ପୁରୁଷଙ୍କ ବିନା ଦୂର ସ୍ଥାନକୁ ଯାତ୍ରା କରିପାରିବେନି ମହିଳା: ତାଲିବାନ ଆଣିଲା ନୂଆ ନିୟମ

କାବୁଲ: ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପରେ ମହିଳାଙ୍କ ଉପରେ ପ୍ରତିବନ୍ଧକ ବଢ଼ିବାରେ ଲାଗିଛି। ମହିଳାମାନଙ୍କୁ ଘରର ସୀମା ମଧ୍ୟରେ ବନ୍ଦୀ ରଖିବା ପାଇଁ ପ୍ରତିବନ୍ଧକ ଲଗାଯାଉଛି । ଛାତ୍ରୀ ମାନଙ୍କୁ ସ୍କୁଲ ଯିବା ଠାରୁ ଆରମ୍ଭ କରି ମହିଳାଙ୍କ ଘରୁ ଗୋଡ କାଢ଼ିବା ପର୍ଯ୍ୟନ୍ତ ବିଭିନ୍ନ ନିୟମ ଏବେ ଲାଗୁ କରିବା ଆରମ୍ଭ କରିଦେଇଛନ୍ତି ତାଲିବାନୀ ମାନେ । ଏହି କ୍ରମରେ ତାଲିବାନ ସରକାର ଏକ ଆଦେଶ ଜାରି କରିଛନ୍ତି ଯେ ମହିଳା ମାନେ ପୁରୁଷ ସମ୍ପର୍କୀୟଙ୍କ ବିନା ଲମ୍ବା ଦୂର ସ୍ଥାନକୁ ଯାତ୍ରା କରିପାରିବେ ନାହିଁ । ପୁରୁଷ ସମ୍ପର୍କୀୟ ଥିଲେ ହିଁ ସେମାନେ ଘରୁ ଗୋଡ କାଢ଼ିପାରିବେ ଓ ଦୂର ସ୍ଥାନକୁ ଯାତ୍ରା କରିପାରିବେ ।

ତାଲିବାନ କହିଛି ଯେ ମଧ୍ୟମ ଏବଂ ଦୂର ସ୍ଥାନକୁ ଯାତ୍ରା କରୁଥିବା ମହିଳାଙ୍କୁ ଏକୁଟିଆ ଯାତ୍ରା କରିବାକୁ ଦିଆଯିବ ନାହିଁ। ଜଣେ ଘନିଷ୍ଠ ପୁରୁଷ ସମ୍ପର୍କୀୟ ତାଙ୍କ ସହିତ ରହିବା ବାଧ୍ୟତାମୂଳକ ବୋଲି କହିଛି । ତାଲିବାନର ଗୁଣବତ୍ତା ଏବଂ ଆଣ୍ଟି-ଇଭିଲ୍ ମନ୍ତ୍ରଣାଳୟ ଦ୍ୱାରା ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ମନ୍ତ୍ରଣାଳୟର ମୁଖପାତ୍ର ସାଦିକ ଆକିଫ ମୁହାଜିର କହିଛନ୍ତି ଯେ ବର୍ତ୍ତମାନ ଯେଉଁ ମହିଳାମାନେ ୭୨ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିବେ ସେମାନଙ୍କ ପୁରୁଷ ସମ୍ପର୍କୀୟଙ୍କ ବିନା ଯାତ୍ରା କରିବାର ସୁବିଧା ମିଳିବ ନାହିଁ।

ଖାଲି ସେତିକି ନୁହେଁ ତାଲିବାନୀ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ୍ ମୁତାବକ, ଗାଡ଼ି ମାଲିକ ଓ ତାର ଡ୍ରାଇଭର୍ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, କେବଳ ବୁର୍ଖା ପିନ୍ଧିଥିବା ମହିଳାଙ୍କୁ ହିଁ ଗାଡ଼ିରେ ବସିବାକୁ ଅନୁମତି ଦିଆଯିବ। ଏହା ବ୍ୟତୀତ ଗାଇଡଲାଇନ୍ ରେ ଗାଡ଼ିରେ ମ୍ୟୁଜିକ୍ ବଜାଇବା ଉପରେ ବି ରୋକ୍ ଲଗାଯାଇବାକୁ କୁହାଯାଇଛି । କେହି ବି ନିଜ ଗାଡ଼ିରେ ଗୀତ ଲଗାଇ ପାରିବେ ନାହିଁ ।

କିଛି ଦିନ ପୂର୍ବରୁ ଆଉ ଏକ ନିର୍ଦ୍ଦେଶ ଦିଆଯାଇଥିଲା ଯେ, ଯେଉଁ ଟିଭି କାର୍ଯ୍ୟକ୍ରମରେ ମହିଳା ମାନେ ସାମିଲ ରହିଛନ୍ତି ସେହି ଚ୍ୟାନେଲ ଓ କାର୍ଯ୍ୟକ୍ରମର ପ୍ରସାରଣକୁ ବନ୍ଦ କରାଯାଉ । ଏଥିସହିତ ମହିଳା ନ୍ୟୁଜ୍ ଆଙ୍କର୍ ମାନଙ୍କୁ ସ୍କାର୍ଫ ପିନ୍ଧିବାକୁ ବି କୁହାଯାଇଥିଲା ।

ତାଲିବାନ କ୍ଷମତାକୁ ଆସିବା ପରେ ମହିଳାଙ୍କ ବିରୋଧରେ କଟକଣା ଲାଗୁ କରାଯାଇଛି। ଆଫଗାନିସ୍ତାନରେ ମହିଳାଙ୍କ ଶିକ୍ଷା ତଥା ଅଧିକାରର ଉଲ୍ଲଂଘନକୁ ନେଇ ବିଶ୍ୱ ଉଦ୍ବେଗ ପ୍ରକାଶ କରୁଛନ୍ତି। ତାଲିବାନ ଦୁନିଆକୁ ଦେଖାଇବାକୁ ଦାବି କରେ ଯେ ଏହା ମହିଳା ଶିକ୍ଷା ବିରୁଦ୍ଧରେ ନୁହେଁ। ମହିଳାମାନଙ୍କୁ କାମ କରିବାକୁ ଅନୁମତି ଦିଆଯାଉଛି, କିନ୍ତୁ ସେମାନଙ୍କର ପ୍ରକୃତ ରଙ୍ଗ ଦୁନିଆରୁ ଲୁଚି ନାହିଁ । ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ ରବିବାର ଦିନ କହିଛନ୍ତି ଯେ ତାଲିବାନ ଶାସନରେ ରହୁଥିବା ଆଫଗାନିସ୍ତାନ ମହିଳା ଏବଂ ବାଳିକାମାନଙ୍କ କଲ୍ୟାଣ ପାଇଁ ସେ ଚିନ୍ତିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.