କତାରରେ ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ବିରୋଧରେ ଦାଖଲ କରାଗଲା ଅପିଲ୍‌: କେନ୍ଦ୍ର

ମଧ୍ୟ-ପୂର୍ବ ଦେଶ କତାରରେ ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଅଧିକାରୀଙ୍କୁ ଦିଆଯାଇଥିବା ମୃତ୍ୟୁ ଦଣ୍ଡାଦେଶ ବିରୋଧରେ କେନ୍ଦ୍ର ସରକାର ଅପିଲ୍‌ ଦାଖଲ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗ୍‌ଚି ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ମଧ୍ୟ-ପୂର୍ବ ଦେଶ କତାରରେ ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଅଧିକାରୀଙ୍କୁ ଦିଆଯାଇଥିବା ମୃତ୍ୟୁ ଦଣ୍ଡାଦେଶ ବିରୋଧରେ କେନ୍ଦ୍ର ସରକାର ଅପିଲ୍‌ ଦାଖଲ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗ୍‌ଚି ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। କତାରର ଏକ କୋର୍ଟ ଅକ୍ଟୋବର ୨୬ରେ ୮ ଜଣ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ଫାଶୀ ଦଣ୍ଡ ଶୁଣାଇଥିଲେ। ଏ ସମସ୍ତଙ୍କ ଉପରେ ଇସ୍ରାଏଲ ପାଇଁ ଗୁପ୍ତଚର କାମ କରିବାର ଅଭିଯୋଗ ଲଗାଇଥିଲା କତାର।

କତାର ଇଣ୍ଟେଲିଜେନ୍ସ ଏଜେନ୍ସିର ରାଜ୍ୟ ସୁରକ୍ଷା ବ୍ୟୁରୋ ଏହି ୮ ଜଣ ଅଧିକାରୀଙ୍କୁ ୨୦୨୨ ଅଗଷ୍ଟ ୩୦ରେ ଗିରଫ କରିଥିଲା। କିନ୍ତୁ ସେପ୍ଟେମ୍ବର ମଧ୍ୟଭାଗରେ ପ୍ରଥମ ଥର ଭାରତୀୟ ଦୂତାବାସକୁ ସେମାନଙ୍କ ଗିରଫ ସମ୍ପର୍କରେ ସୂଚନା ଦିଆଯାଇଥିଲା।

କତାର ଜେଲରେ ବନ୍ଦୀ ଥିବା ଭାରତୀୟମାନଙ୍କ ମୁକ୍ତି ସମ୍ପର୍କରେ ବାଗ୍‌ଚି କହିଛନ୍ତି, ‘ଯେଉଁ କୋର୍ଟ ରାୟ ଦେଇଥିଲେ, ତାହା ଗୁପ୍ତ। ଜଜ୍‌ମେଣ୍ଟ ରିପୋର୍ଟ ଲିଗାଲ୍‌ ଟିମ୍‌କୁ ଦିଆଯାଇଛି। ଆମେ ଅପିଲ୍‌ ଫାଇଲ୍‌ କରିଛୁ। ଆମେ କତାର ଦୂତାବାସ ସହ ଯୋଗାଯୋଗରେ ଅଛୁ। ଆମକୁ ଆଉ ଏକ କନସୁଲାର ଆକ୍ସେସ୍ ମିଳିଛି। ଆମେ ସମସ୍ତଙ୍କ ପରିବାର ସହିତ ମଧ୍ୟ ଯୋଗାଯୋଗରେ ଅଛୁ। ଆମେ ସେମାନଙ୍କୁ ସମସ୍ତ ସହାୟତା ଯୋଗାଇଦେବୁ। ଏହା ସମ୍ବେଦନଶୀଳ ମାମଲା। ଏଥିରେ କୌଣସି କଳ୍ପନା ଜଳ୍ପନା କରାଯିବା ଉଚିତ୍ ନୁହେଁ’।

କହି ରଖୁଛୁ, କତାର କୋର୍ଟଙ୍କଠାରୁ ଭାରତୀୟଙ୍କୁ ମୃତ୍ୟୁ ଦଣ୍ଡାଦେଶ ମିଳିବା ଉପରେ ଭାରତ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲା ଏବଂ କହିଥିଲା କି, ଆମେ କତାର କୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରିବୁ।

You might also like