୧୨୦୦ ଫୁଟ ଉଚ୍ଚରେ କେବୁଲ କାରରେ ଫସିଥିବା ୮ ଜଣ ସୁରକ୍ଷିତ ଭାବେ ଉଦ୍ଧାର

ଖେବର ପଖତୁନଖଓ୍ଵାରେ କେବୁଲ କାରରେ ଫସିଥିବା ୬ ଜଣ ପିଲାଙ୍କ ସମେତ ୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏମାନେ କେବଲ କାରରେ ୧୨୦୦ ଫୁଟ ଉପରେ ଫସିଥିଲେ ।

ପାକିସ୍ତାନ ଖେବର ପଖତୁନଖଓ୍ଵାରେ କେବୁଲ କାରରେ ଫସିଥିବା ୬ ଜଣ ପିଲାଙ୍କ ସମେତ ୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସେନା ହେଲିକପ୍ଟର ଏବଂ ଜିପଲାଇନ ବିଶେଷଜ୍ଞ ସହାୟତାରେ ଏମାନଙ୍କୁ ଉଦ୍ଧାର କରାଯାଇଛି । ପାଖାପାଖି ୧୨ ଘଣ୍ଟା ପର୍ଯ୍ୟନ୍ତ ଝୁଲି ରହିବା ପରେ ଏହାକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।

ଦୁଇଜଣ ପିଲାଙ୍କୁ ଉଦ୍ଧାର କରାଯିବା ବେଳକୁ ରାତି ହୋଇଯାଇଥିବାରୁ ସେନା ହେଲିକପ୍ଟର୍ ଉଦ୍ଧାର ଅଭିଯାନ ବନ୍ଦ କରିଦିଆଯାଇଥିଲା । ତା’ପରେ ଫ୍ଲଡଲାଇଟ୍ ଲଗାଯାଇ ତଳେ ରହି ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଉଦ୍ଧାରକାରୀ ପିଲାମାନଙ୍କୁ ଘାଟିରୁ ବଞ୍ଚାଇବା ପାଇଁ ଜିପଲାଇନକୁ ବ୍ୟବହାର କରିଥିଲେ । ପିଲାମାନେ ଏତେ ସମୟ ଝୁଲି ରହିଥିବାରୁ ସେମାନଙ୍କ ହେଲିକପ୍ଟର ଜରିଆରେ ଖାଦ୍ୟ ଏବଂ ପାଣି, ଔଷଧ ପଠାଯାଇଥିଲା ।

ପାକିସ୍ତାନର କାମଚଳ ପ୍ରଧାନମନ୍ତ୍ରୀ ଅନ୍‌ୱାର୍‌-ଉଲ୍‌-ହକ୍‌ କାକର ‘ଏକ୍ସ୍‌’ କରି କହିଛନ୍ତି, ସମସ୍ତ ପିଲାଙ୍କୁ ସଫଳତାର ସହିତ ନିରାପଦରେ ଉଦ୍ଧାର କରାଯାଇଛି। ସେନା, ଉଦ୍ଧାରକାରୀ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ବାସିନ୍ଦାଙ୍କର ସମ୍ମିଳିତ ଉଦ୍ୟମରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ସୂଚନାଯୋଗ୍ୟ, ଖେବର ପଖତୁନଖଓ୍ଵାରେ ଏକ ପାହାଡରେ ସ୍କୁଲ ପିଲା ଘାଟି ପାର ହେବା ପାଇଁ କେବୁଲ କାର ବ୍ୟବହାର କରନ୍ତି । ପାଖାପାଖି ୧୨୦୦ ଫୁଟ ଉପରେ ୬ଜଣ ପିଲା କେବୁଲ କାରରେ ସ୍କୁଲ ଯାଉଥିଲେ। ଏହି ସମୟରେ ଏହା ଅଧାରୁ ଅଟକି ଯାଇଥିଲା। ଏହି କେବୁଲ କାରରେ ୮ଜଣ ଫସି ରହିଥିଲେ । ଏମାନେ ପାଖାପାଖି ୧୨ ଘଣ୍ଟା ଧରି ଫସିଥିଲେ । ସକାଳ ୭ଟାରୁ ଏଭଳି ଘଟଣା ଘଟିଥିଲା । କେବୁଲ କାରଟି ଗୋଟେ ତାରରେ ଝୁଲି ରହିଥିଲା । ତେବେ ସେନାର ଅଦମ୍ୟ ପରିଶ୍ରମ ପରେ ଏମାନଙ୍କ ଜୀବନ ବଞ୍ଚିଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.