ଆକାଶରୁ ଖସିଲା ମୃତ୍ୟୁ, ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବଜ୍ରାଘାତ ନେଲା ପ୍ରାୟ ୭୦ ଜୀବନ

କେନ୍ୟୁଜ୍(ବ୍ୟୁରୋ):  ଆକାଶରୁ ଖସିଲା ମୃତ୍ୟୁ। ଉତ୍ତରପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବଜ୍ରାଘାତରେ ଗଲା ପ୍ରାୟ ୭୦ ଜୀବନ । ସେ ଭିତରୁ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ବଜ୍ରପାତରେ ସବୁଠୁ ଅଧିକ ୪୧ ଜଣଙ୍କ ମୃତ୍ୟୁ ଘଟିଛି। ରାଜସ୍ଥାନରେ ବଜ୍ରପାତରେ ଯାଇଛି ୨୦ ଜଣଙ୍କ ଜୀବନ। ଏଥିରୁ ୧୧ ଜଣ ସେଲ୍‌ଫି ନେଉଥିବା ସମୟରେ ବଜ୍ରାଘାତର ଶିକାର ହେଲେ। ଜୟପୁରରେ ପ୍ରବଳ ବର୍ଷା ସମୟରେ ଆମେର ପ୍ୟାଲେସରେ ନେଉଥିଲେ ସେଲ୍‌ଫି। ପ୍ରଚଣ୍ଡ ଶବ୍ଦ ସହ ଆକାଶରୁ ଖସିଥିଲା ମୃତ୍ୟୁ। ବଜ୍ରପାତ ସମୟରେ ଦୁର୍ଗ ଓ ୱାଚ୍‌ ଟାୱାରରେ ଥିଲେ ୨୭ ଜଣ। ଅନେକ ପ୍ରଣବିକଳରେ ତଳକୁ ଡେଇଁଥିଲେ।

ମଧ୍ୟପ୍ରଦେଶରେ ମଧ୍ୟ ଗତକାଲି ବଜ୍ରପାତରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଜ୍ରପାତରେ ମୃତ୍ୟୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକଂପା ସହାୟତା ଘୋଷଣା କରିଛନ୍ତି ।

  ଅଧ୍ୟୟନରୁ ଜଣା ପଡିଛି ବାତ୍ୟଠାରୁ ଅଧିକ ମାରାତ୍ମକ ରହିଛି ବଜ୍ରପାତ। ବଜ୍ରାଘାତରେ ଅଧିକ ମୃତ୍ୟୁ ହେଉଛି। ପଶ୍ଚିମବଙ୍ଗରେ ଜୁନ ୯ ତାରିଖରେ ବଜ୍ରଘାତରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିଲା। ରାଜ୍ୟରେ ବାତ୍ୟା ୟସ୍‌ର ମୃତ୍ୟୁ ସଂଖ୍ୟାଠାରୁ ଅଧିକ। ୧୯୬୮ରେ ବଜ୍ରାଘାତରେ ବାର୍ଷିକ ଏକ ହଜାର ଜଣଙ୍କ ମୃତ୍ୟୁ ହେଉଥିବା ବେଳେ ୨୦୦୪ ପରଠାରୁ ଏହା ଦିଗୁଣା ହୋଇ ଯାଇଛି।

