ଆପଣଙ୍କ ପିଲାର ବି ରହିଛି କି ପେଟେଇକି ପଢ଼ିବା ଅଭ୍ୟାସ! ଦେଖାଦେଇପାରେ ଏସବୁ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା

ଛୋଟ ପିଲାମାନେ ନିଷ୍ପାପ ଓ ଅବୋଧ ହୋଇଥାନ୍ତି। ପିଲା ବେଳୁ ତାଙ୍କୁ ଯେମିତି ଶିକ୍ଷା ଦିଆଯାଏ ବଡ଼ ହେଲେ ସେମାନେ ସେହିଭଳି ହୋଇଥାନ୍ତି। ଏଣୁ ପିଲାଙ୍କୁ ଛୋଟବେଳୁ ହିଁ ଭଲ ଶିକ୍ଷା ଦେବା ଉପରେ ବାପା-ମା’ ମାନେ ଗୁରୁତ୍ୱ ଦେଇଥାନ୍ତି। ତେବେ ସାଧାରଣତଃ ଦେଖାଯାଏ ଯେ ଛୋଟ ପିଲାମାନେ ପେଟେଇକି ସବୁ କାମ କରିଥାନ୍ତି। ପେଟେଇକି ଖେଳିଥାନ୍ତି, ପଢ଼ିଥାନ୍ତି ଏମିତିକି କିଛି ପିଲା ପେଟେଇକି ଖାଦ୍ୟ ବି ଖାଇଥାନ୍ତି। କିନ୍ତୁ ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ ପିଲାଙ୍କର ଏହି ଅଭ୍ୟାସ ସେମାନଙ୍କ ପାଇଁ ସମସ୍ୟା ଉପୁଜାଇପାରେ। ଏହା ଦ୍ୱାରା କେତେକ ଶାରୀରିକ ସମସ୍ୟା ବି ଦେଖାଯାଇଥାଏ। ତେବେ ଆସନ୍ତୁ ଜାଣିବା ଅଧିକ ସମୟ ପେଟେଇବା ଦ୍ୱାରା କି କି ଅସୁବିଧା ଦେଖାଦିଏ…

ବେକରେ ସମସ୍ୟା ହୋଇପାରେ:

ଦୀର୍ଘ ସମୟ ଧରି ପେଟେଇ ପଢ଼ିବା କିମ୍ବା ଖାଇବା ଦ୍ୱାରା ବେକରେ ପୀଡ଼ା ହୋଇଥାଏ। ଏଭଳି ପୋଜିସନ୍‌ରେ ଅଧିକ ସମୟ ରହିଲେ ବେକ ବିନ୍ଧା ହେବା ସହ ଦରଜ ହୋଇଯାଏ। ଏମିତି ପୋଜିସନ୍‌ରେ ବସୁଥିବା ପିଲାଙ୍କର ସ୍ପାଇନାଲ କର୍ଡ ଉପରେ କୁ-ପ୍ରଭାବ ପଡ଼େ। ଏଣୁ ଯଦି ଆପଣଙ୍କ ପିଲା ଅଧିକ ସମୟ ପେଟେଇ ରହୁଛି, ତେବେ ତାକୁ ଉଠି ବସିବାକୁ କୁହନ୍ତୁ କିମ୍ବା ପୋଜିସନ୍‌ ବଦଳାଇବାକୁ କୁହନ୍ତୁ।

ଆଖି ଉପରେ ପଡ଼େ କୁ-ପ୍ରଭାବ:

ଅଧକ ସମୟ ଧରି ପେଟେଇ ରହି ପଢ଼ିଲେ ପିଲାଙ୍କ ଆଖି ଉପରେ ମଧ୍ୟ କୁ-ପ୍ରଭାବ ପଡ଼େ। ଏମିତି ପଢ଼ିବା ଦ୍ୱାରା ବହି ଓ ଆଖି ମଧ୍ୟରେ ଠିକ୍‌ ଦୂରତା ରହିପାରିନଥାଏ। ଫଳରେ ଆଖି ଉପରେ ଚାପ ପଡ଼େ। ଏହା ଦ୍ୱାରା ଧୀରେ ଧୀରେ ଆଖିର ଦୃଷ୍ଟି ଶକ୍ତି କମେ ଓ ଆଖି ଦୁର୍ବଳ ହୋଇଯାଏ।

ହଜମ କ୍ରିୟା ପ୍ରଭାବିତ ହୁଏ:

ଅଧିକ ସମୟ ପେଟେଇ ରହିବା ଦ୍ୱାରା ଶରୀରର ହଜମ କ୍ରିୟା ପ୍ରଭାବିତ ହୋଇଥାଏ। ଏହା ମେଟାବଲିଜିମ୍‌ ଉପରେ ମଧ୍ୟ କୁ-ପ୍ରଭାବ ପକାଇଥାଏ। ଏହା ଦ୍ୱାରା କୋଷ୍ଠ କାଠିନ୍ୟ, ବଦହଜମି ଆଦି ସମସ୍ୟା ଦେଖାଦିଏ। ଏଥିସହ ପିଲାଙ୍କ ଓଜନ ମଧ୍ୟ ବଢ଼େ। ଏହା ଛୋଟ ପିଲାଙ୍କ ଭୋକକୁ ବି ପ୍ରଭାବିତ କରିଥାଏ।