ମଦ ପିଇ ନିଶାରେ ଗାଡି ଚଲାଉଥିଲେ ଯୁବକ, କୋର୍ଟ ଦେଲେ ଐତିହାସିକ ଦଣ୍ଡ

ନୂଆଦିଲ୍ଲୀ : ଦିନକୁ ଦିନ ମଦ ପିଇ ଗାଡି ଚାଳକଙ୍କ ଯେପରି ଭାବରେ ଦୁର୍ଘଟଣା ଘଟୁଛି ତାହା ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟି ଯାଇଛି। ବାରମ୍ବାର ସଚେତନତା ଓ ଫାଇନ ସତ୍ତ୍ୱେ ଦୁର୍ଘଟଣା କମିବାର ନାଁ ନେଉ ନାହିଁ। ଏଭଳି ସ୍ଥିତିରେ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି। ଜଣେ ମଦ୍ୟପ ଯୁବକ ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଉଥିବା ବେଳେ ପୋଲିସ ହାତରେ ଧରାପଡି ଦିଲ୍ଲୀର ଏକ କୋର୍ଟକୁ  ଚାଲଣ ହୋଇଥିଲେ। କୋର୍ଟରେ ଜଜ୍‌ ସେହି ଯୁବକଙ୍କୁ ୨ ସପ୍ତାହ ପାଇଁ ଵୃଦ୍ଧାଶ୍ରମରେ ୭ ଘଣ୍ଟା କାମ କରିବାର ସଜା ଶୁଣାଇଛନ୍ତି ।

ଟ୍ରାଏଲ କୋର୍ଟର ଆଦେଶକୁ ବଳବତ୍ତର ରଖି ଅତିରିକ୍ତ ଦୌରା ଜଜ୍‌ ସୋନୁ ଅଗ୍ନିହୋତ୍ରୀ ଏହି ସଜାକୁ ଶୁଣାଇ ଥିଲେ। ଦୁଇ ଦିନ ଜେଲ ଦଣ୍ଡ ବଦଳରେ ଵୃଦ୍ଧାଶ୍ରମ ସେବା ପାଇଁ ଯୁବକଙ୍କୁ ଏହି ସଜା ଶୁଣାଇଛନ୍ତି। ଏହା ସହିତ କୋର୍ଟ ଦୁଇ ସପ୍ତାହ ପରେ ଵୃଦ୍ଧାଶ୍ରମରେ ସେବା କରିଥିବା ସବୁ ଦିନର ଫଟୋକୁ କୋର୍ଟରେ ଜମା କରିବାର ନିର୍ଦ୍ଦେଶ ଦେଇଛନ୍ତି । ଆଶ୍ରମର ମ୍ୟାନେଜରଙ୍କୁ ମଧ୍ୟ ଏହି ଯୁବକ ଜଣଙ୍କର କାମ କରିବାର ପ୍ରମାଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ଟ୍ରାଏଲ କୋର୍ଟ ଯୁବକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଧ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଯୁବକ ଜଣଙ୍କ ଟ୍ରାଏଲ କୋର୍ଟର ଅଦେଶକୁ ଚ୍ୟାଲେଞ୍ଜ କରିଥିଲେ

ଦୋଷୀ ଯୁବକଙ୍କର ଏକ ନିଜସ୍ୱ କମ୍ପାନୀ ଅଛି। ସେ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟରେ ଟ୍ରାଏଲ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରିଥିଲେ। ଟ୍ରାଏଲ କୋର୍ଟ ଦୁଇଦିନର ଜେଲଦଣ୍ଡ ସହ ୨୦୦୦ ଟଙ୍କା ଜରିମାନାର ରାୟ ଶୁଣାଇଥିଲେ। ଏହା ସହିତ ଚଳିତ ବର୍ଷ ୬ମାସ ପର୍ଯ୍ୟନ୍ତ ଡ୍ରାଇଭିଙ୍ଗ ଲାଇସେନ୍ସ ରଦ୍ଧ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜଜ୍‌ ଅଗ୍ନିହୋତ୍ରୀ କହିଥିଲେ ଯୁବକ ଜଣକ ତାଙ୍କ ପରିବାରର ଜଣେ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଅଟନ୍ତି । ସେ ପ୍ରଥମ ଥର ପାଇଁ ନିଶାରେ ଗାଡି ଚଲାଇବା ବେଳେ ଧରାପଡିଥିଲେ। ତେଣୁ ତାଙ୍କ ସହିତ ନରମ ଭାବ ପ୍ରକାଶ କରାଯାଇଥିଲା।