ଭାରତୀୟ ପାଣିପାଗ ବିଭାଗ ସହ ମିଶି କାମ କରୁଥିବା କ୍ଲାଇମେଟ୍‌ ରେଜିଲିଆଣ୍ଟ ଅବ୍‌ଜର୍ବିଂ ସିଷ୍ଟମ ପ୍ରମୋସନ କାଉନ୍‌ସିଲ, CROPC ବଜ୍ରପାତ ପୂର୍ବାନୁମାନ ନେଇ କାମ କରୁଛି। ପାଣିପାଗ ବିଭାଗ ବଜ୍ରପାତ ନେଇ ଆଗୁଆ ସୂଚନା ମଧ୍ୟ ଦେଉଛି। କିନ୍ତୁ ଲୋକଙ୍କ ପାଖରେ ଠିକ୍‌ରେ ସୂଚନା ପହଞ୍ଚି ପାରୁ ନାହିଁ। ବଜ୍ରପାତର ବାର୍ଷିକ ରିପୋର୍ଟ ମୁତାବକ, ୨୦୧୯-୨୦ରେ ଦେଶରେ ୧୭୭୧ ଜଣଙ୍କ ମୃତ୍ୟୁ ହୋଇ ଥିବା ବେଳେ ୨୦୨୦-୨୧ରେ ଏ ସଂଖ୍ୟା ୧୬୯୭ ରହିଛି। ମୃତ୍ୟୁ ସଂଖ୍ୟା କମିଥିଲେ ବି ୨୦୨୦-୨୧ରେ ବଜ୍ରପାତ ସଂଖ୍ୟା ୩୪% ବୃଦ୍ଧି ହୋଇଛି। ୨୦୧୯-୨୦ରେ ୧ କୋଟି ୩୮ ଲକ୍ଷ ବଜ୍ରପାତ ହୋଇଥିବା ବେଳେ ୨୦୨୦-୨୧ରେ ଏ ସଂଖ୍ୟା ୧ କୋଟି ୮୫ ଲକ୍ଷ ୪୪ ହଜାର ୩୬୭ ରହିଥିଲା।

ଓଡ଼ିଶାରେ ସର୍ବାଧିକ ବଜ୍ରପାତ ହୋଇଛି। ୧ ଏପ୍ରିଲ ୨୦୨୦ରୁ ୩୧ ମାର୍ଚ୍ଚ ୨୦୨୧ ମଧ୍ୟରେ ଓଡ଼ିଶାରେ ୨୦ ଲକ୍ଷ ୪୩ ହଜାର ବଜ୍ରପାତ ହୋଇଥିଲା। ମଧ୍ୟପ୍ରଦେଶରେ ୧୭ ଲକ୍ଷ ୧୦ ହଜାର , ଛତିଶଗଡ଼ରେ ୧୫ ଲକ୍ଷ ୨୧ ହଜାର , ଝାଡ଼ଖଣ୍ଡରେ ୧୪ ଲକ୍ଷ ୯୧ ହଜାର ଓ ଉତ୍ତରପ୍ରଦେଶରେ ୧୩ ଲକ୍ଷ ୭୭ ହଜାର ଥର ବଜ୍ରପାତ ହୋଇଥିଲା। ଅଧିକ ମୃତ୍ୟୁ ହୋଇଥିଲା ବିହାରରେ। ବିହାରରେ ୪୦୧, ଉତ୍ତରପ୍ରଦେଶରେ ୨୩୮, ମଧ୍ୟପ୍ରଦେଶରେ ୨୨୮ ଓ ଓଡ଼ିଶାରେ ୧୫୬ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁରେ ଚତୁର୍ଥ ସ୍ଥାନରେ ଅଛି ଓଡ଼ିଶା।

ଦେଶରେ ଯେତେ ବଜ୍ରାଘାତ ମୃତ୍ୟୁ ହେଉଛି ସେଥିରୁ ୭୧ ପ୍ରତିଶତ ଗଛ ତଳେ ଠିଆ ହୋଇ ରହିଥିବା ଅବସ୍ଥାରେ ହେଉଛି। ୨୫ ପ୍ରତିଶତ ଖୋଲାରେ କାମ କରୁଥିବା ସମୟରେ ବଜ୍ରାଘାତର ଶିକାର ହେଉଛନ୍ତି। ଓଡ଼ିଶା-ଝାଡ଼ଖଣ୍ଡ-ପଶ୍ଚିମବଙ୍ଗ ବେଲ୍‌ଟରେ ଅଧିକ ବଜ୍ରପାତ ହେଉଛି। ପାଣିପାଗ ପରିବର୍ତ୍ତନ ସହ ବଜ୍ରପାତ ସଂଖ୍ୟା ବଢିଛି। ମୃତ୍ୟୁ ସଂଖ୍ୟା କମାଇବା ଉଦ୍ଦେଶ୍ୟରେ ୨୦୧୯ରୁ ଲାଇଟିନିଂ ରେଜିଲିଆଣ୍ଟ ଇଣ୍ଡିଆ କ୍ୟାମ୍ପେନ ଚାଲିଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.