ପଞ୍ଜାବ ସରକାରଙ୍କ ବଡ଼ ଘୋଷଣା, ବିନା ପରୀକ୍ଷାରେ ସବୁ ହେବେ ମାଟ୍ରିକ ପାସ୍‌

ଚଣ୍ଡିଗଡ଼ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ପଞ୍ଜାବରେ ଏଥର ସରକାର ପିଲାଙ୍କ ପରୀକ୍ଷା ନେଇ ଏକ ବଡ଼ ଘୋଷଣା କରିଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଫଳରେ ପଞ୍ଚମ, ଅଷ୍ଟମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ବିନା ପରୀକ୍ଷାରେ ଏଥର ଉତ୍ତୀର୍ଣ୍ଣ ହେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ତେବେ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ସରକାର କିଛି ନିଷ୍ପତ୍ତି ନେଇ ନାହାଁନ୍ତି । ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ପଞ୍ଜାବରେ ଏପ୍ରିଲ ୩୦ ତାରିଖ ଯାଏ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ।

ପ୍ରକାଶଯୋଗ୍ୟ ଯେ ପଞ୍ଜାବରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ୪ଟି ବିଷୟରେ ପରୀକ୍ଷା ଦେଇ ସାରିଛନ୍ତି । କେବଳ ଗୋଟିଏ ବିଷୟରେ ପରୀକ୍ଷା ବାକି ରହିଛି। ପଞ୍ଜାବ ଶିକ୍ଷାବୋର୍ଡ ଏହି ୪ ଟି ବିଷୟକୁ ନେଇ ମିଳିବାକୁ ଥିବା ମାର୍କ ଆଧାରରେ ପିଲାମାନଙ୍କ ପରୀକ୍ଷା ଫଳ ଘୋଷଣା କରିବ । ସେହିପରି ଅଷ୍ଟମ ଓ ଦଶମ ଶ୍ରେଣୀ ପିଲାମାନେ ଦେଇଥିବା ପ୍ରି ବୋଡ ଓ ଇଣ୍ଟରନାଲ ପରୀକ୍ଷାରେ ରଖିଥିବା ମାର୍କ ଆଧାରରେ ସେମାନଙ୍କର ପରୀକ୍ଷା ଫଳ ଘୋଷଣା କରାଯିବ ।

ପଞ୍ଜାବରେ କରୋନା ସ୍ଥିତି ଏବେ ଗମ୍ଭୀର ରୂପ ଧାରଣ କରିଥିବାରୁ ସରକାର ନାଇଟ କର୍ଫ୍ୟୁ ଓ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ।

Leave A Reply

Your email address will not be published.