ପ୍ରତିଦିନ ପେଟ ସଫା କରିବାରେ ହେଉଛି କି ସମସ୍ୟା? ତ ଏହି ପ୍ରଭାବଶାଳୀ ଘରୋଇ ଉପାୟ ନିଶ୍ଚୟ ଆପଣାନ୍ତୁ
କୋଷ୍ଠକାଠିନ୍ୟ ସମସ୍ୟାକୁ ନେଇ ଅନେକ ଲୋକ ଚିନ୍ତିତ ରୁହନ୍ତି। ମଳତ୍ୟାଗରେ ସେମାନଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ବିଶେଷ କରି ପାଚନ କ୍ରିୟା ଏଥିଯୋଗୁ ପ୍ରଭାବିତ ହୋଇଥାଏ। ଏହା ବ୍ୟତୀତ, ମୁଣ୍ଡବିନ୍ଧା, ପେଟରେ ଗ୍ୟାସ୍ ହେବା, ବାନ୍ତି ଲାଗିବା, ଭୋକ ନ ହେବା ଭଳି ସମସ୍ୟା ମଧ୍ୟ ଦେଖା ଦେଇଥାଏ। ବେଳେବେଳେ କୋଷ୍ଠକାଠିନ୍ୟ ସମସ୍ୟା ଏତେ ଯନ୍ତ୍ରଣାଦାୟକ ହୋଇଥାଏ ଯେ ଏଥିରୁ ମୁକ୍ତି ପାଇବା ପାଇଁ ଆମକୁ ଔଷଧ ଖାଇବାକୁ ପଡ଼ିଥାଏ। କିନ୍ତୁ ସବୁବେଳେ ଔଷଧ ଖାଇବା ଏହାର ସମାଧାନ ନୁହେଁ, ତେଣୁ ଆଜି ଆମେ ଆପଣଙ୍କୁ କିଛି ପ୍ରଭାବଶାଳୀ ଘରୋଇ ଉପାୟ ବିଷୟରେ କହିବୁ, ଯାହାକୁ ଆପଣାଇ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ।
କୋଷ୍ଠକାଠିନ୍ୟରୁ ମୁକ୍ତି ପାଇବାର ଘରୋଇ ଉପାୟ
ଖୁବ୍ ପାଣି ପିଅନ୍ତୁ: ଶରୀରରେ ପାଣିର ଅଭାବ ଦେଖାଦେଲେ କୋଷ୍ଠକାଠିନ୍ୟ ସମସ୍ୟା ବାହାରିଥାଏ। ତେଣୁ ଆପଣ ଦିନକୁ ପର୍ଯ୍ୟାପ୍ତ ମାତ୍ରାରେ ପାଣି ହିଁ ପିଅନ୍ତୁ।
ଲେମ୍ବୁ ପାଣି: ଲେମ୍ବୁ ରସ ପାଚନ ତନ୍ତ୍ରକୁ ଠିକ୍ କରିବାରେ ସାହାଯ୍ୟ କରିଥାଏ। ଏହାଦ୍ୱାରା ଶରୀରରେ ଥିବା ବିଷାକ୍ତ କଣିକା ବାହାରି ଯାଇଥାଏ। ବିଶେଷ କରି ସକାଳ ସମୟରେ ଲେମ୍ବୁ ପାଣି କିମ୍ବା ଲେମନ୍ ଟି’ ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାରୁ ଆରାମ ମିଳି ପାରିଥାଏ।
ପାଳଙ୍ଗ: କୋଷ୍ଠକାଠିନ୍ୟରୁ ମୁକ୍ତି ପାଇବା ପାଇଁ ଆପଣ ନିଜ ଡାଏଟ୍ରେ ପାଳଙ୍ଗ ନିଶ୍ଚୟ ସାମିଲ କରନ୍ତୁ। ଏଥିରେ ଫାଇବର, ପୋଟାସିୟମ୍, ଆଇରନ ଓ ମ୍ୟାଗ୍ନେସିୟମ୍ ଭରପୂର ମାତ୍ରାରେ ରହିଛି, ଯାହାକି ଏହି ସମସ୍ୟାରୁ ରକ୍ଷା କରି ପାରିବ।
ଦହି: ଦହିରେ ଭରପୂର ମାତ୍ରାରେ କ୍ୟାଲସିୟମ୍ ଓ ଫାଇବର ରହିଛି, ଯାହାକି କୋଷ୍ଠକାଠିନ୍ୟ ସମସ୍ୟାରୁ ଛୁଟକାରା ଦେଇ ପାରିବ। ଦହିରେ ଥିବା ପ୍ରୋବାୟୋଟିକ୍ସ ଏବଂ ଭଲ ବ୍ୟାକ୍ଟେରିଆ ମଳତ୍ୟାଗ କରିବାରେ ସହାୟକ ହୋଇ ପାରନ୍ତି।
ହର୍ବାଲ ଟି’: କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ହର୍ବାଲ ଟି’ ପ୍ରସ୍ତୁତ କରି ପିଇ ପାରିବେ। ଏହି ହର୍ବାଲ ଟି’ରେ ଆପଣ ପୋଦିନା ଓ ଅଦା ମଧ୍ୟ ପକାଇ ପାରିବେ।
କିସ୍ମିସ୍: କିସ୍ମିସ୍ ଖାଇ ମଧ୍ୟ ଆପଣ କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରି ପାରିବେ। ଏଥିପାଇଁ ଆପଣ କିସ୍ମିସ୍କୁ କିଛି ସମୟ ପାଣିରେ ବୁଡ଼ାଇ ରଖି ଦିଅନ୍ତୁ। ଏହା ଫୁଲିଯିବା ପରେ ଏହାକୁ ଚୋବାଇ ଖାଆନ୍ତୁ।
ଅଞ୍ଜିର: କୋଷ୍ଠକାଠିନ୍ୟ ସମସ୍ୟା ଥିଲେ ଅଞ୍ଜିର ଆପଣଙ୍କ ପାଇଁ ବହୁତ ଲାଭଦାୟକ ହୋଇପାରେ। ଏଥିରେ ଭଲ ମାତ୍ରାରେ ଫାଇବର ରହିଛି, ଯାହା ମଳତ୍ୟାଗ ପ୍ରକ୍ରିୟାକୁ ଆହୁରି ସହଜ କରି ଦେଇଥାଏ।