ତାଇଓ୍ଵାନରେ ଶକ୍ତିଶାଳୀ ଭୂମିକମ୍ପରେ ନିଖୋଜ ୨ ଭାରତୀୟ ସୁରକ୍ଷିତ: କେନ୍ଦ୍ର ସରକାର
ତାଇୱାନରେ ୨୫ ବର୍ଷ ମଧ୍ୟରେ ଏପ୍ରିଲ ୩ରେ ଆସିଥିବା ଭୂମିକମ୍ପ ସବୁଠାରୁ ଶକ୍ତିଶାଳୀ ଥିଲା । ଏହି ଭୟଙ୍କର ଭୂମିକମ୍ପରେ ପ୍ରାୟ ୧୦ ଜଣ ପ୍ରାଣ ହରାଇଥିବା ବେଳେ ୭୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ତାଇୱାନରେ ୨୫ ବର୍ଷ ମଧ୍ୟରେ ଏପ୍ରିଲ ୩ରେ ଆସିଥିବା ଭୂମିକମ୍ପ ସବୁଠାରୁ ଶକ୍ତିଶାଳୀ ଥିଲା । ଏହି ଭୟଙ୍କର ଭୂମିକମ୍ପରେ ପ୍ରାୟ ୧୦ ଜଣ ପ୍ରାଣ ହରାଇଥିବା ବେଳେ ୭୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏଥିରେ ଅନେକ ଲୋକ ନିଖୋଜ ଥିବା ମଧ୍ୟ କୁହାଯାଉଛି, ଯେଉଁଥିରେ ଦୁଇ ଭାରତୀୟ ମଧ୍ୟ ସାମିଲ ଥିଲେ ।
ତେବେ ବର୍ତ୍ତମାନ ଉଭୟ ଭାରତୀୟ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି । ମନ୍ତ୍ରଣାଳୟ କହିଛି ଯେ ତାଇୱାନ ଭୂମିକମ୍ପ ପରେ ନିଖୋଜ ଥିବା ଦୁଇ ଭାରତୀୟ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି ।
ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜୟସୱାଲ ନିଜର ସାପ୍ତାହିକ ବ୍ରିଫିଙ୍ଗ୍ରେ କହିଛନ୍ତି ଯେ ଭୂମିକମ୍ପ ପରେ ଆମେ ଦୁଇ ଜଣଙ୍କ ସହ ସମ୍ପର୍କ ସ୍ଥାପନ କରି ପାରିଲୁ ନାହିଁ, କିନ୍ତୁ ଏବେ ଆମେ ଯୋଗାଯୋଗ କରିଛୁ, ଉଭୟ ସୁରକ୍ଷିତ ଅଛନ୍ତି ।
କହି ରଖୁଛୁ, ତାଇୱାନରେ ୭.୨ ତୀବ୍ରତାର ଭୂମିକମ୍ପ ଆସିଥିଲା, ଯାହା କି, ବିଗତ ୨୫ ବର୍ଷ ମଧ୍ୟରେ ଆସିଥିବା ଏ ପର୍ଯ୍ୟନ୍ତର ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ ଥିଲା । ଏଥିରେ ଅନେକ ବଡ଼ ବଡ଼ ବିଲ୍ଡିଂ ନଷ୍ଟ ହୋଇଯାଇଛି । ଏହି ଭୂମିକମ୍ପର ଝଟ୍କା ଜାପାନ ଏବଂ ଫିଲିପାଇନ୍ସରେ ମଧ୍ୟ ଅନୁଭୂତ ହୋଇଥିଲା ।
ଭୂମିକମ୍ପରେ ନିଖୋଜ ଥିବା ଏକାଧିକ ଲୋକଙ୍କୁ ଖୋଜାଖୋଜି ଚାଲିଛି । ଭୂମିକମ୍ପ ଯୋଗୁ ଜାପାନ ଏବଂ ଫିଲିପାଇନ୍ସରେ ସୁନାମି ଚେତାବନୀ ଦିଆଯାଇଥିଲା । ରାତି ସାରା ହୁଆଲିଏନ୍ରେ ଭୂମିକମ୍ପର ଅନେକ ଝଟ୍କା ଅନୁଭବ କରାଯାଇଥିଲା, ସେଥି ମଧ୍ୟରୁ କିଛି ଝଟ୍କା ୧୫୦ କିଲୋମିଟର ଦୂର ତାଇପେଇରେ ମଧ୍ୟ ଅନୁଭୂତ ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ବିଦ୍ୟାଳୟଗୁଡ଼ିକୁ ମଧ୍ୟ ଖାଲି କରି ଦିଆଯାଇଥିଲା ।
ଭାରତୀୟ ସମୟ ମୁତାବକ, ତାଇୱାନରେ ବୁଧବାର ସକାଳ ୫ଟା ୩୦ (ସ୍ଥାନୀୟ ସମୟ ସକାଳ ୮ଟା) ରେ ଭୂମିକମ୍ପ ଆସିଥିଲା ।