ଅଷ୍ଟ୍ରେଲିଆ: ମିଳିତ ସୈନ୍ୟ ପ୍ରଶିକ୍ଷଣ ବେଳେ ବିମାନ ଦୁର୍ଘଟଣା, ୩ ଆମେରିକୀୟ ସୈନିକ ମୃତ, ୨୦ରୁ ଅଧିକ ଆହତ

ଅଷ୍ଟ୍ରେଲିଆରେ ବହୁ-ରାଷ୍ଟ୍ରୀୟ ସୈନ୍ୟ ଅଭ୍ୟାସ ‘ପ୍ରିଡେଟର୍ସ ରନ୍‌’ ବେଳେ ଏକ ଓସ୍‌ପ୍ରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୩ ଆମେରିକୀୟ ନୌସୈନିକଙ୍କ ମୃତ୍ୟୁ ଘଟିଛି।

ଅଷ୍ଟ୍ରେଲିଆରେ ବହୁ-ରାଷ୍ଟ୍ରୀୟ ସୈନ୍ୟ ଅଭ୍ୟାସ ‘ପ୍ରିଡେଟର୍ସ ରନ୍‌’ ବେଳେ ଏକ ଓସ୍‌ପ୍ରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୩ ଆମେରିକୀୟ ନୌସୈନିକଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୨୦ ଜଣ ସୈନିକ ଆହତ ହୋଇଛନ୍ତି। ଏହି ବିମାନ ଦୁର୍ଘଟଣା ଯୋଗୁ ସୈନ୍ୟ ପ୍ରଶିକ୍ଷଣ ଅଭିଯାନରେ ବାଧା ଉପୁଜିଛି।

ସୂଚନା ଅନୁସାରେ, ଯୁକ୍ତରାଷ୍ଟ୍ର ଆମେରିକାର ମେରାଇନ୍‌ କର୍ପସ୍‌ର ଏକ ବିମାନ ରବିବାର ବହୁ-ରାଷ୍ଟ୍ରୀୟ ପ୍ରଶିକ୍ଷଣ ଅଭ୍ୟାସ ବେଳେ ଉତ୍ତର ଅଷ୍ଟ୍ରେଲିଆ ଦ୍ୱୀପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତ ୨୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅଧିକାରୀମାନେ କହିଛନ୍ତି, ବେଲ୍‌ ବୋଇଂ ଭି-୨୨ ଓସ୍‌ପ୍ରେ ଟିଲ୍‌ଟ୍ରୋଟର ବିମାନ ସକାଳ ପ୍ରାୟ ସାଢ଼େ ୯ଟାରେ ଦୁର୍ଘଟଣାର ଶିକାର ହୋଇଥିଲା। ଏହାପରେ ମେଲଭିଲେ ଦ୍ୱୀପରେ ୩ ସୈନିକଙ୍କ ମୃତ୍ୟୁ ନିଶ୍ଚିତ କରାଯାଇଥିଲା। ଆହତମାନଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ସେମାନଙ୍କୁ ଦୁର୍ଘଟଣାସ୍ଥଳରୁ ୮୦ କିଲୋମିଟର ଦୂର ଡରଓ୍ଵିନ୍‌ ସହରକୁ ଚିକିତ୍ସା ପାଇଁ ପଠାଯାଇଛି।

ଉତ୍ତର କ୍ଷେତ୍ରର ମୁଖ୍ୟମନ୍ତ୍ରୀ ନତାଶା ଫାଇଲ୍ସ କହିଛନ୍ତି, ଏହା ଏକ ଭୟଙ୍କର ଦୁର୍ଘଟଣା। ଯେଉଁ ବି ସହାୟତା ଆବଶ୍ୟକ ହେବ, ସରକାର ଦେବାକୁ ପ୍ରସ୍ତୁତ ଅଛନ୍ତି। ସେପଟେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲ୍‌ବାନିଜ କହିଛନ୍ତି, ପ୍ରିଡେଟର୍ସ ରନ୍‌ ସମୟରେ ଯୁକ୍ତରାଷ୍ଟ୍ର ଆମେରିକା, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ଫିଲିଫାଇନ୍ସ ଏବଂ ପୂର୍ବ ତିମୋର୍‌ର ସୈନିକମାନେ ସାମିଲ ଥିଲେ। କିନ୍ତୁ ଦୁର୍ଘଟଣାରେ କେବଳ ଆମେରିକୀୟ ସୈନିକ ମୃତାହତ ହୋଇଛନ୍ତି। ବର୍ତ୍ତମାନ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.