ଆକାଶରେ ଉଡ଼ୁଥିବା ବିମାନ ଉପରକୁ ତଳେ ରହି ଗୁଳି ଚଳାଇଲେ ବ୍ୟକ୍ତି; ବିମାନରେ ବସିଥିବା ଯାତ୍ରୀଙ୍କ ଦେହରୁ ଧାର ଧାର ବୋହିଗଲା ରକ୍ତ

ମିଆଁମାରରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଆକାଶରେ ଉଡ଼ୁଥିବା ଏକ ବିମାନ ଉପରକୁ ଜଣେ ବ୍ୟକ୍ତି ତଳେ ରହି ଗୁଳି ଚଳାଇଥିଲେ, ଯାହାଫଳରେ କି, ବିମାନରେ ବସିଥିବା ଜଣେ ଯାତ୍ରୀଙ୍କ ଦେହରେ ଗୁଳି ବାଜିଥିଲା। ରିପୋର୍ଟ ମୁତାବକ, ମିଆଁମାର ନ୍ୟାସନାଲ ଏୟାରଲାଇନ୍ସର ଏକ ବିମାନ ୬୩ ଜଣ ଯାତ୍ରୀଙ୍କୁ ନେଇ ଲୋଇକାଭ (ପୂର୍ବ ରାଜ୍ୟ କାୟାର ରାଜଧାନୀ) ବିମାନ ବନ୍ଦରରେ ଅବତରଣ କରିବାକୁ ଯାଉଥିଲା। ଠିକ୍‌ ସେତିକି ବେଳେ ଏହି ପୂରା ଘଟଣା ଘଟିଥିଲା। ହଠାତ୍‌ ଜଣେ ବ୍ୟକ୍ତି ବିମାନକୁ ଗୁଳି ଚଳାଇଥିଲେ। ଏହି ସମୟରେ ବିମାନଟି ପ୍ରାୟ ୩୫୦୦ ଫୁଟ୍‌ ଉଚ୍ଚରେ ଉଡୁଥିଲା। ଆଶ୍ଚର୍ଯ୍ୟର କଥା ହେଲା ଯେ ଗୁଳିଟି ବିମାନରେ ବସିଥିବା ଜଣେ ଯାତ୍ରୀଙ୍କ ଦେହରେ ବାଜିଥିଲା।

ଏହି ଘଟଣା ସହ ଜଡିତ ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସ୍ପଷ୍ଟ ଦେଖାଯାଉଛି କି, ଗୁଳି ବିମାନର ବାହ୍ୟ ପରସ୍ତକୁ ଭେଦ କରି ଯାତ୍ରୀଙ୍କ ଦେହରେ ବାଜିଛି। ଅନ୍ୟ ଏକ ଫଟୋରେ ବିମାନରେ ବସିଥିବା ଆହତ ଯାତ୍ରୀ ମଧ୍ୟ ନଜର ଆସୁଛନ୍ତି। ଫଟୋରେ ଦେଖାଯାଇ ପାରିବ ଯେ ଯାତ୍ରୀ ଜଣକ ରକ୍ତସ୍ରାବକୁ କୌଣସି କପଡ଼ା ଦ୍ୱାରା ରୋକିବାକୁ ଚେଷ୍ଟା କରୁଛନ୍ତି। ଲୋଇକାଭରେ ମିଆଁମାର ନ୍ୟାସନାଲ ଏୟାରଲାଇନ୍ସ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ସହରକୁ ସମସ୍ତ ବିମାନ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ କରି ଦିଆଯାଇଛି।

ମିଆଁମାରର ସେନା ସରକାର ବିଦ୍ରୋହୀ ଗୋଷ୍ଠୀଙ୍କ ଉପରେ ବିମାନ ଉପରକୁ ଗୁଳି ଚଳାଇଥିବା ନେଇ ଅଭିଯୋଗ କରିଛନ୍ତି। କିନ୍ତୁ ବିଦ୍ରୋହୀ ଗୋଷ୍ଠୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ମିଆଁମାରର ଶାସକ ସୈନ୍ୟ ପରିଷଦର ପ୍ରବକ୍ତା ମେଜର ଜେନେରାଲ ଜ ମିନ୍‌ ଟୁନ୍ କହିଛନ୍ତି, ଯାତ୍ରୀ ବିମାନ ଉପରେ ଏହି ପ୍ରକାରର ଆକ୍ରମଣ ଯୁଦ୍ଧ ଅପରାଧ। ଯେଉଁ ଲୋକ ଏବଂ ସଙ୍ଗଠନ ଶାନ୍ତି ଚାହୁଁଛନ୍ତି, ସେମାନେ ଏହାକୁ ନିନ୍ଦା କରିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.