ପ୍ରଶାନ୍ତ ମହାସାଗରରେ ଓଲଟିଲା ୨ଟି ଡଙ୍ଗା, ୮ ମୃତ

ଦକ୍ଷିଣ କାଲିଫର୍ଣ୍ଣିଆର ସମୁଦ୍ର ତଟରେ ଓଲଟିଲା ଡଙ୍ଗା। ୮ ଜଣଙ୍କର ମୃତ୍ୟୁ । ମାନବ ତସ୍କରୀ କରୁଥିବା ସନ୍ଦେହ ।

ଦକ୍ଷିଣ କାଲିଫର୍ଣ୍ଣିଆର ସମୁଦ୍ର ତଟରେ ମାନବ ତସ୍କରୀ କରୁଥିବା ଦୁଇଟି ଡଙ୍ଗା ଓଲଟିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଛି । ଦୁଇଟି ସନ୍ଦିଗ୍ଧ ଡଙ୍ଗା ଓଲଟିଯିବାରୁ ଅତିକମରେ ୮ ଜଣ ଲୋକ ମରିଥିବା ଉଦ୍ଧାରକାରୀ ଦଳ ସୂଚନା ଦେଇ କହିଛନ୍ତି ।

ସୂଚନା ଅନୁସାରେ, ରାତି ୧୧.୩୦ ସମୟରେ ଏକ ଫୋନ୍‌ କଲ୍‌ ଆସିଥିଲା। ଫୋନ କଲରେ ସ୍ପାନିସ ଭାଷାରେ ଜଣେ ମହିଳା କଲ୍‌ କରି ପ୍ରଶାନ୍ତ ମହାସାଗରର ଟୋରୀ ପାଇନ୍ସ ପାଖରେ ଡଙ୍ଗା ଓଲଟି ପଡିଥିବା ଖବର ଦେଇଥିଲେ ।

ମାଛ ଧରିବାକୁ ଯାଇଥିବା ଡଙ୍ଗା ବୁଡିଯାଇଥିବା ଖବର ମିଳିଥିଲା। ଯେଉଁଥିରେ ୮ ଜଣ ଲୋକ ଥିଲେ । ଏହାପରେ ତୁରନ୍ତ ଲାଇଫଗାର୍ଡ ପକ୍ଷରୁ ସନ୍ଧାନ କରିବା ପରେ ଜାଣିବାକୁ ମିଳିଥିଲା କି, ୨ଟି ଡଙ୍ଗା ଓଲଟିବା ଫଳରେ ଏଥିରେ ଥିବା ୨୩ ଜଣଙ୍କ ମଧ୍ୟରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଆଉ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଡଙ୍ଗା କେମିତି ଓଲଟିଲା, ତା’ର ମୁଖ୍ୟ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ତେବେ ଏହାକୁ ନେଇ ସେନ ଡିଏଗୋର ରେସକ୍ୟୁ ଡିପାର୍ଟମେଣ୍ଟ ଲାଇଫଗାର୍ଡ ପକ୍ଷରୁ ସୂଚନା ମିଳିଛି କି, ଯେଉଁମାନେ ବୁଡି ମରିଛନ୍ତି, ସେମାନେ କେଉଁ ଦେଶର ଜଣାପଡିନାହାନ୍ତି । ତେବେ ଦକ୍ଷିଣ ଏବଂ ମଧ୍ୟ ଆମେରିକାରୁ ଅନେକ ସଂଖ୍ୟକ ଲୋକ ଅବୈଧ ଭାବେ ଆମେରିକା ସୀମା ପାର କରୁଛନ୍ତି । ତେଣୁ ସେମାନେ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.