ବିମାନର ଜରୁରିକାଳୀନ ଅବତରଣ: ପ୍ରେସରାଇଜ୍‌ ସିଷ୍ଟମ୍‌ ଫେଲ, ୩୦ ହଜାର ଫୁଟ ଉପରେ ୧୨ ମିନିଟ୍‌ କାଳ ନିଃଶ୍ୱାସ ନେଇ ପାରିଲେନି ୧୭୨ ଯାତ୍ରୀ

ଅହମଦାବାଦରୁ ପାଟନା ଆସୁଥିବା ସ୍ପାଇସ୍‌ଜେଟର ଫ୍ଲାଇଟ ଏସ୍‌ଜେ ୩୯୨ ଅବତରଣ କରିବାର ୧୨ ମିନିଟ୍‌ ପୂର୍ବରୁ ହିଁ ବିମାନର ପ୍ରେସରାଇଜ୍‌ ସିଷ୍ଟମ୍‌ ଫେଲ ହୋଇ ଯାଇଥିଲା। ଯାହାଫଳରେ ସେହି ୧୨ ମିନିଟ୍‌ କାଳ ଯାତ୍ରୀମାନଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥିଲା ଏବଂ ସିଟ୍‌ ଉପରେ ଲାଗିଥିବା ଅକ୍ସିଜେନ ମାସ୍କ ଆପେ ଖୋଲି ଲଟକି ଯାଇଥିଲା। ବିମାନରେ ୧୭୨ ଯାତ୍ରା ଥିଲେ। କିଛି ଯାତ୍ରୀ ଏହି ଘଟଣାକୁ ନେଇ ଏତେ ଡରି ଯାଇଥିଲେ ଯେ ସେମାନେ ନିରାପଦରେ ଭୂମିରେ ଓହ୍ଲାଇବେ ବୋଲି ବିଶ୍ୱାସ କରିପାରୁ ନ ଥିଲେ। ଯଦିଓ ପାଇଲଟ ସୁରକ୍ଷିତ ଢଙ୍ଗରେ ବିମାନର ଏମରଜେନ୍ସି ଲ୍ୟାଣ୍ଡିଙ୍ଗ୍‌ କରେଇଥିଲେ ଏବଂ ଏହାକୁ ପାର୍କିଂ ପର୍ଯ୍ୟନ୍ତ ପହଞ୍ଚାଇବାରେ ସଫଳ ରହିଥିଲେ। ପାଟନା ଏୟାରପୋର୍ଟରେ ବିମାନ ଅବତରଣ କରିବା ପରେ ଯାତ୍ରୀମାନେ ଦୀର୍ଘ ନିଃଶ୍ୱାସ ନେଇଥିଲେ।

ରିପୋର୍ଟ ମୁତାବକ, ଯେଉଁ ସମୟରେ ବିମାନ ୟୁପି, ବିହାର ସୀମାରେ ପହଞ୍ଚୁ ଥିଲା, ସେହି ସମୟରେ ବିମାନରେ ତ୍ରୁଟି ଦେଖା ଦେଇଥିଲା। ପ୍ରଥମେ ଇଞ୍ଜିନରେ ତ୍ରୁଟି ନଜର ଆସିଥିଲା ଏବଂ ଏହାପରେ ପ୍ରେସରାଇଜ୍‌ ସିଷ୍ଟମ୍‌ ଖରାପ ହୋଇ ଯାଇଥିଲା। ଏହି ସମୟରେ ବିମାନ ୩୦ ହଜାର ଫୁଟରୁ ଅଧିକ ଉଚ୍ଚରେ ଉଡ଼ୁଥିଲା। ପ୍ରେସରାଇଜ୍‌ ସିଷ୍ଟମ୍‌ ଖରାପ ହୋଇ ଯିବାରୁ ଯାତ୍ରୀମାନେ ନିଃଶ୍ୱାସ ନେଇ ପାରି ନ ଥିଲେ। କାହିଁକିନା, ଏତେ ଉଚ୍ଚରେ ବାୟୁ ପତଳା ହୋଇ ଯାଇଥାଏ।

