ପାକିସ୍ତାନ : ଫ୍ରାନ୍ସ ବିରୋଧୀ ହିଂସାରେ ୧୩ ମୃତ

ଇସ୍‌ଲାମବାଦ :  ପାକିସ୍ତାନରେ ଫ୍ରାନ୍ସ ବିରୋଧୀ ହିଂସା ଉଗ୍ର ରୂପ ଧାରଣ କରିଛି । ଏହି ହିଂସାକାଣ୍ଡରେ ୧୨ ଜଣ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ପୋଲିସ ନିହତ ହୋଇଛନ୍ତି । ଗତ ସୋମବାର ଠାରୁ ପାକିସ୍ତାନରେ ଏହି ହିଂସା ଆରମ୍ଭ ହୋଇଛି । ଏହି ହିଂସାରେ ପ୍ରାୟ ୪୦ ଜଣ ଆହତ ହୋଇଥିବା ଜଣାଯାଇଛି । ଏହା ପାକିସ୍ତାନର ବିଭିନ୍ନ ସହରକୁ ବ୍ୟାପିବାରେ ଲାଗିଛି । ପାକିସ୍ତାନରେ ଏହି ହିଂସା ଉଗ୍ର ରୂପ ଧାରଣ କରିବା ପରେ ଫ୍ରାନ୍ସ ସରକାର ନିଜ ନାଗରିକମାନଙ୍କୁ ପାକିସ୍ତାନ ଛାଡ଼ି ପଳାଇ ଆସିବାକୁ ପରାମର୍ଶ ଦେଇଛନ୍ତି ।

ପାକିସ୍ତାନରେ ଅବସ୍ଥାପିତ ଫ୍ରାନ୍ସ ରାଷ୍ଟଦୂତଙ୍କୁ ବହିଷ୍କାର କରିବା ସହ ଫ୍ରାନ୍ସ ସହ ବାଣିଜ୍ୟ କାରବାର ବନ୍ଦ କରିବାକୁ ମୌଳବାଦୀ ସଂସ୍ଥା ତେହେରିକ-ଇ-ଲବାଇବ ପାକିସ୍ତାନ (ଟିଏଲପି) ପକ୍ଷରୁ ଦେଶବ୍ୟାପି ଏହି ଆନ୍ଦୋଳନ କରାଯାଉଛି । ଗତ ବର୍ଷ ଫ୍ରାନ୍ସର ପ୍ୟାରିସଠାରେ ପ୍ରକାଶିତ ବିବାଦୀୟ କାର୍ଟୁନକୁ ଟିଏଲପି ପକ୍ଷରୁ ବିରୋଧ କରାଯାଉଛି ।

ଏହି କାର୍ଟୁନରେ ଇସଲାମର ଅବମାନନା କରାଯାଇଥିବା କୁହାଯାଉଛି ।
ହିଂସା ପରେ ପାକ୍‌ ସରକାର ଟିଏଲ୍‌ପିକୁ ନିଷିଦ୍ଧ ଘୋଷଣା କରିବା ସହ ଏହାର ମୁଖ୍ୟ ସାଦ ହୁସେନ୍‌ ରିଜଭିଙ୍କୁ ଗିରଫ କରିଛି । ଗତ ନଭେମ୍ବରରେ ମଧ୍ୟ ଟିଏଲ୍‌ପି ପାକିସ୍ତାନରେ ହିଂସାତ୍ମକ କାର୍ଯ୍ୟକଳାପ ଜାରି ରଖିଥିଲା ।

Leave A Reply

Your email address will not be published.