ହାର୍ଟକୁ ସୁସ୍ଥ ରଖିବ ଏହି ୫ ଖାଦ୍ୟ

ଏହିସବୁ ଖାଦ୍ୟରେ ରହିଛି ଫ୍ୟାଟ ସାଙ୍ଗକୁ ଅମେଗା-3, ଯାହା ଆପଣଙ୍କର ହାର୍ଟର ଯତ୍ନ ନେବ

କେନ୍ୟୁଜ୍(ବ୍ୟୁରୋ): ଶରୀରରେ ଅହରହ ଜୌବ ରାସାୟନିକ ପ୍ରକ୍ରିୟା ଜାରି ରହିଥାଏ । ଜୀବ ଶରୀରର ସ୍ଥିତି ବଜାୟ ରଖିବା ପାଇଁ ଏହିସବୁ ପ୍ରକ୍ରିୟା ନିହାତି ଆବଶ୍ୟକ ରହିଛି । ଏହାସହ ଶରୀରରେ ସବୁବେଳେ ପୁରୁଣା କୋଷ ନଷ୍ଟ ହେବାସହ, ନୂଆ କୋଷ ତିଆରି ହୋଇଥାଏ । ଯାହା ଶରୀର ଗଠନରେ ସାହାଯ୍ୟ କରିଥାଏ । ଏଥିପାଇଁ ଶକ୍ତିର ଆବଶ୍ୟକତା ରହିଥାଏ । ସେହିପରି କୌଣସି କୋଷର ମରାମତି ପାଇଁ ମଧ୍ୟ ଶକ୍ତିର ଆବଶ୍ୟକ ହୁଏ । ଏହିସବୁ ଶକ୍ତି ଆମକୁ ଖାଦ୍ୟରୁ ମିଳିଥାଏ । ସରଳୀକୃତ ଖାଦ୍ୟ ଓ ଅମ୍ଲଜାନର ଦହନରୁ ଶକ୍ତି ତିଆରି ହୁଏ । ଅର୍ଥାତ ଶକ୍ତି ତିଆରି ପାଇଁ ଅମ୍ଲଜାନର ଆବଶ୍ୟକ ହୁଏ । ଅମ୍ଲଜାନ ରକ୍ତର ହିମୋଗ୍ଲୋବିନ ସାହାଯ୍ୟରେ ବିଭିନ୍ନ କୋଷରେ ପହଁଞ୍ଚେ । ଏହାକୁ ପହଁଞ୍ଚାଇବା ଦାଇତ୍ବ ହୃଦପିଣ୍ଡର । ସେହିପରି ଶରୀରର ସମସ୍ତ ପ୍ରକ୍ରିୟା ମସ୍ତିସ୍କ ଦ୍ବାରା ନିୟନ୍ତ୍ରଣ ହୋଇଥାଏ । ଅର୍ଥାତ ଆମ ହୃଦପିଣ୍ଡ ଓ ମସ୍ତିସ୍କ ସୁସ୍ଥ ରହିଲେ ଆମେ ସୁସ୍ଥ ରହିବା । ଏହି ଉଭୟ ଅଙ୍ଗକୁ ସୁସ୍ଥ ରଖିବ ଏପରି କିଛି ଖାଦ୍ୟ । ଆମେ ଏଠାରେ ଆପଣଙ୍କୁ ଏପରି କିଛି ଖାଦ୍ୟର ତାଲିକା ପ୍ରଦାନ କରିବୁ ଯାହା ଆପଣଙ୍କର ମସ୍ତିସ୍କ ଓ ହୃଦୟକୁ ସୁସ୍ଥ ରଖିବ। ୫ଟି ଏପରି ଖାଦ୍ୟ ରହିଛି ଯାହାକୁ ଖାଇଲେ ହୃଦୟ ଓ ମସ୍ତିସ୍କ ସୁସ୍ଥ ରହିବ ।

ଆଭୋକାଡୋ:

