ପାକିସ୍ତାନରୁ ଆସିଥିବା ୧୭ ହିନ୍ଦୁ ଶରଣାର୍ଥୀଙ୍କୁ ମିଳିଲା ଭାରତର ନାଗରିକତ୍ୱ, ୭ରୁ ଅଧିକ ବର୍ଷ ଧରି ଅଛନ୍ତି ଗୁଜରାଟରେ..

ପାକିସ୍ତାନରୁ ଗୁଜରାଟ ଆସିଥିବା ୧୭ ହିନ୍ଦୁ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତ୍ୱ ମିଳିଛି। ଶନିବାର ପ୍ରଶାସନ ଏକ ଅଫିସିଆଲ ପ୍ରେସ ବିଜ୍ଞପ୍ତି ଜାରି କରି କହିଛି ଯେ ଅହମ୍ମଦାବାଦ କଲେକ୍ଟର ସନ୍ଦୀପ ସାଗଲେ ପାକିସ୍ତାନରୁ ଆସିଥିବା ୧୭ ହିନ୍ଦୁଙ୍କୁ ନାଗରିକତ୍ୱ ସମ୍ବନ୍ଧୀୟ ଦସ୍ତାବିଜ୍ ପ୍ରଦାନ କରିଛନ୍ତି। ଏହି ସମୟରେ କଲେକ୍ଟର ଶରଣାର୍ଥୀମାନଙ୍କ ସହିତ କଥାବାର୍ତ୍ତା କରିଥିଲେ। ଆଉ ଶରଣାର୍ଥୀମାନେ ଅହମ୍ମଦାବାଦ ଜିଲ୍ଲା ପ୍ରଶାସନକୁ ସେମାନଙ୍କୁ ଶୀଘ୍ର ଭାରତୀୟ ନାଗରିକତ୍ୱ ପ୍ରଦାନ କରିଥିବାରୁ ଧନ୍ୟବାଦ ଜଣାଇଥିଲେ। ଶରଣାର୍ଥୀମାନେ କହିଥିଲେ କି, ସେମାନେ ସମସ୍ତେ ଭାରତରେ ଶାନ୍ତି ଅନୁଭବ କରୁଛନ୍ତି।

୭ରୁ ଅଧିକ ବର୍ଷ ହେବ ରହୁଛନ୍ତି ଗୁଜରାଟରେ

ଅହମ୍ମଦାବାଦ ଜିଲ୍ଲା ପ୍ରଶାସନ କହିଛି ଯେ ନାଗରିକତ୍ୱ ଅଧିନିୟମ ଅନୁସାରେ, ୭ କିମ୍ବା ଏହାଠୁ ଅଧିକ ବର୍ଷ ଧରି ଭାରତରେ ରହୁଥିବା ବିଦେଶୀ ନାଗରିକମାନଙ୍କୁ ସାମ୍ବିଧାନିକ ପ୍ରକ୍ରିୟା ପାଳନ କରିବା ପରେ ନାଗରିକତ୍ୱ ପ୍ରଦାନ ପାଇଁ ବିଚାର କରାଯାଇଥାଏ। ପାକିସ୍ତାନରୁ ଆସିଥିବା ଏ ସମସ୍ତ ହିନ୍ଦୁଙ୍କୁ ଏଠାରେ ରହିବାରେ ୭ରୁ ଅଧିକ ବର୍ଷ ହୋଇଯାଇଥିଲା। ଏମିତିରେ ସେମାନଙ୍କୁ ନାଗରିକତ୍ୱ ଦିଆଯାଇଛି।

କହି ରଖୁଛୁ, ୨୨ ଡିସେମ୍ବର ୨୦୨୧ରେ ଗୃହ ମନ୍ତ୍ରଣାଳୟ ରାଜ୍ୟସଭାରେ କହିଥିଲା ଯେ ଅନଲାଇନ୍ ମଡ୍ୟୁଲ୍ ମୁତାବକ, ୧୪ ଡିସେମ୍ବରରୁ ଗୃହ ମନ୍ତ୍ରାଳୟ ପାଖରେ ୧୦,୬୩୫ ଆବେଦନ ପେଣ୍ଡିଙ୍ଗ୍ ରହିଛି। ଅନ୍ୟ ଦେଶରୁ ଆସିଥିବା ଲୋକଙ୍କ ତରଫରୁ ଭାରତୀୟ ନାଗରିକତ୍ୱ ପାଇଁ ଏହି ଆବେଦନଗୁଡ଼ିକ ବିଚାରାଧୀନ ରହିଛି। ସେଥିମଧ୍ୟରୁ ୭,୩୦୬ ଆବେଦନ ପାକିସ୍ତାନରୁ ଆସିଥିବା ହିନ୍ଦୁମାନଙ୍କର ଥିଲା।