ଦିଲ୍ଲୀରେ ଆଉ ଏକ ଲୋମହର୍ଷଣକାରୀ ଘଟଣା! ବ୍ରେକ୍‌ଅପ କରିବାରୁ ପ୍ରେମିକାକୁ ଛୁରାମାଡ଼ କଲା ପ୍ରେମିକ; ସିସିଟିଭିରେ କଏଦ ହେଲା ଦୃଶ୍ୟ

ଦିଲ୍ଲୀର ଆଦର୍ଶ ନଗରରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ଏଠାରେ ଜଣେ ପ୍ରେମିକ ନିଜ ପ୍ରେମିକାକୁ ଛୁରୀରେ ମରଣାନ୍ତକ ଆକ୍ରମଣ କରିଛି। ଦୁହିଁଙ୍କ ମଧ୍ୟରେ ବ୍ରେକ୍‌ଅପ ଯୋଗୁ ଯୁବକ ଜଣକ କ୍ରୋଧାନ୍ଵିତ ହୋଇ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ଏଭଳି ସମ୍ବେଦନଶୀଳ ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହେବା ପରେ ଲୋକଲୋଚନକୁ ଆସିଛି। ପ୍ରେମିକର ଛୁରାମାଡ଼ରେ ପ୍ରେମିକାର ବେକ, ପେଟ ଏବଂ ହାତରେ ଗମ୍ଭୀର ଆଘାତ ଲାଗିଛି। ପୀଡ଼ିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଠାରେ ବରିଷ୍ଠ ଡାକ୍ତରଙ୍କ ନେତୃତ୍ୱରେ ତାଙ୍କର ଚିକିତ୍ସା ଚାଲିଛି।

ସୂଚନା ଅନୁସାରେ, ୨ ଜାନୁଆରୀରେ ଆଦର୍ଶ ନଗର ଅଞ୍ଚଳରେ ଜଣେ ଯୁବତୀଙ୍କୁ ଛୁରାମାଡ଼ କରିବା ଅଭିଯୋଗରେ ୨୨ ବର୍ଷୀୟ ଯୁବକଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସୁଖୱିନ୍ଦର। ପୋଲିସ ସୂଚନା ମୁତାବକ, ଦୁହେଁ ସାଙ୍ଗ ଥିଲେ। କିନ୍ତୁ ପରେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ମତଭେଦ ହୋଇଥିଲା, ଯାହାକୁ ନେଇ ଅଭିଯୁକ୍ତ ଯୁବତୀଙ୍କୁ ଛୁରୀରେ ମରଣାନ୍ତକ ଆକ୍ରମଣ କରିଥିଲେ। ଘଟଣା ପରେ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ।

୨୧ ବର୍ଷୀୟା ଯୁବତୀ ନିଜ ପରିବାର ସହିତ ରୁହନ୍ତି ଏବଂ ଡିୟୁର ଏସ୍‌ଓଏଲ୍‌ରେ ସେ ବିଏ ପାଠ ପଢ଼ନ୍ତି। ଯୁବତୀ ଓ ଅଭିଯୁକ୍ତ ସୁଖୱିନ୍ଦରଙ୍କ ମଧ୍ୟରେ ବନ୍ଧୁତା ୫ ବର୍ଷ ତଳେ ହୋଇଥିଲା। କିନ୍ତୁ ତାଙ୍କ ପରିବାର ଲୋକେ ସୁଖୱିନ୍ଦରଙ୍କୁ ପସନ୍ଦ କରୁ ନ ଥିଲେ। ଏଥିପାଇଁ ଯୁବତୀ ଧୀରେ ଧୀରେ ତାଙ୍କଠାରୁ ଦୂରେଇ ଯିବା ଆରମ୍ଭ କରିଥିଲେ ଏବଂ ତାଙ୍କ ସହିତ କଥାବାର୍ତ୍ତା ମଧ୍ୟ କରୁ ନ ଥିଲେ।

ପୀଡିତା ଯୁବତୀ କହିଛନ୍ତି ଯେ ସେ ସୋମବାର ଅପରାହ୍ନରେ କାର ଡ୍ରାଇଭିଂ ଶିଖିବା ପାଇଁ ଘରୁ ବାହାରିଥିଲେ। ଏହି ସମୟରେ ସୁଖୱିନ୍ଦର ତାଙ୍କୁ କଥା ହେବା ବାହାନାରେ ଡାକିଥିଲେ। ଉଭୟେ କଥା ହୋଇ ହୋଇ ଗଳି ରାସ୍ତାରେ ଯାଉଥିଲେ। ଏହି ସମୟରେ ସୁଖୱିନ୍ଦର ତାଙ୍କୁ ବ୍ରେକ୍‌ଅପର କାରଣ ପଚାରିଥିଲେ। ଚାହୁଁ ଚାହୁଁ ସେ ଯୁବତୀଙ୍କ ବେକ, ପେଟ ଏବଂ ହାତକୁ ପ୍ରାୟ ୬ ଥର ଛୁରୀରେ ଆଘାତ କରିଥିଲେ।

ଏ ସମସ୍ତ ଦୃଶ୍ୟ ରାସ୍ତାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ଅଭିଯୁକ୍ତ ଯୁବତୀଙ୍କୁ ମୃତ ବୋଲି ଭାବି ସେଠାରୁ ଫେରାର ହୋଇ ଯାଇଥିଲେ। ପରେ ଆଖପାଖର ଲୋକେ ସେଠି ପହଞ୍ଚି ଯୁବତୀଙ୍କୁ ହସ୍ପିଟାଲ ନେଇ ଯାଇଥିଲେ। ତାଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି। ଘଟଣା ପରେ ଅଭିଯୁକ୍ତ ଦିଲ୍ଲୀରୁ ଅମ୍ବାଲା ଖସି ପଳାଇ ଯାଇଥିଲେ। ପୋଲିସ ଟିମ୍ ଅମ୍ବାଲା ପହଞ୍ଚି ତାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.