ଘର ବାହାରେ ଶୋଇଥିବା ଶିଶୁକନ୍ୟାକୁ ଚୋରାଇ ନେଉଥିଲା ରିକ୍ସାବାଲା, ଉଠିପଡ଼ିଲେ ପରିବାର ଲୋକେ

ପଞ୍ଜାବ ଲୁଧିଆନାରେ ଘର ବାହାରେ ଶୋଇଥିବା ୪ ବର୍ଷର ଜଣେ ଶିଶୁକନ୍ୟାକୁ ଅପହରଣ କରିନେବାର ଏକ ମାମଲା ଏବେ ସାମ୍ନାକୁ ଆସିଛି। ଘର ପାଖରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଦୃଶ୍ୟରୁ ଏହା ଜଣାପଡ଼ିଛି। ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ ସମସ୍ତେ ଶୋଇଥିବା ବେଳେ ଜଣେ ରିକ୍ସା ଚାଳକ ଶିଶୁକନ୍ୟାକୁ ଚୋରାଇ ନେଉଛନ୍ତି। କିନ୍ତୁ ତାଙ୍କର ଏହି ଅପହରଣ ଉଦ୍ୟମ ପଣ୍ଡ ହୋଇଛି। କାରଣ, ଏହି ସମୟରେ ହଠାତ୍‌ ଶିଶୁକନ୍ୟାର ପରିବାର ଲୋକେ ଉଠିଯାଇ ପିଲାକୁ ଉଦ୍ଧାର କରୁଛନ୍ତି। ତେବେ ପରିବାର ଲୋକେ ଉଠିପଡ଼ୁଥିବାର ଦେଖି ପିଲା ଚୋରି କରୁଥିବା ବ୍ୟକ୍ତି ଜଣକ ରିକ୍ସା ନେଇ ଖସି ପଳାଉଛନ୍ତି। ବର୍ତ୍ତମାନ ପୂରା ଦେଶରେ ପିଲା ଚୋରିର ଅନେକ ଘଟଣା ସାମ୍ନାକୁ ଆସୁଛି, ଯେଉଁଠି ଲୋକେ ପିଲା ଚୋରଙ୍କୁ କାବୁ କରି ନିର୍ଧୂମ ପିଟୁଛନ୍ତି। ତେବେ ଲୁଧିଆନା ଘଟଣାର ପ୍ରମାଣ ମିଳିବା ପରେ ପୋଲିସ ସେହି ରିକ୍ସା ଚାଳକଙ୍କୁ ଗିରଫ କରିନେଇଛି। ଘଟଣାଟି ଲୁଧିଆନାର ଋଷି ନଗରରେ ଘଟିଛି।