାହାରିବା ଅନୁଚିତ୍‌:

ଗର୍ଭାବସ୍ଥାରେ ମହିଳାଙ୍କୁ ଗ୍ରହଣ ବେଳେ ବାହାରକୁ ବାହାରିବାକୁ ମନା କରାଯାଏ। ଏହା ଦ୍ୱାରା ଗର୍ଭସ୍ଥ ଶିଶୁର ଗ୍ରହଣ ଖଣ୍ଡିଆ ହୋଇଥାଏ ବୋଲି କୁହାଯାଏ। ମାତ୍ର ଏହା ଏକ ଭ୍ରାନ୍ତଧାରଣା। ଗ୍ରହଣ ହେବା ଏକ ପ୍ରାକୃତିକ ପ୍ରକ୍ରିୟା। ଏହାର ଶିଶୁଙ୍କ ବିକୃତି ସହ କୌଣସି ସମ୍ପର୍କ ନାହିଁ।

ଏହାସହ ପଢ଼ନ୍ତୁ: ଏହି ମେସେଜ୍‌ ମହିଳାମାନେ କେବଳ ସେହିମାନଙ୍କୁ ପଠାନ୍ତି, ଯାହା ସହ ଘନିଷ୍ଠ ହେବାକୁ ଚାହାଁନ୍ତି

ଶାରୀରିକ ସମ୍ବନ୍ଧ ରଖିବା କଥା ନୁହେଁ:

ଗର୍ଭାବସ୍ଥାରେ ଶାରୀରିକ ସମ୍ପର୍କ ଆଦୌ ରଖିବା ଉଚିତ୍‌ ନୁହେଁ ବୋଲି ବିଶ୍ୱାସ ରହିଛି। କିନ୍ତୁ ଏହା ଏକ ଭୁଲ ଧାରଣା। ପ୍ରଥମ କିଛି ମାସ ଆପଣ ସମ୍ପର୍କ ରଖିପାରିବେ। କିନ୍ତୁ ଧ୍ୟାନ ରଖିବେ ଯେପରି ମହିଳାଙ୍କ ପେଟ ଉପରେ ଚାପ ନ ପଡେ। ତେବେ ଯେଉଁ ମହିଳା ସାମାନ୍ୟ ଦୁର୍ବଳ ସେମାନେ ସମ୍ଭୋଗ ନ କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ବେଳେ ବେଳେ ଡାକ୍ତର ସଂକ୍ରମଣ ଭୟରେ ମଧ୍ୟ ସମ୍ବନ୍ଧ ରଖିବାକୁ ମନା କରନ୍ତି।

ଚିତ୍‌ ହୋଇ ଶୁଅନ୍ତୁ ନାହିଁ:

ଗର୍ଭାବସ୍ଥାରେ ଚିତ୍‌ ହୋଇ ଶୋଇବାକୁ ମହିଳାଙ୍କୁ ମନା କରାଯାଏ। ବାମ କଡ଼ ମାଡ଼ି ଶୋଇବାକୁ ସେମାନଙ୍କୁ ପରାମର୍ଶ ଦିଆଯାଏ। କୁହାଯାଏ ଯେ ସିଧା ଶୋଇବା ଦ୍ୱାରା ଗର୍ଭସ୍ଥ ଶିଶୁ ଠିକ୍‌ ଭାବେ ନିଃଶ୍ୱାସ ପ୍ରଶ୍ୱାସ ନେଇପାରେ ନାହିଁ। କିନ୍ତୁ ଏଭଳି ଭାବିବା ଭୁଲ। ଆପଣଙ୍କୁ ଯେଉଁ ଭଳି ଶୋଇବାକୁ ଭଲ ଲାଗୁଛି ସେମିତି ଶୁଅନ୍ତୁ।