ଯେତେବେଳେ ହତ୍ୟା ଅପରାଧୀ ସହ ଜେଲ୍‌ ଭିତରେ ପ୍ରେମ ହୋଇଗଲା ଜଜ୍‌ଙ୍କର

ଏମିତି ଅଜବ ଘଟଣା ହୁଏତ କେବେ କେବେ ସାମନାକୁ ଆସେ । ଯାହାକୁ ଶୁଣିଲେ ବିଶ୍ୱାସ ହୁଏନି । ତେବେ କୁହାଯାଏ ପରା ପ୍ରେମ ହେଉଛି ଅନ୍ଧ । ଆଉ ସେଇ ଅନ୍ଧ ପ୍ରେମରେ ପଡ଼ିଗଲେ ଜଣେ ମହିଳା ଜଜ୍‌ । ତାହା ପୁଣି ଜେଲ୍‌ରେ ଥିବା ଜଣେ କଏଦୀ ପ୍ରେମରେ । ସେ କଏଦୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି । ଜଜ୍‌ ଜଣକ ଜେଲ୍‌ ଭିତରକୁ ଯାଇ ସେ କଏଦୀଙ୍କୁ ଭେଟିବା ସହ ତାଙ୍କୁ ଚୁମ୍ବନ ଦେଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଗଲା ଆଉ ଏ ପ୍ରେମ କାହାଣୀ ପଦାରେ ପଡ଼ିଗଲା ।
ଏହି ଘଟଣା ଘଟିଛି ଆର୍ଜେଣ୍ଟିନାର ଦକ୍ଷିଣାଞ୍ଚଳରେ ଥିବା ଏକ ଜେଲ୍‌ରେ । କ୍ରିଷ୍ଟିଆନ ବୋଷ୍ଟସ ନାମକ ଜଣେ କଏଦୀ ନିଜର ଜଣେ ସାଙ୍ଗକୁ ଗୁଳି କରି ହତ୍ୟା କରିଥିଲା । ସେହି ଦୋଷରେ ତାକୁ ଆଜୀବନ କାରାଦଣ୍ଡର ସଜା ମିଳିଥିଲା । ଏହି ମାମଲାର ଶୁଣାଣି ବେଳେ ମାରିଅଲ ସୁଆରେଜ ନାମକ ଜଣେ ମହିଳା ଜଜ୍‌ ନିୟମିତ ଭାବେ ଜେଲ୍‌କୁ ଆସୁଥିଲେ । ସେ ବୋଷ୍ଟସଙ୍କ ସହ କଥା ବି ହେଉଥିବାର ଦେଖା ଯାଇଥିଲା । ତେବେ ଅପରାଧୀଙ୍କ ଉପରେ ଗବେଷଣା କରିବାକୁ ଆସୁଛନ୍ତି ବୋଲି ସୁଆରେଜ କହୁଥିଲେ ।
ଏହାରି ଭିତରେ ଗତ ଡିସେମ୍ବର ୨୯ ତାରିଖ ଦିନ ଜଜ୍‌ ସୁଆରେଜ୍‌ ପୁଣି ଥରେ ଜେଲ୍‌କୁ ଯାଇଥିଲେ । ସେହି ଦିନ ସେ କ୍ରିଷ୍ଟିଆନଙ୍କୁ ଚୁମ୍ବନ ଦେଉଥିବାର ସିସିଟିଭିରେ ଦେଖିବାକୁ ମିଳିଛି । ଜେଲ୍‌ ଅଧିକାରୀମାନେ ସିସିଟିଭି ଫୁଟେଜ୍‌ ବାହାର କରି ଏ ଦୃଶ୍ୟକୁ ଯାଞ୍ଚ କରିଛନ୍ତି । ଯାହା ସୂଚନା ରହିଛି, ମାମଲାର ଶୁଣାଣି ଚାଲିଥିବା ବେଳେ ମଧ୍ୟ ସେ ଏହି ହତ୍ୟା ଅପରାଧୀଙ୍କ ସପକ୍ଷରେ ଯୁକ୍ତି ବାଢ଼ି ତାଙ୍କୁ ଆଜୀବନ କାରାଦଣ୍ଡ ଦିଆଯିବା କଥାକୁ ବିରୋଧ କରିଥିଲେ ।
ସୂଚନା ଅନୁସାରେ କ୍ରିଷ୍ଟିଆନ ପୂର୍ବରୁ ଜଣେ ପୋଲିସ୍‌ କର୍ମଚାରୀ ଥିଲେ ଏବଂ ଅନ୍ୟ ଜଣେ ସାଥୀ ପୋଲିସ୍‌ କର୍ମଚାରୀଙ୍କୁ କୌଣସି କାରଣରୁ ଗୁଳି କରି ହତ୍ୟା କରିଥିଲେ । ଫଳରେ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା । ଏହାଭିତରେ ଜଜ୍‌ମାନଙ୍କୁ ନେଇ ଗଠିତ ଏକ ପ୍ୟାନେଲ ‘ପୋଲିସ୍‌ କର୍ମଚାରୀଙ୍କୁ ହତ୍ୟା ଆରୋପରେ ଜଣକୁ ଆଜୀବନ କାରାଦଣ୍ଡ ଦିଆଯିବା ଉଚିତ କି ନୁହେଁ’ ଏହି ପ୍ରସଙ୍ଗ ଉପରେ ଭୋଟ୍‌ ହେଉଥିଲା । ସୁଆରେଜ୍‌ ସେହି ପ୍ୟାନେଲରେ ଥିଲେ । ଆଉ ସେ ଏକମାତ୍ର ଜଜ୍‌ ଭାବେ ଏହାକୁ ବିରୋଧ କରିଥିଲେ ।
ତେବେ ଜଣେ କଏଦୀ ସହ ତାଙ୍କର ଚୁମ୍ବନ ଦେବାର ଭିଡିଓ ଭାଇରାଲ ହେବା ପରେ ଘଟଣାର ଗୁରୁତ୍ୱ ବଢ଼ି ଯାଇଛି । ଏହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ଚାଲିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.