ମଧ୍ୟ ପ୍ରଦେଶ: ଧାର ଭୋଜଶାଳାର ASI ସର୍ଭେ ଆରମ୍ଭ, ଏହା ସରସ୍ୱତୀଙ୍କ ମନ୍ଦିର ନା କମାଲ ମୌଲାନା ମସ୍‌ଜିଦ

ମଧ୍ୟ ପ୍ରଦେଶର ଧାରସ୍ଥିତ ଭୋଜଶାଳାର ସର୍ଭେ ଆରମ୍ଭ ହୋଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେ (ଏଏସ୍‌ଆଇ) ଟିମ୍ ଶୁକ୍ରବାରଠାରୁ ଧାରଠାରେ ସର୍ଭେ ଆରମ୍ଭ କରିଛି ।

ମଧ୍ୟ ପ୍ରଦେଶର ଧାରସ୍ଥିତ ଭୋଜଶାଳାର ସର୍ଭେ ଆରମ୍ଭ ହୋଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେ (ଏଏସ୍‌ଆଇ) ଟିମ୍ ଶୁକ୍ରବାରଠାରୁ ଧାରଠାରେ ସର୍ଭେ ଆରମ୍ଭ କରିଛି । ଭୋଜଶାଳାରେ ସରସ୍ୱତୀଙ୍କ ମନ୍ଦିର ଅଛି ନା କମାଲ ମୌଲାନା ମସଜିଦ, ଏହାର ନିଷ୍ପତ୍ତି ନେବା ପାଇଁ ଏଏସ୍‌ଆଇ ଟିମ୍‌ ଏଠାରେ ପ୍ରତ୍ନତାତ୍ତ୍ୱିକ ଏବଂ ବୈଜ୍ଞାନିକ ସର୍ଭେ କରି ପ୍ରମାଣ ସଂଗ୍ରହ କରିବ ।

ଶୁକ୍ରବାର ସକାଳେ ଦିଲ୍ଲୀ ଏବଂ ଭୋପାଳରୁ ଏଏସ୍‌ଆଇ ଟିମ୍ ଧାରରେ ପହଞ୍ଚିଥିଲା । ସର୍ଭେ ପାଇଁ ଟିମ୍‌ ବୈଷୟିକ ଉପକରଣ ସହିତ ଭୋଜଶାଳାରେ ପ୍ରବେଶ କରିଥିଲା । ଏହି ସମୟରେ କ୍ୟାମ୍ପସ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଗେଟ୍‌ରେ ମେଟାଲ୍ ଡିଟେକ୍ଟର ଲଗାଯାଇଛି । ସେପଟେ ଆଜି ରମ୍‌ଜାନର ମଧ୍ୟ ନମାଜ ପାଠ ଅନୁଷ୍ଠିତ ହେବ । ତେଣୁ କୌଣସି ବି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ସୁରକ୍ଷା ପ୍ରତି ଅଧିକ ଦୃଷ୍ଟି ଦିଆଯାଇଛି ।

କହି ରଖୁଛୁ ଯେ ଧାରସ୍ଥିତ ଭୋଜଶାଳାରେ ମଙ୍ଗଳବାର ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ହିନ୍ଦୁମାନଙ୍କ ପାଇଁ ପ୍ରବେଶ ଅନୁମତି ରହିଥାଏ । ଏହିପରି ଶୁକ୍ରବାର ଅପରାହ୍ନ ୧ଟାରୁ ୩ଟା ପର୍ଯ୍ୟନ୍ତ କେବଳ ନମାଜ ପାଠକଙ୍କୁ ଅନୁମତି ମିଳିଥାଏ । ବାକି ଦିନମାନଙ୍କରେ ସମସ୍ତ ଦର୍ଶକ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଭୋଜଶାଳାରେ ପ୍ରବେଶ କରିଥାନ୍ତି । ଏଥିପାଇଁ ୧ ଟଙ୍କା ପ୍ରବେଶ ଶୁଳ୍କ ଦେବାକୁ ପଡ଼ିଥାଏ ।

ସୂଚନାଥାଉ କି, ଏଏସ୍‌ଆଇ ଦ୍ୱାରା ସଂରକ୍ଷିତ ଐତିହ୍ୟ ଭୋଜଶାଳା ପରିସରକୁ ହିନ୍ଦୁମାନେ ସରସ୍ୱତୀଙ୍କ ମନ୍ଦିର ବୋଲି ମାନୁଥିବା ବେଳେ ମୁସଲମାନ ସମ୍ପ୍ରଦାୟ ଏହାକୁ କମାଲ ମୌଲାନା ମସ୍‌ଜିଦ ବୋଲି ମାନନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.