ସିକ୍କିମରେ ବଡ଼ ଦୁର୍ଘଟଣା! ଖାଇରେ ଖସିଲା ସେନାର ବସ୍‌, ୧୬ ଯବାନ ସହିଦ

ସିକ୍କିମରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଶୁକ୍ରବାର ସେନାର ଏକ ବସ୍‌ ଗଭୀର ଖାଇ ଭିତରକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ୧୬ ଜଣ ଆର୍ମି ଯବାନଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପ୍ରବଳ ଜନସମାଗମ ଥିବାବେଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ଦୁର୍ଘଟଣା ଉତ୍ତର ସିକ୍କିମର ଲୋଚେନଠାରୁ ୧୫ କିଲୋମିଟର ଦୂର ଜେମା ଅଞ୍ଚଳରେ ହୋଇଛି।

ସୂଚନା ମୁତାବକ, ସେନାର ୩ ଗାଡ଼ି ସକାଳେ ଯବାନମାନଙ୍କୁ ନେଇ ଯାଉଥିଲା। ପଛକୁ ପଛ ଗାଡ଼ିଗୁଡ଼ିକ ଚଟନରୁ ଥଙ୍ଗୁ ଅଭିମୁଖେ ଯାଉଥିଲେ। ଜେମା ରାସ୍ତାରେ ଏକ ବସ୍‌ର ଚାଳକ ଘାଟିରେ ଗଡ଼ାଣି ଯୋଗୁ ହଠାତ୍‌ ଭାରସାମ୍ୟ ହରାଇ ବସିଥିଲେ, ଯାହାଫଳରେ ବସ୍‌ଟି ଗଭୀର ଖାଇ ଭିତରକୁ ଖସି ପଡ଼ିଥିଲା।

ସୂଚନା ମିଳିବା କ୍ଷଣି ସ୍ଥାନୀୟ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଯବାନମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। କିନ୍ତୁ ୩ ଜଣ ଜୁନିୟର କମିଶନ୍‌ଡ ଅଧିକାରୀ ଏବଂ ୧୩ ଯବାନଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି। ଭାରତୀୟ ସେନା ଏହି ଦୁର୍ଘଟଣା ଉପରେ ବୟାନ ଜାରି କରି କହିଛି କି, ‘ଏଭଳି ଦୁଃଖ ସମୟରେ ଆମେ ଶୋକସନ୍ତପ୍ତ ପରିବାର ସହିତ ଅଛୁ। ପରିଜନଙ୍କୁ ଯଥାସମ୍ଭବ ସହାୟତା ପ୍ରଦାନ କରାଯିବ’।

ସେପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଟ୍ଵିଟ୍‌ କରି ଦୁଃଖବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ‘ଉତ୍ତର ସିକ୍କିମରେ ଏକ ସଡ଼କ ଦୁର୍ଘଟଣାରେ ଭାରତୀୟ ସେନାର ଯବାନମାନଙ୍କ ମୃତ୍ୟୁ ଗଭୀର ଆଘାତ ଦେଇଛି। ଦେଶ ସେମାନଙ୍କ ସେବା ଏବଂ ପ୍ରତିବଦ୍ଧତା ପାଇଁ ହୃଦୟରୁ କୃତଜ୍ଞତା ଜଣାଉଛି। ଶୋକସନ୍ତପ୍ତ ପରିବାର ପ୍ରତି ମୁଁ ସମବେଦନା ଜଣାଉଛି। ଯେଉଁ ଲୋକ ଆହତ ହୋଇଛନ୍ତି, ସେମାନେ ଶୀଘ୍ର ଆରୋଗ୍ୟ ଲାଭ କରିବା ପାଇଁ ପ୍ରାର୍ଥନା କରୁଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.