ମଣିପୁର ଲଜ୍ଜା: ମିଜୋରାମ ଛାଡ଼ି ଆସାମ ପଳାଇଲେ ୪୧ ମୈତେଇ ଲୋକ, ରାଜ୍ୟ ଛାଡ଼ିବାକୁ ଧମକ ଦେଇଛି ଉଗ୍ରବାଦୀ ଦଳ
ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଭିଡିଓ ଭାଇରାଲ୍ ପରେ ମିଜୋରାମରେ ମୈତେଇ ସମ୍ପ୍ରଦାୟକୁ ରାଜ୍ୟ ଛାଡ଼ିବାକୁ ଧମକ ଦିଆଯାଇଛି। ଏହି ଧମକ ମିଳିବା ପରେ ଏବେ ମୈତେଇ ସମ୍ପ୍ରଦାୟର ୪୧ ଜଣ ଲୋକ ମିଜୋରାମ ଛାଡ଼ି ଆସାମ ଚାଲିଯାଇଛନ୍ତି।

ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଭିଡିଓ ଭାଇରାଲ୍ ପରେ ମିଜୋରାମରେ ମୈତେଇ ସମ୍ପ୍ରଦାୟକୁ ରାଜ୍ୟ ଛାଡ଼ିବାକୁ ଧମକ ଦିଆଯାଇଛି। ଏହି ଧମକ ମିଳିବା ପରେ ଏବେ ମୈତେଇ ସମ୍ପ୍ରଦାୟର ୪୧ ଜଣ ଲୋକ ମିଜୋରାମ ଛାଡ଼ି ଆସାମ ଚାଲିଯାଇଛନ୍ତି। ମିଜୋରାମର ପୂର୍ବ ଉଗ୍ରବାଦୀ ଦଳ ମୈତେଇ ସମ୍ପ୍ରଦାୟଙ୍କୁ ରାଜ୍ୟ ଛାଡିବାକୁ ଧମକ ଦେଇଛି।
କଛାର ପୋଲିସ ଅଧୀକ୍ଷକ ନୁମଲ ମହତ୍ତା କହିଛନ୍ତି, ଏହି ଲୋକମାନେ ଶନିବାର ରାତିରେ ମିଜୋରାମରୁ ଆସି ଆସାମର ସିଲଚରରେ ପହଞ୍ଚିଥିଲେ। ଏହାପରେ ସେମାନଙ୍କୁ ବିନାକାଣ୍ଡି ଅଞ୍ଚଳର ଲଖୀପୁର ବିକାଶ ବ୍ଲକ ଭବନରେ ରଖାଯାଇଛି। ଏମାନେ ଧନୀ ପରିବାରର ଏବଂ ସମସ୍ତେ ନିଜ ନିଜ ଗାଡ଼ିରେ ଆସିଛନ୍ତି। କିଛି ଜଣ କଲେଜ ପ୍ରଫେସର ହୋଇଥିବା ବେଳେ ଆଉ କିଛି ଜଣ ବରିଷ୍ଠ ସରକାରୀ ଅଧିକାରୀ ରୂପେ କାର୍ଯ୍ୟରତ ଅଛନ୍ତି।
ପୋଲିସ ଅଧୀକ୍ଷକ କହିଛନ୍ତି ଯେ ମିଜୋରାମ ସରକାର ମୈତେଇ ସମ୍ପ୍ରଦାୟଙ୍କୁ ସମସ୍ତ ସୁରକ୍ଷା ପ୍ରଦାନ କରୁଛନ୍ତି। କିନ୍ତୁ ସେମାନେ କୌଣସି ବିପଦ ମୁଣ୍ଡାଇବାକୁ ଚାହୁଁନାହାଁନ୍ତି, ତେଣୁ ନିଜ ସୁରକ୍ଷା ପାଇଁ ଆସାମ ପଳାଇ ଆସିଛନ୍ତି। ପରିସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ସେମାନେ ଏଠାରେ ରହିବେ। ଆସାମ ପୋଲିସ ସେମାନଙ୍କୁ ସୁରକ୍ଷା ଯୋଗାଉଛି।
ସେପଟେ ମିଜୋରାମ ସରକାର ଗୁଜବ ପ୍ରତି ଧ୍ୟାନ ନ ଦେବାକୁ କହିଛନ୍ତି। ପୋଲିସ ମୁତାବକ, ଉତ୍ତେଜନା ବୃଦ୍ଧି ମଧ୍ୟରେ ଅନେକ ମୈତେଇ ଲୋକ ନିଜ ଗୃହ ରାଜ୍ୟକୁ ପଳାୟନ କରିଛନ୍ତି। ତାଙ୍କ କହିବା ହେଲା, ମଣିପୁର ଏବଂ ଦକ୍ଷିଣ ଆସାମର କିଛି ହଜାର ମୈତେଇ ଲୋକ ମିଜୋରାମରେ ରୁହନ୍ତି।
ଏହା ସହିତ ମିଜୋରାମର ଅନେକ ସଂଗଠନ ମଙ୍ଗଳବାର ରାଜ୍ୟବ୍ୟାପୀ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛନ୍ତି। ଏଥିପାଇଁ ରାଜ୍ୟରେ ସୁରକ୍ଷା ବଢ଼ାଇ ଦିଆଯାଇଛି।