ପାକିସ୍ତାନ: କୋଇଲା ଖଣିରେ ମିଥେନ୍‌ ଗ୍ୟାସ୍‌ ବିସ୍ଫୋରଣ, ଦୁର୍ଘଟଣାରେ ୧୨ ଶ୍ରମିକ ମୃତ

ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ମିଥେନ୍‌ ଗ୍ୟାସ୍‌ ବିସ୍ଫୋରଣର ଏକ ଖବର ସାମ୍ନାକୁ ଆସିଛି । ଏହି ବିସ୍ଫୋରଣରେ କୋଇଲା ଖଣି ଭୁଶୁଡ଼ି ପଡ଼ିବାରୁ ଏହା ତଳେ ଚାପି ହୋଇ ୧୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ।

ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ମିଥେନ୍‌ ଗ୍ୟାସ୍‌ ବିସ୍ଫୋରଣର ଏକ ଖବର ସାମ୍ନାକୁ ଆସିଛି । ଏହି ବିସ୍ଫୋରଣରେ କୋଇଲା ଖଣି ଭୁଶୁଡ଼ି ପଡ଼ିବାରୁ ଏହା ତଳେ ଚାପି ହୋଇ ୧୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରୁ ୮ ଜଣଙ୍କୁ ଉଦ୍ଧାର କରାଯାଇଛି । ବୁଧବାର ପାକ୍‌ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି ।

ପାକିସ୍ତାନର ଡନ୍ ଖବରକାଗଜରେ ପ୍ରକାଶିତ ଖବର ମୁତାବକ, ଏହି ଘଟଣା ହରନାଇ ଜିଲ୍ଲାର ଜରଦାଲୋ ଅଞ୍ଚଳରେ ଘଟିଛି । ବଲୁଚିସ୍ତାନର ମୁଖ୍ୟ ଖଣି ନିରୀକ୍ଷକ ଅବଦୁଲ ଗନି ବାଲୋଚ କହିଛନ୍ତି ଯେ ରାତିରେ ମିଥେନ ଗ୍ୟାସ ବିସ୍ଫୋରଣ ଘଟିଥିଲା । ଏହି ସମୟରେ ଖଣିରେ ୨୦ ଜଣ ଶ୍ରମିକ କାମ କରୁଥିଲେ ।

ବୁଧବାର ସକାଳ ସୁଦ୍ଧା ଘଟଣାସ୍ଥଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ଏହି ସମୟ ମଧ୍ୟରେ ଉଦ୍ଧାରକାରୀ ଦଳ ୧୨ଟି ମୃତଦେହ ଉଦ୍ଧାର କରିଥିବା ବେଳେ ୮ ଜଣଙ୍କୁ ସୁରକ୍ଷିତ ବାହାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ବାଲୋଚଙ୍କ ମୁତାବକ, ରାତିରେ ଦୁଇଟି ମୃତଦେହ ଉଦ୍ଧାର ହୋଇଥିବା ବେଳେ ସକାଳେ ଆଉ ୧୦ଟି ମୃତଦେହ ମିଳିଥିଲା ।

ସେପଟେ ଏହି ଦୁର୍ଘଟଣାରେ ଶ୍ରମିକମାନଙ୍କ ମୃତ୍ୟୁରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଆହତ ଶ୍ରମିକମାନଙ୍କୁ ସମସ୍ତ ସମ୍ଭାବ୍ୟ ଚିକିତ୍ସା ଯୋଗାଇଦେବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.