ୟୁପି: ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ବିଧାୟକ ରାମଦୁଲାର ଗୋଣ୍ଡଙ୍କୁ ୨୫ ବର୍ଷ ଜେଲ୍‌, ୧୦ ଲକ୍ଷ ଜରିମାନା

ଉତ୍ତର ପ୍ରଦେଶର ସୋନଭଦ୍ରରୁ ବିଜେପି ବିଧାୟକ ରାମଦୁଲାର ଗୋଣ୍ଡଙ୍କୁ ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। କୋର୍ଟ ବିଧାୟକଙ୍କୁ ୨୫ ବର୍ଷର ଜେଲ୍‌ ଦଣ୍ଡ ସହ ୧୦ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି।

ଉତ୍ତର ପ୍ରଦେଶର ସୋନଭଦ୍ରରୁ ବିଜେପି ବିଧାୟକ ରାମଦୁଲାର ଗୋଣ୍ଡଙ୍କୁ ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ସୋନଭଦ୍ରା ଜିଲ୍ଲାର ସ୍ୱତନ୍ତ୍ର ବିଚାରପତି ଏହସାନୁଲ୍ଲାହ ଖାନଙ୍କ କୋର୍ଟ (ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ) ଡିସେମ୍ବର ୧୨ରେ ଶୁଣାଣି ସମୟରେ ଗୋଣ୍ଡଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

କୋର୍ଟ ଦଣ୍ଡାଦେଶ ତାରିଖ ଭାବରେ ଡିସେମ୍ବର ୧୫କୁ ସ୍ଥିର କରିଥିଲେ। ଆଜି କୋର୍ଟ ବିଧାୟକ ରାମଦୁଲାର ଗୋଣ୍ଡଙ୍କୁ ୨୫ ବର୍ଷର ଜେଲ୍‌ ଦଣ୍ଡ ସହ ୧୦ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି।

ସୂଚନାଯୋଗ୍ୟ, ୨୦୧୪ ନଭେମ୍ବରରେ ମୋରପୁର ଥାନା ଅଧୀନ ଏକ ଗାଁର ମୁଖିଆ ଭାବରେ ବିଧାୟକଙ୍କ ପତ୍ନୀ ନିର୍ବାଚିତ ହୋଇଥିଲେ। ହେଲେ ନିର୍ବାଚନର କିଛି ସମୟ ପରେ ବିଧାୟକଙ୍କ ଉପରେ ନାବାଳିକାଙ୍କୁ ଦୁଷ୍କର୍ମ ନେଇ ଅଭିଯୋଗ ଲାଗିଥିଲା। ଏ ନେଇ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ ଦାଖଲ କରିଥିଲେ। ପାଖାପାଖି ୯ ବର୍ଷ ଧରି କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିଲା।

ଡିସେମ୍ବର ୧୨ରେ କୋର୍ଟ ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରି ତୁରନ୍ତ ଜେଲ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ କୋର୍ଟରୁ ହିଁ ବିଧାୟକଙ୍କୁ ହେପାଜତରେ ନେଇ ଜେଲକୁ ପଠାଇ ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.