Below header

ମୋକ୍ଷ ପାଇବା ପାଇଁ ପୂରା ପରିବାରକୁ ହିଁ ଶେଷ କରିଦେଲେ… ସୁଇସାଇଡ୍‌ ନୋଟରେ ଲେଖିଲେ, ‘ପିଲାମାନଙ୍କୁ ବହୁତ ଭଲ ପାଉଥିଲି, ତେଣୁ ସାଙ୍ଗରେ ନେଇ ଯାଉଛି’

ହରିୟାଣାର ହିସାରରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି, ଯେଉଁଠି ପ୍ରିଣ୍ଟିଂ ପ୍ରେସ୍ ଚଲାଉଥିବା ଜଣେ ବ୍ୟକ୍ତି ନିଜର ପୂରା ପରିବାରକୁ ହିଁ ଶେଷ କରି ନିଜେ ଆତ୍ମହତ୍ୟା କରିଛନ୍ତି। ଏହି ମାମଲା ହିସାରର ନଙ୍ଗଥଲା ଗାଁର। ଏହି ଗାଁର ୩୮ ବର୍ଷୀୟ ରମେଶ କୁମାର ନାମକ ବ୍ୟକ୍ତି ନିଜର ପୂରା ପରିବାରକୁ ମୃତ୍ୟୁର ନିଦରେ ଶୁଆଇ ଦେଇଛନ୍ତି ଏବଂ ପୁଣି ନିଜେ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଗଣମାଧ୍ୟମ ରିପୋର୍ଟ ମୁତାବକ, ରବିବାର ରାତି ପ୍ରାୟ ୧୨ଟାରେ ରମେଶ କୁମାର ନିଜ ସ୍ତ୍ରୀ ଏବଂ ତିନି ପିଲାଙ୍କୁ ଖାଦ୍ୟରେ ବିଷ ମିଶାଇ ଖାଇବାକୁ ଦେଇଥିଲେ। ଏହାର କିଛି ସମୟ ପରେ ତତଲା ରଡ୍‌ରେ ୪ ଜଣଙ୍କ ମୁଣ୍ଡକୁ ଶକ୍ତ ପ୍ରହାର ପକାଇଥିଲେ। ପରିବାରକୁ ଶେଷ କରିବା ପରେ ସେ ସୋମବାର ଭୋର୍‌ ୪ଟା ସମୟରେ ସିର୍ସା ରାଜପଥକୁ ଯାଇଥିଲେ ଏବଂ ସେଠାରେ ମଝି ରାସ୍ତାରେ ଚଳନ୍ତା ଗାଡି ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଯାଞ୍ଚ ପରେ ପୋଲିସ ମୃତ ରମେଶଙ୍କ ପକେଟରୁ ଏକ ନୋଟ୍ ପାଇଥିଲା, ଯାହାକି ଏକ ସୁଇସାଇଡ୍‌ ନୋଟ୍‌ ଥିଲା।

ନୋଟ୍‌ରେ ଲେଖା ହୋଇଥିଲା ଯେ ‘ମୁଁ ପିଲାମାନଙ୍କୁ ଏବଂ ସ୍ତ୍ରୀଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରୁଛି, ପୋଲିସକୁ ଜଣାଇ ଦିଅନ୍ତୁ’। ନୋଟ୍‌ରେ ଆହୁରି ମଧ୍ୟ ଆଶ୍ଚର୍ଯ୍ୟଜନକ କଥା ଲେଖା ହୋଇଥିଲା। ସେଥିରେ ଲେଖା ଥିଲା ଯେ ‘ତିନି ଥର ପାଟିରେ ଚଳନ୍ତା ବିଦ୍ୟୁତ୍‌ ତାର ରଖି ମରିବାକୁ ଚେଷ୍ଟା କରିଥିଲି, କିନ୍ତୁ ବଞ୍ଚିଗଲି। ଏଥିପାଇଁ ଏବେ ରାସ୍ତା ଉପରକୁ ମରିବାକୁ ଯାଉଛି, ଶରୀରର ବୋଝ କମ୍‌ କରିବା ପାଇଁ’। ରମେଶଙ୍କ ଚିଠିରେ ପରିବାରର ପ୍ରେମ, ପଇସା ଏବଂ କାମରେ କୌଣସି ଅସୁବିଧା ଥିବା କଥା ସାମ୍ନାକୁ ଆସି ନାହିଁ। ରମେଶ ଲେଖିଛନ୍ତି କି, ସେ ସନ୍ନ୍ୟାସ ନେବାକୁ ଚାହୁଁଥିଲେ, କିନ୍ତୁ ପରିବାର ଏଥିରେ ରାଜି ନ ଥିଲେ। ସେ ଆହୁରି ଲେଖିଥିଲେ ଯେ ‘ପିଲାମାନଙ୍କ ପ୍ରତି ବହୁତ ଭଲ ପାଇବା ରହିଛି, ଏଥିପାଇଁ ସେ ସେମାନଙ୍କୁ ମଧ୍ୟ ସାଙ୍ଗରେ ନେଇ ଯାଉଛନ୍ତି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.