ସେନାରେ ଯିବାର ସ୍ୱପ୍ନ ଭାଙ୍ଗିଲା! ସକାଳୁ ସକାଳୁ ଦୌଡ଼ ଅଭ୍ୟାସ କରୁଥିବା ୫ ଯୁବକଙ୍କୁ ଧକ୍କା ଦେଲା କାର୍‌; ୨ ମୃତ, ୩ ସଙ୍କଟାପନ୍ନ

ହରିୟାଣାର ଫରିଦାବାଦରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସୂଚନା ମୁତାବକ, ଏଠାରେ କୁଣ୍ଡଳୀ-ମାନେସର-ପଲଭଲ ରାସ୍ତାରେ ସକାଳୁ ସକାଳୁ ଦୌଡ଼ ଅଭ୍ୟାସ କରୁଥିବା ୫ ଜଣ ଯୁବକଙ୍କୁ ଏକ କାର୍‌ ଜୋର୍‌ରେ ଧକ୍କା ଦେଇଥିଲା। ସେନାରେ ଭର୍ତ୍ତି ହେବା ପାଇଁ ସମସ୍ତେ ଦୌଡ଼ ଅଭ୍ୟାସ କରୁଥିଲେ। ଏହି ସମୟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା କାର୍‌ ସେମାନଙ୍କୁ ପିଟି ଦେଇଥିଲା।

ସେପଟେ ଦୁର୍ଘଟଣା ଘଟାଇ କାର୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଏ ନେଇ ଜଣେ ମୃତକଙ୍କ ଭାଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସମ୍ପୃକ୍ତ ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ପୋଲିସ ସୂଚନା ମୁତାବକ, ସେନାରେ ଭର୍ତ୍ତି ହେବା ପାଇଁ ୫ ଜଣ ଯୁବକ ରାସ୍ତାରେ ସକାଳୁ ସକାଳୁ ଦୌଡ଼ୁଥିଲେ। ହେଲେ ଏହି ସମୟରେ ଏକ ଦ୍ରୁତଗାମୀ କାର୍‌ ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ଖବର ପାଇଁ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ହସ୍ପିଟାଲ ନେଇ ଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରି ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.