ଧିକ୍‌ ଏ ଘୃଣ୍ୟ ମାନସିକତାକୁ ; ଚାରି ଚାରୋଟି ସନ୍ତାନର ମା ହୋଇ ମଧ୍ୟ ଦେବାକୁ ପଡ଼ିଲା ସତୀତ୍ୱର ପରୀକ୍ଷା

ସ୍ୱାମୀଙ୍କ ପ୍ରତି ବିଶ୍ୱସ୍ତତା ଦେବାକୁ ଯାଇ ଗରମ ତେଲରେ ହାତ ବୁଡ଼ାଇବାକୁ ଯାଉଥିବା ବେଳେ ଉଦ୍ଧାର ହେଲେ ମହିଳା

ଆନ୍ଧ୍ରପ୍ରଦେଶ : ବଦଳିଛି ଯୁଗ । ଦିନ ପରେ ଦିନ ବିତୁଛି । ଏବେବି ଲୋକଙ୍କ ମନରୁ ପସୋରି ପାରୁନି ଅନ୍ଧବିଶ୍ୱାସର ଛିଟା । ପାଶବିକତାର ବଶବର୍ତ୍ତି ହୋଇ ନାରକୀୟ କାଣ୍ଡରୁ ପଛକୁ ହଟୁ ନାହାଁନ୍ତି । ନିକଟରେ ଏଭଳି ଏକ ଘଟଣା ଆମ ସାମ୍ନାକୁ ଆସିଛି ଯାହା ଆପଣ ଜାଣିଲେ ସ୍ତବ୍ଧ ହୋଇ ରହିଯିବେ । ଚମକାଇବା ଦେବା ପରି ଘଟଣା ଘଟିଯାଇଛି । ସ୍ୱାମୀଙ୍କ ପ୍ରତି ବିଶ୍ୱସ୍ତତା ଦେବାକୁ ଯାଇ ଗରମ ତେଲରେ ହାତ ବୁଡ଼ାଇବାକୁ ଯାଉଥିବା ବେଳେ ମହିଳା ଜଣକ ଉଦ୍ଧାର ହୋଇଛନ୍ତି ।

ତେବେ ସମ୍ପୂର୍ଣ୍ଣ ଘଟଣା ଥିଲା ଏପରି, ରାତି ପ୍ରାୟ ୧.୩୦ ହେବ । ଗାଁ ରେ ରୁଣ୍ଡ ହୋଇଥିଲେ ଲୋକେ । ସମସ୍ତେ ପ୍ରାୟ ଏକ ଲୟରେ ମହିଳାଙ୍କୁ ଚାହିଁ ରହିଥିଲେ । ମହିଳା ଜଣକ ମଧ୍ୟ ତେଲ କଡ଼େଇ ନିକଟରେ ବସିଥିଲେ । ହେଲେ ହଠାତ୍‌ ପହଞ୍ଚିଥିଲା ପୋଲିସ । କିଛି ଘଟିବା ପୂର୍ବରୁ ମହିଳା ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା ।

ତେବେ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ମହିଳା ଜଣକ ବୟସ ୫୭ ବର୍ଷ ହେବ । ସେ ୪ଟି ପ୍ରାପ୍ତ ବୟସ୍କ ସନ୍ତାନର ମା ମଧ୍ୟ ହେଲେ ତାଙ୍କ ସତୀତ୍ୱ ଉପରେ ସନ୍ଦେହ କରିଆସୁଥିଲେ ସ୍ୱାମୀ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ତାଙ୍କୁ ଅନେକ ଥର ମାର୍‌ ଧର୍‌ କରୁଥିଲେ । ଶେଷ‌ରେ ଜନଜାତି ସମ୍ପ୍ରଦାୟର ବୟୋଜ୍ୟେଷ୍ଠମାନଙ୍କ ପରାମର୍ଶକ୍ରମେ ସ୍ତ୍ରୀ ସତୀତ୍ବର ପରୀକ୍ଷା ନେବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ । ସ୍ବାମୀଙ୍କ ପ୍ରତି ନିଷ୍ଠାର ପ୍ରମାଣ ଦେବାକୁ ଯାଇ ମହିଳାଜଣକ ବି ରାଜି ହୋଇଥିଲେ । ସବୁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଥିଲା। ଠିକ୍‌ ଏହି ସମୟରେ ସ୍ଥାନୀୟ ମଣ୍ଡଳ ପରିଷଦ ଉନ୍ନୟନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରୀକ୍ଷା ବନ୍ଦ କରାଇଥିଲେ।

ତେବେ ବିଶ୍ବସ୍ତତା ପ୍ରମାଣ ପରୀକ୍ଷା ନିମନ୍ତେ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ପ୍ରଥମେ ୫ ଲିଟର୍‌ ତେଲକୁ ଖୁବ୍‌ ଗରମ କରି ଫୁଲରେ ସଜା ଯାଇଥିବା ନୂଆ ମାଟି ପାତ୍ରରେ ଅଜାଡ଼ି ଦିଆଯାଏ । ଏଥିରେ ସମ୍ପୃକ୍ତ ମହିଳାଙ୍କୁ ହାତ ବୁଡ଼ାଇବାକୁ କୁହାଯାଏ। ଏହା ଦେଖିବା ପାଇଁ ମୁରବି ଓ ଗ୍ରାମବାସୀମାନେ ମାନେ ମଧ୍ୟ ଏକତ୍ରିତ ହୋଇଥାଆନ୍ତି । ଗରମ ତେଲରେ ହାତ ବୁଡ଼ାଇବା ପରେ ଉକ୍ତ ମହିଳାଙ୍କ ହାତ ପୋଡୁଛି କି ନାହିଁ ସମ୍ପ୍ରଦାୟର ସଦସ୍ୟମାନେ ଦେଖନ୍ତି । ଯଦି ହାତ ନ ପୋଡ଼େ ତେବେ ସେ ସ୍ବାମୀଙ୍କ ପ୍ରତି ଅନୁରକ୍ତା କିନ୍ତୁ ଯଦି ହାତ ସେହିଠାରେ ପୋଡ଼ିଯାଏ ସେ ଅନୁରକ୍ତା ନୁହେଁ ବୋଲି କୁହାଯାଏ ।

ତେବେ ଏଭଳି ଅଭାବନୀୟ ଘଟଣା ଆନ୍ଧ୍ରପ୍ରଦେଶର ପୁତଲାପଟ୍ଟୁ ଅଞ୍ଚଳ ଚିତ୍ତୂର ଜିଲ୍ଲାର ତତିତୋପୁ ଗ୍ରାମର ୟେରୁକୁଲା ଜନଜାତି ସମ୍ପ୍ରଦାୟରେ ଘଟିଥିବା ବେଳେ ଏଯାଏଁ ଥାନାରେ କୌଣସି ମାମଲା ରୁଜୁ ହୋଇ ନାହିଁ । କିନ୍ତୁ ପୋଲିସ ସ୍ବାମୀ ଓ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଥାନାକୁ ଡାକି ପଚରାଉଚୁରା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.