ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ସୁନୀତା, ସ୍ପେସ୍ ମିଶନରେ ମହାକାଶଯାନ ଉଡ଼ାଇ ରଚିଲେ ଇତିହାସ

ମହାକାଶକୁ ଅନେକ ମହାକାଶଚାରୀ ଯାତ୍ରା କରୁଛନ୍ତି । କିନ୍ତୁ ବର୍ତ୍ତମାନ ଯାତ୍ରା କରିଥିବା ଜଣେ ମହିଳା ମହାକାଶଚାରୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ ହାସଲ କରିଛନ୍ତି ଏକ ବଡ଼ ସଫଳତା । ସ୍ପେସ୍ ମିଶନରେ ମହାକାଶଯାନ ଉଡ଼ାଇଥିବା ସୁନୀତା ୱିଲିୟମ୍ସ ହୋଇଛନ୍ତି ପ୍ରଥମ ମହିଳା । ବୋଇଙ୍ଗ ଷ୍ଟାରଲାଇନ୍ ଉଡ଼ାଣ ଭରିବା ସହିତ ସୁନୀତାଙ୍କ ନାମ ଇତିହାସର ପୃଷ୍ଠାରେ ଲେଖା ହୋଇଯାଇଛି । ବୋଇଙ୍ଗର ଷ୍ଟାରଲାଇନର୍ କ୍ୟାପସୁଲରେ ଫ୍ଲୋରିଡାର କେପ କ୍ୟାନଭେରାଲରୁ ସୁନୀତା ୱିଲିୟମ୍ସ ଏହି ଉଡ଼ାଣ ଭରିଛନ୍ତିି । ଏହି ସମୟ ମଧ୍ୟରେ ନାସାର ମହାକାଶଚାରୀ ବଚ୍‌ ୱିଲମୋର ମଧ୍ୟ ତାଙ୍କ ସହ ମହାକାଶ ଯାତ୍ରା କରିଛନ୍ତି । ସୁନୀତାଙ୍କ ଏହି ପଦକ୍ଷେପକୁ ନେଇ କେବଳ ଭାରତ ନୁହେଁ ସାରା ବିଶ୍ୱରେ ତାଙ୍କର ଚର୍ଚ୍ଚା ହେଉଛି ।

ସୁନୀତା ୱିଲିୟମ୍ସ ବୁଧବାର ତୃତୀୟ ଥର ପାଇଁ ମହାକାଶକୁ ଉଡ଼ାଣ ଭରିଛନ୍ତି । ବୋଇଙ୍ଗର CST-100 ଷ୍ଟାରଲାଇନର୍ ମହାକାଶ ଯାନରେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ ପାଇଁ ପ୍ରଥମ ମହାକାଶଚାରୀ ଭାବେ ଉଡ଼ାଣ ଭରିଛନ୍ତି । ଏଭଳି ମିଶନରେ ମହାକାଶକୁ ଯାଇଥିବା ସେ ହେଉଛନ୍ତି ପ୍ରଥମ ମହିଳା । ୱିଲିୟମ୍ସ ଏବଂ ବଚ ୱିଲମୋରଙ୍କୁ ନେଇ ବୋଇଙ୍ଗର କ୍ରୁ ଫ୍ଲାଇଟ୍ ଟେଷ୍ଟ ମିଶନ ଫ୍ଲୋରିଡାର କେପ କ୍ୟାନଭେରାଲ ସ୍ପେସ୍ ଫୋର୍ସ ଷ୍ଟେସନରୁ ଉଡ଼ାଣ ଭରିଥିଲା । ୫୮ ବର୍ଷିୟ ୱିଲିୟମ୍ସ ଫ୍ଲାଇଟ୍ ଟେଷ୍ଟ ପାଇଲଟ୍ ହୋଇଥିବାବେଳେ ୬୧ ବର୍ଷିୟ ୱିଲମୋର ମିଶନର କମାଣ୍ଡର ଭାବେ ସ୍ପେସ୍‌ କୁ ଯାଇଛନ୍ତି । ପୂର୍ବରୁ ଏହି ମିଶନ ଅନେକ ଥର ପ୍ରଭାବିତ ହୋଇଛି । କିନ୍ତୁ ଏବେ ଏହି ମିଶନ ସଫଳତାର ସହ ସ୍ପେସ୍‌ ଷ୍ଟେସନ ଅଭିମୁଖେ ଯାଇଛି । ଏବଂ ଏହା ଆଜି ରାତି ୧୨.୧୫ ରେ ସ୍ପେସ୍ ଷ୍ଟେସନରେ ପହଞ୍ଚିବାର ସମ୍ଭାବନା ଅଛି ।

ସୁନୀତା ୱିଲିୟମ୍ସଙ୍କ ପାଇଁ ଏହି ଉଡ଼ାଣ ତାଙ୍କ କ୍ୟାରିୟର ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହାପୂର୍ବରୁ ସେ ୨୦୦୬ ଏବଂ ୨୦୧୨ରେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ ପାଇଁ ଯାତ୍ରା କରିଥିଲେ । ଷ୍ଟାରଲାଇନର୍ କ୍ୟାପସୁଲ୍ ଉଡ଼ାଣ ଭରିବାର ପ୍ରାୟ ୨୬ ଘଣ୍ଟା ପରେ ଏହା ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ପହଞ୍ଚିବାକୁ ଚେଷ୍ଟା କରିବ । ଏହି ସମୟ ମଧ୍ୟରେ ସୁନୀତା ୱିଲିୟମ୍ସ ଏବଂ ବଚ୍‌ ୱିଲମୋର ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ସ୍ପେସ୍ ଷ୍ଟେସନରେ ରହିବେ ଏବଂ ସେଠାରେ ଆବଶ୍ୟକ ପରୀକ୍ଷା କରିବେ ।

ସୁନୀତା ୱିଲିୟମ୍ସ ଏବଂ ୱିଲମୋରଙ୍କ ଏହି ମିଶନ ବ୍ୟବସାୟିକ ପାର୍ଟନରସିପ୍‌ ମାଧ୍ୟମରେ ମଣିଷ ମହାକାଶକୁ ଯିବା ପାଇଁ ରାସ୍ତା ଦେଖାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରମାଣିତ ହେବ । ସୂଚନାଯୋଗ୍ୟ ଯେ ୨୦୧୨ରେ ସୁନୀତା ୱିଲିୟମ୍ସ ପ୍ରଥମ ମହିଳା ଭାବରେ ମହାକାଶରେ ଏକ ଟ୍ରାଇଥଲନ୍ ସମାପ୍ତ କରିଥିଲେ । ସୁନୀତା ୱିଲିୟମ୍ସ ପୁଣି ଥରେ ପ୍ରମାଣ କରିଛନ୍ତି ଯେ ତାଙ୍କର ସୀମା କେବଳ ଆକାଶ ନୁହେଁ ବରଂ ମହାକାଶରେ ମଧ୍ୟ ସେ ଯାତ୍ରା କରି ରେକର୍ଡ କରିବେ । ତାଙ୍କର ଅବଦାନ ମହାକାଶ ରିସର୍ଚ୍ଚରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଭବିଷ୍ୟତ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ହେବ ।

 

Leave A Reply

Your email address will not be published.