ଜେଲ୍‌ରେ ନବଜୋତ୍‌ ସିଂ ସିଦ୍ଧୁଙ୍କୁ ମିଳିବ ସ୍ପେଶାଲ ଡାଏଟ୍‌; ନିଜ ଖାଦ୍ୟର ଖର୍ଚ୍ଚ ନିଜେ ବହନ କରିବେ…

୩୪ ବର୍ଷ ପୁରୁଣା ରୋଡ୍‌ ରେଜ୍‌ ମାମଲାରେ ପଟିଆଲାର ସେଣ୍ଟ୍ରାଲ ଜେଲରେ ଦଣ୍ଡ ଭୋଗୁଛନ୍ତି ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜୋତ୍‌ ସିଂ ସିଦ୍ଧୁ। ସିଦ୍ଧୁଙ୍କୁ ଏବେ ଜେଲ୍‌ ଭିତରେ ସ୍ୱତନ୍ତ୍ର ଡାଏଟ୍‌ ଦିଆଯିବ, ଯାହାର ଖର୍ଚ୍ଚ ସେ ନିଜେ ବହନ କରିବେ। ସିଦ୍ଧୁଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନଜରରେ ରଖି କୋର୍ଟଙ୍କ ଆଦେଶରେ ଗଠିତ ମେଡିକାଲ ବୋର୍ଡ ସିଦ୍ଧୁଙ୍କ ପାଇଁ ବିଶେଷ ଡାଏଟ୍‌ ପ୍ଲାନ୍‌ ପ୍ରସ୍ତୁତ କରିଛି। କିନ୍ତୁ ଏବେ ଏହି ପ୍ଲାନ ଲାଗୁ ହୋଇ ନାହିଁ।

ଜେଲ୍‌ ଅଧିକାରୀମାନଙ୍କ କହିବା ହେଲା, ସିଦ୍ଧୁଙ୍କୁ ସରକାରୀ ହସ୍ପିଟାଲରୁ ଡାଏଟ୍‌ ପ୍ଲାନ ମିଳିନାହିଁ। ସ୍ପେଶାଲ ଡାଏଟ୍‌ ପ୍ଲାନକୁ ଜେଲ୍‌ ହସ୍ପିଟାଲର ଡାକ୍ତର ଫାଇନାଲ କରିବେ। ଏହାର ଖର୍ଚ୍ଚ ସିଦ୍ଧୁଙ୍କୁ ନିଜେ ଉଠାଇବାକୁ ପଡ଼ିବ। ଜେଲ୍‌ ନିୟମ ଅନୁସାରେ, ସିଦ୍ଧୁଙ୍କୁ ସକାଳ ୭ଟାରେ ଚା’ ସହିତ ବିସ୍କୁଟ କିମ୍ବା କଳା ଚଣା ଦିଆଯାଉଛି। ସାଢ଼େ ୮ଟାରେ ୬ଟି ରୁଟି ସହ ଡାଲି କିମ୍ବା ସବ୍‌ଜି ଦିଆଯାଉଛି। ଏହାପରେ ସନ୍ଧ୍ୟା ୬ଟାରେ ଡିନର ପାଇଁ ୬ଟି ରୁଟି ସହ ଡାଲି କିମ୍ବା ସବ୍‌ଜି ଦିଆଯାଉଛି। କିନ୍ତୁ ଏ ପର୍ଯ୍ୟନ୍ତ ସିଦ୍ଧୁ ସାଲାଡ୍‌ ଓ ଫଳ ହିଁ ଖାଉଛନ୍ତି।

ଜେଲ ପ୍ରଶାସନର କହିବା ହେଲା, ସିଦ୍ଧୁ ସପ୍ତାହରେ ମାତ୍ର ୨୫୦୦ ଟଙ୍କା ଖର୍ଚ୍ଚ କରି ପାରିବେ। ଏହି ରାଶି ଜେଲ୍‌ ପ୍ରଶାସନ ତରଫରୁ ତିଆରି ବ୍ୟାଙ୍କ ଆକାଉଣ୍ଟରେ ପରିବାର ଲୋକଙ୍କ ତରଫରୁ ଜମା କରାଯିବ। ସ୍ପେଶାଲ ଡାଏଟ୍‌ ପ୍ଲାନରେ ସାମିଲ ଖାଦ୍ୟ ଗୁଡ଼ିକୁ ଜେଲ୍‌ କ୍ୟାଣ୍ଟିନରୁ ଉପଲବ୍ଧ କରାଯିବ ଏବଂ ଯେଉଁ ଜିନିଷ ବାହାରୁ ମଗାଯିବା କଥା, ତାହାର ବିକଳ୍ପ ଜେଲ ଡାକ୍ତରମାନେ ଦେବେ। ସେପଟେ ସିଦ୍ଧୁଙ୍କୁ ଜେଲରେ କଏଦୀ ମାନଙ୍କର ଫାଇଲ୍‌ ଦେଖିବା କାମ ଦିଆଯାଇଛି। ଗୁରୁବାର ସେ ନିଜ ବାରାକ୍‌ରେ ଏହି କାମ କରିଥିଲେ।

ତେବେ ମେଡିକାଲ ବୋର୍ଡ ସିଦ୍ଧୁଙ୍କୁ ପ୍ରତିଦିନ ୧୦ରୁ ୧୨ ଗ୍ଲାସ୍‌ ପାଣି ପିଇବାକୁ ଏବଂ ୩୦ରୁ ୪୫ ମିନିଟ୍‌ ପର୍ଯ୍ୟନ୍ତ ବ୍ୟାୟାମ କରିବାକୁ ପରାମର୍ଶ ଦେଇଛି। ତାଙ୍କୁ ପ୍ରୋସେସ୍‌ଡ ଖାଦ୍ୟ, ଘି, ଲହୁଣୀ ଆଦି ଖାଇବା ଠୁ ଦୂରେଇ ରହିବାକୁ କୁହାଯାଇଛି। ସିଦ୍ଧୁଙ୍କ ଖାଦ୍ୟରେ ଅଲିଭ୍‌ ଅଏଲ କିମ୍ବା ରାଇସ୍‌ ଅଏଲ୍‌ ବ୍ୟବହାର କରାଯାଇ ପାରେ। ସେହିପରି ଭୋଜନରେ ଅଳ୍ପ ମାତ୍ରାରେ ଆୟୋଡିନ ଯୁକ୍ତ ଲୁଣ ପ୍ରୟୋଗ କରାଯାଇ ପାରେ। ସରକାରୀ ରାଜିନ୍ଦରା ହସ୍ପିଟାଲର ବିଶେଷଜ୍ଞ ଡାକ୍ତରୀ ଟିମ୍‌ ସିଦ୍ଧୁଙ୍କ ପାଇଁ ସକାଳ, ଦ୍ୱିପ୍ରହର, ସନ୍ଧ୍ୟା ଏବଂ ରାତି ଭୋଜନ ଲାଗି ସ୍ପେଶାଲ ଡାଏଟ୍‌ ପ୍ରସ୍ତୁତ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.