ଏଥିରେ ରହିଛି ପ୍ରଚୁର ପରିମାଣରେ ମୋନୋସେଚୁରେଟେଡ ଫ୍ୟାଟ । ଯାହା ଖରାପ କୋଲେଷ୍ଟ୍ରୋଲ୍‌ ସ୍ତରକୁ କମ୍‌ କରିବାରେ ସାହାର୍ଯ୍ୟ କରିଥାଏ । ଏହାସହ ଏଥିରେ ଭିଟାମିନ୍‌ E, ପୋଟାସିୟମ୍‌ ଓ ଫାଇବର ଭଳି ଅତ୍ୟାବଶ୍ୟକ ପୋଷକ ରହିଥାଏ । ଯାହା ହାର୍ଟକୁ ସୁସ୍ଥ ରଖିଥାଏ ।

ବାଦାମ:

ବାଦାମ, ଚିଆ ମଞ୍ଜି, ଫ୍ଲକ୍ସସିଡ୍‌, ହେମ୍ପ ମଞ୍ଜିରେ ଓମେଗା-୩, ଫ୍ୟାଟି ଏସିଡ୍‌ ସମେତ ସୁସ୍ଥ ଚର୍ବି ରହିଛି । ଏହାସହ ଏଥିରେ ପ୍ରୋଟିନ୍‌, ଫାଇବର, ଭିଟାମିନ୍‌ ଓ ମିନେରାଲ ରହିଛି । ଯାହା ଆମ ହାର୍ଟକୁ ସୁସ୍ଥ ରଖିବା ସହ ରକ୍ତ ସଂଚାଳନକୁ ସଠିକ କରିଥାଏ ।

ଅଣ୍ଡା :

ଅଣ୍ଡା ସୁସ୍ଥ ଶରୀର ପାଇଁ ଅତ୍ୟନ୍ତ ଜରୁରୀ । ଏଥିରେ ମଧ୍ୟ ଓମେଗା -୩, ଫ୍ୟାଟି ଏସିଡ୍, ସହିତ ସୁସ୍ଥ ଚର୍ବି ରହିଥାଏ । ତେଣୁ ଖାଦ୍ୟରେ ଅଣ୍ଡା ରହିବା ସୁସ୍ଥ ଶରୀର ପାଇଁ ଭଲ ହୋଇଥାଏ ।

କ୍ଷୀରଜାତ ପଦାର୍ଥ :

କ୍ଷୀର, ଦହି, ପନିର ଭଳି ଖାଦ୍ୟ ପଦାର୍ଥରେ ପ୍ରଚୁର ପରିମଣରେ ଫ୍ୟାଟ ରହିବା ସହ କ୍ୟାଲସିୟମ ରହିଛି । ଯାହା ଶରୀରର ଗଠନ ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ଏହାସହ ଏହା ମସ୍ତିସ୍କରେ ରକ୍ତ ସଂଚାଳନକୁ ସଠିକ କରିବା ସହ ହାର୍ଟକୁ ସୁସ୍ଥ ରଖିଥାଏ ।

ମାଛ:

ମାଛରେ ମଧ୍ୟ ପ୍ରଚୁର ପରିମାଣରେ ଫ୍ୟାଟି ଏସିଡ ରହିଥାଏ । ଏହାସହ କିଛି ନିର୍ଦ୍ଦିଷ୍ଟ ମାଛରେ ଓମେଗା -3 ଭଲି ପଦାର୍ଥ ରହିଥାଏ । ସେହିପରି ଦେଖିଲେ ମାଛରେ ପ୍ରଚୁର ପରିମାଣରେ ପ୍ରୋଟିନର ମାତ୍ରା ରହିଥାଏ । ଯାହା ହାର୍ଟ ପାଇଁ ବହୁତ ଭଲ ହୋଇଥାଏ ।
ଏହିସବୁ ଖାଦ୍ୟ ପଦାର୍ଥ ଯଦି ଆପଣ ମଝିରେ ମଝିରେ ଖାଦ୍ୟରୂପେ ଗ୍ରହଣ କରୁଛନ୍ତି ଆପଣଙ୍କର ହୃଦପିଣ୍ଡ ଓ ମସ୍ତିସ୍କ ସୁସ୍ଥ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.