ନୋଏଡା ପରେ ଗାଜିଆବାଦରେ ଏସି ବିସ୍ଫୋରଣ, ହୁତୁହୁତୁ ହୋଇ ଜଳିଲା ବିଲିଡିଂ

ଉତ୍ତର ପ୍ରଦେଶ ନୋଏଡା ପରେ ଗାଜିଆବାଦର ପୋଶ ଅଞ୍ଚଳରେ ଅଗ୍ନିକାଣ୍ଡ ହୋଇଛି । ଘରେ ବିସ୍ଫୋରଣ ହେବା ପରେ ପ୍ରଥମ ମହଲା ଏବଂ ଦ୍ୱିତୀୟ ମହଲା ପର୍ଯ୍ୟନ୍ତ ନିଆଁ ଲାଗିଛି । ଘଟଣା ସ୍ଥଳରେ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ସୂଚନା ମୁତାବକ, ଗାଜିଆବାଦର ପୋଶ ଅଞ୍ଚଳରେ ବସୁନ୍ଧରା ସେକ୍ଟର-୧ରେ ଥିବା ଏକ ସୋସାଇଟିରେ ଘରେ ଏସି ଫାଟିଛି । ଫଳରେ ବିଲିଡିଂରେ ଭୟଙ୍କର ନିଆଁ ଲାଗିଛି । ଭୟଙ୍କର ନିଆଁ ଦୁଇ ମହଲା ପର୍ଯ୍ୟନ୍ତ ପହଞ୍ଚିଛି । ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ଗାଡି ନିଆଁକୁ ଆୟତ୍ତ କରିଛି । ସୁରକ୍ଷା ଦୃଷ୍ଟିରୁ ଏଲପିଜି ସଂଯୋଗ କଟାଯାଇଛି । ତେବେ ଘଟଣାରେ କେହି ଆହତ ହୋଇନାହାନ୍ତି ।

ଏହାପୂର୍ବରୁ ଗାଜିଆବାଦର ଇନ୍ଦିରାପୁରମ ଅୟ୍ଚଳରେ ୩ ମହଲା ବିଲିଡିଂରେ ଏସି ଫାଟିବା ଯୋଗୁଁ ନିଆଁ ଲାଗିଯାଇଥିଲା । ବିସ୍ଫୋରଣ ଯୋଗୁଁ ପୁରା ବିଲିଡିଂରେ ଧୂଆଁ ଭର୍ତ୍ତି ହୋଇଯାଇଥିଲା । ଲୋକମାନେ ଭୟଭୀତ ହୋଇ ଘର ବାହାରକୁ ଦୌଡିଥିଲେ । ଦମକଳ ଗାଡି ଏକ ଘଣ୍ଟା ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିଥିଲା ।

ଏହି ଘଟଣା ପରେ ନୋଏଡା ସେକ୍ଟର ୧୦୦ ସ୍ଥିତ ଲୋଟସ ବୁଲେଓ୍ଵାର୍ଡ ସୋସାଇଟିରେ ଏସି ଫାଟିବା ଯୋଗୁଁ ନିଆଁ ଲାଗିଯାଇଥିଲା । ନିଆଁରେ ଦୁଇଟି ଫ୍ଲାଟ ଛାରଖାର ହୋଇଥିଲା । ଘଟଣା ସ୍ଥଳରେ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ଆଜିକାଲି ଏସି ପ୍ରତ୍ୟେକ ଘର ପାଇଁ ଏକ ଆବଶ୍ୟକତା ପାଲଟିଛି । କିନ୍ତୁ ଅନେକ ଲୋକ ଅସାବଧାନତା ଅବଲମ୍ବନ କରନ୍ତି, ଯେଉଁଥିପାଇଁ ଏସିରେ ବିସ୍ଫୋରଣର ଆଶଙ୍କା ବଢ଼ିଯାଇଥାଏ । ତେବେ ଭୀଷଣ ଗରମ ଯୋଗୁଁ ଆପଣମାନେ ଯଦି ଏସି ଲଗାଉଛନ୍ତି, ତେବେ ସାବଧାନ ରୁହନ୍ତୁ । ଏସି ଚଲାଇବା ବେଳେ ସତର୍କତା ଅବଲମ୍ବନ କରନ୍ତୁ । ଏସି ବନ୍ଦ କରିବା ପରେ ମେନ୍‌ ସୁଇଚକୁ ବନ୍ଦ କରନ୍ତୁ ।

ଆପଣଙ୍କୁ ଦିନରାତି ଏସି ଲଗାଇବା ଉଚିତ ନୁହେଁ । ଦୀର୍ଘ ସମୟ ଧରି ଏସି ଚଳାଇବା ମଧ୍ୟ ଅତ୍ୟନ୍ତ ବିପଜ୍ଜନକ ବୋଲି ପ୍ରମାଣିତ ହୋଇଥାଏ । ଏପରି ପରିସ୍ଥିତିରେ, ACକୁ ଆବଶ୍ୟକ ନହେବା ସମୟରେ ବନ୍ଦ କରିବା ଜରୁରୀ ହୋଇଥାଏ । ରାତିରେ ଶୋଇବା ସମୟରେ ଏସିର ତାପମାତ୍ରା ଏବଂ ଟାଇମର ସେଟ କରିବା ଉଚିତ ଯାହାଦ୍ୱାରା ଏସି ଉପରେ ଅଧିକ ଲୋଡ଼ ପଡିବ ନାହିଁ ।

Leave A Reply

Your email address will not be published.