ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ବାହାଦୂରୀ ଦେଖାଇଲା ୧୧ ବର୍ଷର ବାଳକ; ବିନା ଡରରେ କଲା ୧୦୦୦ କିଲୋମିଟର ଯାତ୍ରା!

ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ଅନେକ କାହାଣୀ ସାମ୍ନାକୁ ଆସୁଛି। ଏଥିମଧ୍ୟରୁ କିଛି ସାହସିକତା ଉପରେ ରହିଛି ତ ଆଉ କିଛି ଲୋକଙ୍କୁ ଭାବପ୍ରବଣ କରି ଦେଉଛି। ଏଭଳି ହିଁ ଏକ ସାହସିକତାର କାହାଣୀ ସ୍ଲୋଭାକିଆରୁ ସାମ୍ନାକୁ ଆସିଛି, ଯେଉଁଠି ୧୧ ବର୍ଷର ଜଣେ ୟୁକ୍ରେନ ବାଳକ ଏକାକୀ ୧୦୦୦ କିଲୋମିଟର ଯାତ୍ରା କରି ସ୍ଲୋଭାକିଆରେ ପହଞ୍ଚିଥିଲେ। ସ୍ଲୋଭାକିଆ ମନ୍ତ୍ରଣାଳୟ ବାଳକର ଫଟୋ ସୋସିଆଲ ମିଡିଆରେ ସେୟାର କରିଛି।

ସୂଚନା ମୁତାବକ, ୧୧ ବର୍ଷର ଏହି ବାଳକ ଦକ୍ଷିଣ-ପୂର୍ବ ୟୁକ୍ରେନର ଜାପୋରିଜିୟାର ବାସିନ୍ଦା, ଯେଉଁଠି ଗତ ସପ୍ତାହରେ ରୁଷୀୟ ସେନା ଦ୍ୱାରା ପାଓ୍ଵାର ପ୍ଲାଣ୍ଟ ଦଖଲ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଅସୁସ୍ଥ ସମ୍ପର୍କୀୟଙ୍କ ଦେଖାଶୁଣା ପାଇଁ ତାଙ୍କ ମାଆ, ବାପାଙ୍କୁ ୟୁକ୍ରେନରେ ରହିବାକୁ ପଡିଲା। ତେଣୁ ସେ ଏକୁଟିଆ ସ୍ଲୋଭାକିଆରେ ପହଞ୍ଚିଥିଲେ। ଏହି ଯାତ୍ରା ସମୟରେ ବାଳକଟି ପାଖରେ ଏକ ବ୍ୟାଗ ଏବଂ ମା’ଙ୍କ ନୋଟ୍ ଥିଲା, ଯେଉଁଥିରେ ଏକ ଟେଲିଫୋନ୍ ନମ୍ବର ଲେଖା ଯାଇଥିଲା।

ସ୍ଲୋଭାକିଆ ମନ୍ତ୍ରଣାଳୟ ଫେସବୁକରେ ବାଳକର ଫଟୋ ସେୟାର କରି ଲେଖିଛି ଯେ ‘ଜାପୋରିଜିୟାର ଜଣେ ବାଳକ ୟୁକ୍ରେନରୁ ସ୍ଲୋଭାକିଆ ସୀମା ଦେଇ ଆସିଥିଲେ। ତାଙ୍କ ହାତରେ ଏକ ପ୍ଲାଷ୍ଟିକ୍ ବ୍ୟାଗ୍, ପାସପୋର୍ଟ ଏବଂ ଫୋନ୍ ନମ୍ବର ଲେଖା ଯାଇଥିଲା। ସେ ଏକୁଟିଆ ଆସିଥିଲେ, କାହିଁକି ନା, ତାଙ୍କ ମାଆ, ବାପାଙ୍କୁ ୟୁକ୍ରେନରେ ହିଁ ରହିବାର ଥିଲା। ଏଠାରେ ସ୍ୱେଚ୍ଛାସେବୀମାନେ ତାଙ୍କର ଦେଖାଶୁଣା କରିଥିଲେ। ତାଙ୍କୁ ଉଷ୍ମ ସ୍ଥାନକୁ ନେଇ ଖାଦ୍ୟ ଓ ପାନୀୟ ଦେଇଥିଲେ’।

ମନ୍ତ୍ରଣାଳୟ ଆହୁରି କହିଥିଲା କି, ‘ପିଲାଟି ନିଜ ହସ ଏବଂ ଜଣେ ପ୍ରକୃତ ହିରୋ ହେବା ସଂକଳ୍ପରେ ସମସ୍ତଙ୍କ ହୃଦୟ ଜିତି ନେଇଥିଲା। ହାତରେ ନମ୍ବର ଏବଂ ପାସପୋର୍ଟରେ ଏକ କାଗଜ ଖଣ୍ଡ ପାଇଁ ଧନ୍ୟବାଦ, ଯଦ୍ଦ୍ଵାରା ଏଠାକାର ଲୋକେ ପିଲାର ବାପା, ମାଆଙ୍କୁ ଯୋଗାଯୋଗ କରି ପାରିଲେ। ଏହିପରି ଏକ ଭଲ କାହାଣୀ ସମାପ୍ତ ହେଲା’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.