ଦୁଇ ମିନିଟରେ ପ୍ରସ୍ତୁତ କରନ୍ତୁ ସୁଇଟି କର୍ନ ତରକାରୀ
ଆପଣମାନେ ମିଠା ମକା ତ ନିଶ୍ଚିତ ଖାଇଥିବେ। କିନ୍ତୁ ମିଠା ମକାକୁ ନେଇ ତରକାରୀ କେବେ ବି ପ୍ରସ୍ତୁତ କରିନଥିବେ। ପ୍ରତିଦିନ ଘରେ ବିଭିନ୍ନ ତରକାରୀ କରି ଆପଣ ବିରକ୍ତି ହୋଇଯିବେଣି। ଏଥିରୁ ରକ୍ଷା ପାଇବା ପାଇଁ ଆମେ ଆପଣଙ୍କୁ ଏକ ଭିନ୍ନ ତରକାରୀ ବିଷୟରେ ଜଣାଇବୁ। ଯାହାର ନାମ ସୁଇଟି କର୍ନ ତରକାରୀ। ଏହାକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ ଏବଂ ବିଧି ଆସନ୍ତୁ ଜାଣିବା…
ଆବଶ୍ୟକୀୟ ସାମଗ୍ରୀ:
ଏକ କପ୍ ସିଝା ମକା, ଛୋଟ କଟା ହୋଇଥିବା ପିଆଜ, କଟା ହୋଇଥିବା ଟମାଟର, ଏକ ଚାମଚ ଅଦା ରସୁଣ ପେଷ୍ଟ, ଏକ ଚାମଚ କାଜୁ ପେଷ୍ଟ, ଏକ ଚାମଚ ଲଙ୍କା ପାଉଡର, ଏକ ଚାମଚ ଗରମ ମସଲା, ଏକ ଛୋଟ ଚାମଚ ହଳଦୀ ପାଉଡର, ଏକ ଛୋଟ ଚାମଚ ଜିରା ପାଉଡର, ଲୁଣ ସ୍ୱାଦ ଅନୁସାରେ, ତେଲ ଏବଂ କଟା ହୋଇଥିବା ଧନିଆପତ୍ର।
ପ୍ରସ୍ତୁତି ପ୍ରଣାଳୀ:
ଏବେ ଗ୍ୟାସ୍ରେ ପ୍ୟାନ ବସାଇ ଗରମ ହେବା ପରେ ଅଳ୍ପ ତେଲ ପକାନ୍ତୁ। ତେଲ ଗରମ ହୋଇ ଆସିଲେ ସେଥିରେ ଏକ ଚାମଚ ଜିରା ପକାଇବା ପରେ କଟା ହୋଇଥିବା ପିଆଜ, ଅଦା-ରସୁଣ ପେଷ୍ଟ ପକାଇ ଅଳ୍ପ ଆଞ୍ଚରେ କଷନ୍ତୁ। ଏହା କଷି ହୋଇଗଲା ପରେ ଏଥିରେ ଟମାଟର, ହଳଦୀ, ଲଙ୍କା ପାଉଡର, ଗରମ ମସଲା ପାଉଡର ଏବଂ ଲୁଣ ପକାଇ କଷନ୍ତୁ। ସବୁ ଜିନିଷ ଭଲଭାବେ କଷି ହୋଇଗଲା ପରେ ଏଥିରେ ଏବେ କାଜୁ ପେଷ୍ଟ ପକାଇ ୫ ମିନିଟ ପର୍ଯ୍ୟନ୍ତ ଘାଣ୍ଟନ୍ତୁ। ଏବେ ଏଥିରେ ମିଠା ମକା ପକାଇ ଦିଅନ୍ତୁ। ଦୁଇ ମିନିଟ ପରେ ଅଧ କପ୍ ପାଣି ଦେଇ ୧୦ ମିନିଟ ପର୍ଯ୍ୟନ୍ତ ଅଳ୍ପ ଆଞ୍ଚରେ ବସାଇଦିଅନ୍ତୁ। ଏଥିରେ ଅଳ୍ପ ପାଣି ମରି ଆସିଲେ ଧନିଆପତ୍ର ପକାଇ ଓହ୍ଲାଇ ଦିଅନ୍ତୁ। ଏବେ ରୁଟି କିମ୍ବା ପରଟା ସହିତ ଗରମ ଗରମ ଖାଆନ୍ତୁ ସୁଇଟି କର୍ନ ତରକାରୀ।