ମୋବାଇଲରେ ଗେମ୍‌ ଖେଳୁଥିବାରୁ ଗାଳି ଦେଲେ ବାପା, ରାଗରେ ସୁଇସାଇଡ୍‌ କଲା ୯ମ ଶ୍ରେଣୀର ଛାତ୍ର

ମୋବାଇଲ ବ୍ୟବହାର କରୁଥିବା ପୁଅକୁ ଗାଳି ଦେବାରୁ ସେ ଫ୍ୟାନ୍‌ରେ ଦଉଡ଼ି ଦେଇ ଜୀବନ ହାରିଛି। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଉତ୍ତର ପ୍ରଦେଶର ସଙ୍ଗମ ନଗରୀ ପ୍ରୟାଗରାଜରେ। ଏଠାରେ ସବୁବେଳେ ପୁଅ ମୋବାଇଲରେ ଗେମ୍‌ ଖେଳୁଥିବାରୁ ବାପା ଗାଳି ଦେଇଥିଲେ। ଫଳରେ ପୁଅ କାନ୍ଦି କାନ୍ଦି ରୁମ୍‌ରେ ନିଜକୁ ବନ୍ଦ କରି ଦେଇଥିଲା। ସେଠାରେ ଫ୍ୟାନ୍‌ରେ ଦଉଡ଼ି ଦେଇ ସେ ଜୀବନ ହାରିଛି।

ସକାଳୁ ଘର ଲୋକ କବାଟ ବାଡ଼େଇବାରୁ ପୁଅ ଆଉ କବାଟ ଖୋଲିନଥିଲା। ପରେ ଘର ଲୋକ ଝରକା ପଟେ ଦେଖିବାରୁ ପୁଅର ଝୁଲନ୍ତା ମୃତଦେହ ଦେଖିଥିଲେ। ତୁରନ୍ତ ଏ ନେଇ ସେମାନେ ପୋଲିସରେ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଶବକୁ ଜବତ କରି ପୋଷ୍ଟମର୍ଟମ୍‌ ପାଇଁ ପଠାଇଛି।

ମୃତ ଛାତ୍ରର ବାପ ରଘୁନାଥ ପ୍ରସାଦ ଗୁପ୍ତା କହିଛନ୍ତି, ସେ ରେଳ ବିଭାଗରେ କାମ କରନ୍ତି। ପରିବାର ସହ ସେ କର୍ନଲଙ୍ଗଜ ଅଞ୍ଚଳରେ ରୁହନ୍ତି। ତାଙ୍କର ୨ଟି ପୁଅ ଅଛନ୍ତି। ସାନ ପୁଅ ସଚ୍ଚିଦାନନ୍ଦ ବିଏଚ୍‌ଏସ୍‌ ସ୍କୁଲରେ ନବମ ଶ୍ରେଣୀରେ ପଢ଼େ। ସେ ପାଠପଢ଼ା ପ୍ରତି ଧ୍ୟାନ ନ ଦେଇ ମୋବାଇଲରେ ଭିଡିଓ ଗେମ୍‌ ଖେଳୁଥିଲା। ମଙ୍ଗଳବାର ରାତିରେ ଡିନର ବେଳେ ବି ସେ ମୋବାଇଲରେ ଗେମ୍‌ ଖେଳୁଥିଲା। ଏଣୁ ସେ ତାକୁ ଗାଳି ଦେଇଥିଲେ।

ଗାଳି ଖାଇବା ପରେ ସଚ୍ଚିଦାନନ୍ଦ ଖାଦ୍ୟ ନ ଖାଇ ରୁମକୁ ଯାଇ ଭିତର ଆଡ଼ୁ କବାଟ ଦେଇ ଦେଇଥିଲା। ଘର ଲୋକ ଭାବିଥିଲେ ଯେ ସକାଳେ ସବୁ ଠିକ୍‌ ହୋଇଯିବ। କିନ୍ତୁ ଏହି ଗାଳି ସଚ୍ଚିଦାନନ୍ଦକୁ ଏତେ ଖରାପ ଲାଗିଥିଲା ଯେ ସେ ଜୀବନ ହାରି ଦେଇଥିଲା। ସକାଳୁ ସକାଳୁ ପୁଅର ମୃତ ଦେହ ଦେଖିବା ପରେ ଘର ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ କାନ୍ଦି କାନ୍ଦି ଅବସ୍ଥା ଶୋଚନୀୟ ରହିଛି। ମୃତ ଛାତ୍ରଙ୍କ ବାପା କହିଛନ୍ତି, ପୁଅକୁ ବୋଧେ ଗାଳି କରିବାର ନଥିଲା। ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳବାସୀ ଶୋକରେ ଅଛନ୍ତି।

Also Read: ପିଲାଙ୍କ ସାମ୍ନାରେ ଏସବୁ ବିଷୟରେ କେବେ ବି ଆଲୋଚନା କରନ୍ତୁ ନାହିଁ, ପରେ କରିପାରନ୍ତି ଅନୁତାପ

Leave A Reply

Your email address will not be published.