ଶ୍ରଦ୍ଧା ହତ୍ୟା ମାମଲା : ଓକିଲ କହିଲେ ଆଫତାବ ଏଯାଏ କୋର୍ଟରେ ହତ୍ୟା କଥା ସ୍ୱୀକାର କରିନି

ନୂଆଦିଲ୍ଲୀ : ଶ୍ରଦ୍ଧା ହତ୍ୟାକାଣ୍ଡ ଏବେ ସବୁଦିନେ ଦେଶର ପ୍ରତ୍ୟେକ ଗଣମାଧ୍ୟମର ମୁଖ୍ୟ ଖବର ପାଲଟିଛି । ହତ୍ୟା ଅଭିଯୁକ୍ତ ଆଫତାବ ପୁନାଓ୍ଵାଲାକୁ ପଚରା ଉଚରା ଚାଲିବା ସହ ପୋଲିସ୍ ସିନ୍ ରିକ୍ରିଏଟ୍ କରିବାକୁ ଚେଷ୍ଟା କରୁଛି । ପୋଲିସ୍ର ସୂଚନା ଅନୁସାରେ, ଆଫତାବ ନିଜ ଦୋଷ ସ୍ୱୀକାର କରିଛି ଏବଂ ପ୍ରେମିକା ଶ୍ରଦ୍ଧା ତାକୁ ବିରକ୍ତ କରିବାରୁ ଅଚାନକ ରାଗି ଯାଇ ତାକୁ ହତ୍ୟା କରିଛି । ଅବଶ୍ୟ ଏକଥା ମଧ୍ୟ ସତ ଯେ ଆଫତାବ ଦେଖାଇଥିବା ଜାଗାରୁ ପୋଲିସ୍ ଶ୍ରଦ୍ଧାଙ୍କ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ଉଦ୍ଧାର କରିଛି ।
ହେଲେ ଏସବୁ ଖବର ଭିତରେ ପୂରା ବିପରୀତ ଖବର ଦେଉଛନ୍ତି ଆଫତାବଙ୍କ ଓକିଲ ଅବିନାଶ କୁମାର । ସେ ଗତକାଲି ଆଫତାବଙ୍କୁ ଭେଟି ପ୍ରାୟ ୭ ମିନିଟ୍ ଯାଏ କଥା ହୋଇଥିଲେ । ତାଙ୍କ କହିବା କଥା, ସେତେବେଳେ ଆଫତାବ ପୂରା ରିଲାକ୍ସ ମୁଡ୍ରେ ଥିଲେ । ତା ଉପରେ କିଛି ଚାପ ଥିବା କିମ୍ବା ସେ ଚିନ୍ତାରେ ଥିଲା ଭଳି ଜଣାପଡୁନଥିଲା । ଆଉ କୋର୍ଟରେ ସେ କେବେବି ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା କଥା ସ୍ୱୀକାର କରି ନାହିଁ ବୋଲି ତାଙ୍କୁ କହିଛି । ଏମିତିକି ଆଫତାବ ପରିବାର ଲୋକେ କେଉଁଠି ଲୁଚିଛନ୍ତି ତାହା ତାଙ୍କୁ ଜଣାନାହିଁ । ସେ ମଧ୍ୟ ସେମାନଙ୍କ ସହ ଯୋଗାଯୋଗ କରିବାକୁ ଉଦୃମ କରୁଛନ୍ତି ବୋଲି ଅବିନାଶ କୁମାର କହିଛନ୍ତି ।
ଆହୁରି ମଧ୍ୟ ପୋଲିସ୍ ଠାରୁ ଚାର୍ଜସିଟ୍ ମିଳିଲେ ସେ ଆଫତାବର ଜାମିନ ପାଇଁ ଆବେଦନ କରିବେ ବୋଲି ଅବିନାଶ କହିଛନ୍ତି । ଆଫତାବ ମଧ୍ୟ ତାଙ୍କୁ ଓକିଲ ଭାବେ ପାଇ ଭାରି ଖୁସି ଏବଂ ତୁମେ ହିଁ ମୋ କେସ୍ ଲଢ଼ିବ ବୋଲି କହିଥିବା ଅବିନାଶ କୁମାର କହିଛନ୍ତି ।
ତେବେ ଏହି ୭ ମିନିଟିଆ ସାକ୍ଷାତକାରରେ ସେ ଆଫତାବ ସହ ଶ୍ରଦ୍ଧା ହତ୍ୟାକାଣ୍ଡକୁ ନେଇ କୌଣସି କଥା ହୋଇ ପାରି ନାହାନ୍ତି । କାରଣ ସେତେବେଳ ସେଠାରେ ପୋଲିସ୍ ମଧ୍ୟ ଉପସ୍ଥିତ ଥିଲା । ଆଫତାବ ଯେଭଳି ଶାନ୍ତ ଓ ସ୍ମାର୍ଟ ଅଛି ସେଥିରୁ ଲାଗୁନାହିଁ କି ସେ ଶ୍ରଦ୍ଧାର ହତ୍ୟା କରିଛି ବୋଲି । ଆଫତାବ ନିଜର ପକ୍ଷ ରଖି ନିଜକୁ ରକ୍ଷା କରିବା ହେଉଛି ତାର ସାମ୍ବିଧାନିକ ଅଧିକାର । ଏଥିରେ ମୁଁ ସାହାଯ୍ୟ କରୁଛି । ଯଦି ଏହି କାମ ମୁଁ କରିନଥାନ୍ତି ତେବେ ମୋ ଜାଗାରେ ଆଉ କେହି କରିଥାନ୍ତା ବୋଲି ଓକିଲ ଅବିନାଶ କୁମାର କହିଛନ୍ତି ।
ଏପଟେ ଆଫତାବକୁ ଆଉ ଚାରି ଦିନ ରିମାଣ୍ଡରେ ନେବା ପାଇଁ ଦିଲ୍ଲୀ କୋର୍ଟ ଅନୁମତି ଦେଇଛନ୍ତି । ପୂର୍ବରୁ ପୋଲିସ୍ ତାକୁ ୫ ଦିନିଆ ରିମାଣ୍ଡରେ ନେଇଥିଲା । ଯାହା ଗତକାଲି ଶେଷ ହେବା ପରେ ଏହାକୁ କୋର୍ଟ ଆଉ ୪ ଦିନ ବଢ଼ାଇଛନ୍ତି । ଗତକାଲି ଆଫତାବର ପଲିଗ୍ରାଫ ଟେଷ୍ଟ ହୋଇଥିଲା । ସେଥିରେ ପୋଲିସ୍ ତାକୁ ୧୫ରୁ ୨୦ଟି ପ୍ରଶ୍ନ ପଚାରିଥିବା ସୂଚନା ମିଳିଛି ।
ଅଭିଯୋଗ ଅନୁସାରେ ଆଫତାବ ତାର ଦୀର୍ଘ ଦିନର ପ୍ରେମିକା ଶ୍ରଦ୍ଧା ଓ୍ଵାକରଙ୍କୁ ମାରି ତାଙ୍କ ଶରୀରକୁ ୩୫ ଖଣ୍ଡରେ କାଟି ଦେଇଥିଲା । ପରେ ଫ୍ରିଜ୍ରେ ରଖି ଅଳ୍ପ ଅଳ୍ପ କରି ବାହାରେ ଫୋପାଡ଼ିଥିଲା