ବିମାନର ପ୍ରେସରାଇଜ୍‌ ସିଷ୍ଟମ୍‌ ଫେଲ୍‌ ହେବାର ସୂଚନା ସକାଳ ୧୦ଟା ୧୫ ମିନିଟ୍‌ରେ ପାଇଲଟ ପାଟନା ଏୟାରପୋର୍ଟର ଏଟିସିକୁ ଦେଇଥିଲେ ଏବଂ ଏମରଜେନ୍ସି ଲ୍ୟାଣ୍ଡିଙ୍ଗ୍‌ ପାଇଁ ଅନୁମତି ମାଗିଥିଲେ। ବିମାନର ସ୍ଥିତିକୁ ନଜରରେ ରଖି ଏହାକୁ ତୁରନ୍ତ ଜରୁରିକାଳୀନ ଅବତରଣ ପାଇଁ ଅନୁମତି ଦିଆ ଯାଇଥିଲା। ତେବେ ଏଥି ପୂର୍ବରୁ ପାଟନା ଏୟାରପୋର୍ଟରେ ଫାୟାର ବ୍ରିଗେଡ୍‌ ଏବଂ ଆମ୍ବୁଲାନ୍ସକୁ ରେନେଓ୍ଵ ପାଖରେ ମୁତୟନ କରି ଦିଆଯାଇଥିଲା। ସେହିପରି ସିଆଇଏସ୍‌ଏସ୍‌ ଟିମ୍‌ ବି ରେନେଓ୍ଵ ଆଖପାଖରେ ଉପସ୍ଥିତ ଥିଲେ। ସକାଳ ୧୦ଟା ୨୭ ମିନିଟ୍‌ରେ ବିମାନକୁ ପାଟନା ଏୟାରପୋର୍ଟରେ ଲ୍ୟାଣ୍ଡ କରାଯାଇଥିଲା। ଏହାପରେ ବିମାନର ଏମରଜେନ୍ସି ଗେଟ୍‌କୁ ଖୋଲି ଯାତ୍ରୀମାନଙ୍କୁ ତୁରନ୍ତ ବାହାରକୁ ବାହାର କରାଯାଇଥିଲା।

ଅହମଦାବାଦରୁ ଆସିଥିବା ସ୍ପାଇସ୍‌ଜେଟର ଖରାପ ବିମାନକୁ ଠିକ୍‌ କରିବା ପାଇଁ ଦିଲ୍ଲୀରୁ ଇଞ୍ଜିନିୟରମାନଙ୍କୁ ପାଟନା ଅଣାଯାଇଥିଲା, ଯେଉଁମାନେ ବିମାନର ପ୍ରେସରାଇଜ୍‌ ସିଷ୍ଟମ୍‌ ଏବଂ ଇଞ୍ଜିନର ତ୍ରୁଟିକୁ ଠିକ୍‌ କରିଥିଲେ। ଯାନ୍ତ୍ରିକ ସମସ୍ୟା ଦୂର ପରେ ରାତି ୯ଟାରେ ଖାଲି ବିମାନ ମୁମ୍ବାଇ ପାଇଁ ଉଡ଼ାଣ ଭରିଥିଲା। ମାମଲାକୁ ନେଇ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି କି, ଲ୍ୟାଣ୍ଡ କରିବା ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ରହିଥିଲା, ଯେଉଁ କାରଣରୁ ପାଟନା ଏୟାରପୋର୍ଟରେ ମୁମ୍ବାଇ ଯିବାକୁ ଅପେକ୍ଷାରତ ଯାତ୍ରୀମାନଙ୍କୁ ଠିକ୍‌ ସମୟରେ ପଠାଯାଇ ପାରି ନ ଥିଲା। ଏଥିପାଇଁ ୭ ଘଣ୍ଟା ବିଳମ୍ବ ଘଟିଥିଲା। ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.