IIT ମାଡ୍ରାସରେ ଏକାସାଙ୍ଗେ ୫୫ କରୋନା ପଜିଟିଭ୍‌ ଚିହ୍ନଟ, ପୁଣିଥରେ କଡ଼ା ହେବ ଗାଇଡ୍‌ଲାଇନ୍‌

ଚେନ୍ନାଇ: ଚେନ୍ନାଇ ସ୍ଥିତ ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନରେ କରୋନାର ନୂଆ ୫୫ ମାମଲା ସାମ୍ନାକୁ ଆସିଛି। ତାମିଲନାଡ଼ୁ ସ୍ୱାସ୍ଥ୍ୟ ସଚିବ ଜେ ରାଧାକ୍ରିଷ୍ଣନ୍‌ ଶନିବାର ଏଠାରେ ରାଜ୍ୟ ଟିକାକରଣ କେନ୍ଦ୍ର ଗସ୍ତ କରିଛନ୍ତି ଓ କହିଛନ୍ତି- ଚିନ୍ତାର କିଛି କାରଣ ନାହିଁ। ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି। ରାଧାକ୍ରିଷ୍ଣନ୍‌ କହିଛନ୍ତି, ଏବେ ଯାଏଁ ୧୪୨୦ ଲୋକଙ୍କ ମଧ୍ୟରୁ ୫୫ ଜଣଙ୍କୁ ଆଇସୋଲେଟ୍‌ କରାଯାଇଛି। ସମସ୍ତ ୫୫ ଜଣଙ୍କ ଶରୀରରେ କରୋନାର ଲକ୍ଷଣ ସ୍ଥିର ଅଛି। ବିପଦର କୌଣସି ଆଶଙ୍କା ନାହିଁ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି।

ସ୍ୱାସ୍ଥ୍ୟ ସଚିବ ଜେ. ରାଧାକ୍ରିଷ୍ଣନ୍‌ଙ୍କ ମୁତାବକ, ପ୍ରଶାସନ ପରିସରରେ ପ୍ରଥମରୁ ଉପଲବ୍ଧ ଆଇସୋଲେସନ୍‌ ସୁବିଧାକୁ ପ୍ରଭାବୀ ଢଙ୍ଗରେ ବ୍ୟବହାର କରାଯାଉଛି। ଫେସ୍‌ ମାସ୍କ ସମ୍ପର୍କରେ ସଚିବ କହିଛନ୍ତି ଯେ ତାମିଲନାଡ଼ୁ ସରକାର କେବେ ବି ଫେସ୍‌ ମାସ୍କ ପିନ୍ଧିବାକୁ ବାରଣ କରି ନାହାନ୍ତି। ଏହି ଆଦେଶ କରୋନା ଆରମ୍ଭରୁ ହିଁ ରହିଛି। କେବଳ ଜରିମାନାକୁ କମ୍‌ କରାଯାଇଥିଲା। ଏବେ ଜରିମାନାକୁ ପୂର୍ବ ଭଳି କଡ଼ା କଡ଼ି କରାଯିବ।

ତାମିଲନାଡ଼ୁ ସ୍ୱାସ୍ଥ୍ୟ ସଚିବ କହିଛନ୍ତି, ଏବେ ଧୀରେ ଧୀରେ କରୋନା ମାମଲା ପୁଣି ବଢ଼ିଛି। ଏଣୁ ଲୋକଙ୍କୁ କୋଭିଡ୍‌ ଗାଇଡ୍‌ ଲାଇନ୍‌ ପାଳନ କରିବାକୁ ହେବ। ଏଥିସହ କୌଣସି ବ୍ୟକ୍ତି ଜାଣି ଶୁଣି ନିୟମ ଉଲ୍ଲଂଘନ କରିବା ଉଚିତ୍‌ ନୁହେଁ। ଆମେ କରୋନା ଟିକା ନେଇଛୁ, ତେଣୁ ସୁରକ୍ଷିତ ଅଛୁ। ରାଜ୍ୟରେ ଇତି ମଧ୍ୟରେ ୯୩ ପ୍ରତିଶତ ଲୋକ କରୋନା ଟିକାର ପ୍ରଥମ ଡୋଜ୍‌ ନେଇ ସାରିଛନ୍ତି। ସେହିପରି ୭୭ ପ୍ରତିଶତ ଲୋକଙ୍କୁ ଦ୍ୱିତୀୟ ଡୋଜ୍‌ ଦିଆସରିଛି। ଯେଉଁମାନେ ବୁଷ୍ଟର ଡୋଜ୍‌ ନେବାକୁ ଯୋଗ୍ୟ ସେମାନେ ତୁରନ୍ତ ନେଇ ଯାଆନ୍ତୁ। ଏଥିପାଇଁ ଆମେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରୁଛୁ। ଯାହା ଖୋଦ୍‌ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ।

ସ୍ୱାସ୍ଥ୍ୟ ସଚିବଙ୍କ କହିବାନୁସାରେ, ନିକଟରେ ଜରୁରୀକାଳୀନ କୋଭିଡ୍‌ ପ୍ରତିକ୍ରିୟା ପ୍ୟାକେଜ୍‌ରେ ଆମେ ୨,୦୯୯ ହାଇ ଫାଇ ଆଇସିୟୁ ବେଡ୍‌ ବ୍ୟବସ୍ଥା କରିଛୁ। ପର୍ଯ୍ୟାପ୍ତ ମାତ୍ରାରେ ଏହା ରୋଗୀଙ୍କ ପାଇଁ ଉପଲବ୍ଧ ଅଛି। ଏଣୁ କାହାକୁ ଆଉ ଚିନ୍ତା କରିବାର କିଛି ଆବଶ୍ୟକତା ନାହିଁ। ସୂଚନାଯୋଗ୍ୟ ଯେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ମୁତାବକ, ଭାରତରେ ଗତ ୨୪ ଘଣ୍ଟାରେ ୨,୫୨୭ଟି ନୂଆ କରୋନା ସଂକ୍ରମଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ୩୩ ଜଣଙ୍କର ମୃତ୍ୟୁ ଘଟିଛି।

Also Read: ସାପ୍ତାହିକ ରାଶିଫଳ: ଜାଣନ୍ତୁ, ମେଷଠୁ ମୀନ ଯାଏଁ କାହାର ଦିନ କେମିତି କଟିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.