ଚୀନରେ ଜିନପିଙ୍ଗଙ୍କ ନୂଆ ଅଧ୍ୟାୟ, ଲଗାତାର ତୃତୀୟ ଥର ପାଇଁ ରାଷ୍ଟ୍ରପତି ପଦରେ ରହିଲେ ସି ଜିନପିଙ୍ଗ

ନୂଆଦିଲ୍ଲୀ : ଚୀନରେ ଆରମ୍ଭ ହୋଇଛି ଜିନ୍ପିଙ୍ଗଙ୍କ ନୂଆ ଅଧ୍ୟାୟ। ଲଗାତାର ତୃତୀୟ ଥର ପାଇଁ ରାଷ୍ଟ୍ରପତି ପଦରେ ରହିଲେ ସି ଜିନପିଙ୍ଗ। ଦଳର ପ୍ରତିଷ୍ଠାତା ମାଓ-ସେ-ତୁଙ୍ଗଙ୍କ ପରେ ପ୍ରଥମ ନେତା ଭାବେ ତୃତୀୟ ଥର ଦେଶର ସର୍ବୋଚ୍ଚ ପଦବୀରେ ରହିବେ ଜିନ୍ପିଙ୍ଗ। ଏକସପ୍ତାହ ବ୍ୟାପୀ ସିପିସିର ମହାସମ୍ମିଳନୀରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ବିଶେଷ ଅଧିକାର ପ୍ରଦାନ କରିଛି। ଏହାସହ ନିଜ ସମ୍ବିଧାନରେ ପରିବର୍ତ୍ତନ ସହ ବହୁ ନିୟମ ପ୍ରଣୟନ କରିଛି। ୨୦୧୨ରେ ଜିନ୍ପିଙ୍ଗ କମ୍ୟୁନିଷ୍ଟ ପାର୍ଟିର ମହାସଚିବ ପଦରେ ଦାୟିତ୍ୱ ଗ୍ରହଣ କରିଥିଲେ।

ଏପଟେ ଚୀନରେ କମ୍ୟୁନିଷ୍ଟ ପାର୍ଟି ମହାସମ୍ମିଳନୀରେ ମହାଡ୍ରାମା ଦେଖାଯାଇଛି । ପୂର୍ବତନ ରାଷ୍ଟ୍ରପତି ହୁ ଜିଣ୍ଟାଓଙ୍କୁ ଜବରଦସ୍ତ ବୈଠକରୁ ବାହାର କରିଦେଇଛନ୍ତି ସୁରକ୍ଷା କର୍ମୀ। ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଉପସ୍ଥିତିରେ ଏହି ଅପ୍ରୀତିକର ଘଟଣା ଘଟିଛି। ସି ଜିନପିଙ୍ଗ ବାମ ପଟରେ ହୁ ଜିଣ୍ଟାଓ ବସିଥିବା ବେଳେ ସେଠାକୁ ଆସିଥିଲେ ସୁରକ୍ଷାକର୍ମୀ। ଏହା ପରେ ସୁରକ୍ଷାକର୍ମୀ ତାଙ୍କ ହାତ ଧରି ହଲ ବାହାରକୁ ନେଇଯାଇଥିଲେ।

ଜଣେ ନେତା ଜିଣ୍ଟାଓଙ୍କୁ କିଛି ବୁଝାଇବାକୁ ପ୍ରୟାସ କରୁଥିବା ବେଳେ ଅନ୍ୟ ଜଣେ ନେତା ଏହାକୁ ରୋକିଥିଲେ। ଚୀନର ପୂର୍ବତନ ରାଷ୍ଟ୍ରପତି ଭାବେ ୭୯ ବର୍ଷୀୟ ହୁ ଜିଣ୍ଟାଓ ଗ୍ରେଟ ହଲ୍ର ପ୍ରଥମ ଧାଡିରେ ରାଷ୍ଟ୍ରପତି ଜିନପିଙ୍ଗଙ୍କ ବାମରେ ବସିଥିଲେ। ସେହିପରି ଜିନ୍ପିଙ୍ଗଙ୍କ କଠୋର ବିରୋଧୀ ଭାବେ ଜଣାଶୁଣା ପ୍ରଧାନମନ୍ତ୍ରୀ ଲି କୋକିଆଙ୍ଗଙ୍କୁ ମଧ୍ୟ ସେଣ୍ଟ୍ରାଲ କମିଟିରୁ ବାହାର କରିଦିଆଯାଇଛି। ଏହା ସହ ଚୀନରେ ସି ଜିନପିଙ୍ଗଙ୍କ ରାସ୍ତା ନିଷ୍କଣ୍ଟକ ହୋଇଥିବା କୁହାଯାଇଛି।

କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନା-ସିପିସିର ୨୦ ତମ ଅଧିବେଶନରେ ତାଇୱାନକୁ ନେଇ ସ୍ୱତନ୍ତ୍ର ପ୍ରସ୍ତାବ ରଖାଯାଇଛି। ଚୀନର ସମ୍ବିଧାନରେ ତାଇୱାନର ସ୍ୱତନ୍ତ୍ରତାକୁ ବିରୋଧ କରି ପାରିତ ହୋଇଛି ପ୍ରସ୍ତାବ। ବୈଠକରେ ତାଇୱାନ ସ୍ୱାଧୀନତା ଦାବି କରୁଥିବା ନେତାମାନଙ୍କୁ ତୀବ୍ର ସମାଲୋଚନା କରାଯାଇଛି। ତାଇୱାନକୁ ନେଇ ଜିନପିଙ୍ଗଙ୍କ କଠୋର ଆଭିମୁଖ୍ୟ ଜାରି ରହିଛି । ତାଇୱାନକୁ ନିଜ ମାଟିରେ ମିଶାଇବାକୁ ଭାଷଣରେ କହିଛନ୍ତି ଜିନପିଙ୍ଗ।

ଚୀନ ସହ ତାଇୱାନର ଉତ୍ତେଜନା ମଧ୍ୟରେ ଆମେରିକା ନୌସେନା ମୁଖ୍ୟ ବଡ଼ ବୟାନ ରଖିଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ତାଇୱାନ ଉପରେ ଚୀନ ଆକ୍ରମଣ କରିପାରେ ବୋଲି ଚେତେଇଛନ୍ତି ୟୁଏସ ନେଭି ଚିଫ୍ ଆଡ୍ମିରାଲ ମାଇକ୍ ଗିଲ୍ଡୟ। ଚୀନର ଆକ୍ରମଣ ପାଇଁ ଆମେରିକା ସେନା ନିଶ୍ଚିତ ଭାବେ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। ସେପଟେ ତାଇୱାନ ଷ୍ଟ୍ରେଟ ସୀମାରେ ଚୀନ ଜାହାଜ ଓ ଯୁଦ୍ଧ ବିମାନର ଅନୁପ୍ରବେଶ ଜାରି ରହିଛି। ଆଜି ୩ଟି ପିଏଲଏ ବିମାନ ଓ ୩ଟି ଜାହାଜ ଅନୁପ୍ରବେଶ କରିଥିବା ବେଳେ ଗତକାଲି ୨୨ଟି ବିମାନ ଓ ୩ଟି ଜାହାଜ ଧସେଇ ପଶିଥିଲା।