ଗ୍ରୀସ୍‌ରେ ୫.୫ ତୀବ୍ରତାର ଭୂମିକମ୍ପ; ସୁନାମି ଆଲର୍ଟ! ପ୍ରଭାବିତ ଅଞ୍ଚଳର ଲୋକେ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର

ଗ୍ରୀସ୍ (ୟୁନାନ)ରେ ସୋମବାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଏଠାରେ କ୍ରେତେରେ ସକାଳେ ଆସିଥିବା ଭୂମିକମ୍ପର ତୀବ୍ରତା ଥିଲା ୫.୫। ଏହାଦ୍ୱାରା ସୁନାମି ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏହାରି ଭିତରେ ମନିଟରିଂ ଏଜେନ୍ସିଗୁଡ଼ିକୁ ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯିବା ପାଇଁ କୁହାଯାଇଛି। ଲୋକଙ୍କୁ ସମୁଦ୍ର କୂଳରୁ କୌଣସି ଉଚ୍ଚ ସ୍ଥାନକୁ ଚାଲି ଯିବାକୁ ସତର୍କ କରାଯାଇଛି।

European-Mediterranean Seismological Center (EMSC) ମୁତାବକ, ସ୍ଥାନୀୟ ସମୟ ଅନୁସାରେ ଭୂମିକମ୍ପ ସୋମବାର ବିଳମ୍ବିତ ରାତି ୧ଟା ୨୫ ମିନିଟ୍‌ରେ ଆସିଥିଲା। ଏହି ସମୟରେ ଭୂମିକମ୍ପର ଝଟକା ଇଜିପ୍ଟର ସାଇଟିଆ ଉତ୍ତର-ପୂର୍ବରେ ୬୦ କିଲୋମିଟର (୩୭ ମାଇଲ) ଦୂରରେ ଅନୁଭବ କରାଯାଇଥିଲା। ଭୂମିକମ୍ପର କେନ୍ଦ୍ର ୮୦ କିଲୋମିଟର ଗଭୀରରେ ଥିଲା।

କୁହାଯାଉଛି କି, ଏହି ଭୂମିକମ୍ପ ଉତ୍ତର ଆଫ୍ରିକା ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ପ୍ରଭାବିତ ଅଞ୍ଚଳରେ କୌଣସି କ୍ଷୟକ୍ଷତି କିମ୍ବା ବିଲ୍ଡିଂକୁ କ୍ଷତି ପହଞ୍ଚିଥିବା ନେଇ କିଛି ସୂଚନା ନାହିଁ। ସ୍ଥାନୀୟ ରିପୋର୍ଟ ଅନୁସାରେ, ଭୂମିକମ୍ପ ସମୟରେ ଲୋକମାନେ ଆତଙ୍କିତ ହୋଇ ଘର ଏବଂ ବିଲ୍ଡିଂ ବାହାରକୁ ଚାଲି ଆସିଥିଲେ।

ସେପଟେ ଇଣ୍ଡୋନେସିଆରେ ମଧ୍ୟ ଭୟଙ୍କର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ସୋମବାର ଅପରାହ୍ନରେ ଜାଭା ଦ୍ୱୀପରେ ୫.୬ ତୀବ୍ରତାର ଭୂମିକମ୍ପ ହୋଇଛି। ଏଥିରେ ୪୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ରାଜଧାନୀ ଜାକାର୍ତ୍ତାରୁ ଦକ୍ଷିଣ-ପଶ୍ଚିମ ଦିଗରେ ୭୫ କିମି ଦୂରରେ ଭୂମିକମ୍ପ ଅନୁଭୂତ ହୋଇଛି। ୧୦ କିମି ଗଭୀରରେ ଏହା କେନ୍ଦ୍ରୀଭୂତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.