ଚିରନିଦ୍ରାରେ ଅଟଳ ବିହାରୀ ବାଜପେୟୀ

ନୂଆଦିଲ୍ଳୀ : ଆରପାରିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଚିକିତ୍ସାଧୀନ ଅବସ୍ଥାରେ ଆଜି ଦିଲ୍ଲୀ ଏମ୍‌ସରେ ସେ ଆଖି ବୁଜିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା ।  ଅସୁସ୍ଥତା କାରଣରୁ ଗତ ଜୁନ୍‌ ୧୧ ତାରିଖରୁ ସେ ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିଲେ । ଡିମେନ୍‌ସିଆ ସମେତ ବିଭିନ୍ନ ରୋଗରେ ପୀଡ଼ିତ ଅଛନ୍ତି ବାଜପେୟୀ । ବାଜପେୟୀଙ୍କ ଚିକିତ୍ସା ଜାରି ରଖିଥିଲେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ । ତେବେ ଗତ ଦୁଇ ଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ଯାଇଥିଲା । ଗତକାଲି ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭେଣ୍ଟିଲେଟର୍‌ରେ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା ।

ATALA

ଗତ ସନ୍ଧ୍ୟାରୁ ପୂର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଘଟିଥିବା ଖବର ଆସିବା ପରେ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଥିଲା । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଭେଟିବା ପାଇଁ ଏମ୍‌ସ ଯାଇଥିଲେ । ଆଜି ଦିନ ତମାମ ସମସ୍ତଙ୍କ ନଜର ଥିଲା ଏମ୍‌ସ ଉପରେ। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଗଣମାଧ୍ୟମ, ପ୍ରତିମୁହୂର୍ତ୍ତରେ ଦେଉଥିଲେ ଅପଡେଟ୍‌। ଏମ୍‌ସ ପକ୍ଷରୁ ଦିଆଯାଉଥିବା ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ବୁଲେଟିନ୍‌କୁ ଚାହିଁ ରହୁଥିଲେ ସମସ୍ତେ । ଆଜି ପୁଣି ପ୍ରଧାମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବହୁ କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜନୈତିକ ଦଳର ବରିଷ୍ଠ ନେତା ପହଞ୍ଚିଥିଲେ ଏମ୍‌ସ ଦିଲ୍ଲୀରେ । ସେପଟେ ସାରା ଦେଶରେ ବିଭିନ୍ନ ସ୍ଥାନରେ ବାଜପେୟୀଙ୍କ ପାଇଁ ଜାରି ରହିଥିଲା ପୂଜାର୍ଚ୍ଚନା। କେଉଁଠି ହୋମଯଜ୍ଞ ତ ଆଉ କେଉଁଠି ଦୀପଦାନ । ବାଜପେୟୀଙ୍କ ସୁସ୍ଥତା ଓ ଦୀର୍ଘାୟୁ କାମନା କରୁଥିଲେ ସମସ୍ତେ । ହେଲେ ଜନ୍ମ ଓ ମୃତ୍ୟୁ କେବଳ ଈଶ୍ୱରଙ୍କ ଇଚ୍ଛାଧୀନ । ଆଜି ଅପରାହ୍ନ ୫ଟା ୫ ମିନିଟ୍‌ରେ ଆମ ସମସ୍ତଙ୍କୁ ଛାଡ଼ି ଚାଲି ଗଲେ ଏଇ ଜନନେତା । ଯେଉଁ ବ୍ୟକ୍ତିଙ୍କୁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପ୍ରତ୍ୟେକ ରାଜନୈତିକ ଦଳର ନେତା ଭଲ ପାଉଥିଲେ । ଜୀବନ ସାରା ଅବିବାହିତ ରହି ସେ ଦେଶ ସେବାରେ ବ୍ରତୀ ରହିଥିଲେ । ୨୦୦୯ରୁ ଅସୁସ୍ଥ ଥିଲେ ବାଜପେୟୀ । ତେବେ ଗତ ତିନି ବର୍ଷ ହେଲା ତାଙ୍କର କୌଣସି ଫଟୋ ଗୋଟିଏ ମଧ୍ୟ କେହି ଦେଖିବାକୁ ପାଇନଥିଲେ । କେବଳ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଶୁଣିବାକୁ ମିଳୁଥିଲା । ଶେଷଥର ୨୦୧୫ରେ ତାଙ୍‌କର ଫଟୋ ପ୍ରକାଶିତ ହୋଇଥିଲା । ଯେତେବେଳେ ପ୍ରୋଟୋକଲ ଭାଙ୍ଗି ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କ ବାସଭବନକୁ ଯାଇ ଭାରତ ରତ୍ନ ସମ୍ମାନ ପ୍ରଦାନ କରିଥିଲେ । ୨୦୦୫ରେ ମୁମ୍ବାଇରେ ଏକ ରାଲିରେ ସମ୍ବୋଧିତ କଲା ବେଳେ ପ୍ରତ୍ୟକ୍ଷ ରାଜନୀତିରୁ ସନ୍ନ୍ୟାସ ନେବା କଥା ଘୋଷଣା କରିଥିଲେ । ତାଙ୍କୁ ରାଜନୀତିର ଭୀଷ୍ମ ପିତାମହ କୁହାଯାଉଥିଲା । ସେ ଖାଲି ଜଣେ ରାଜନେତା ନଥିଲେ ଜଣେ ବାସ୍ତବବାଦୀ କବି ମଧ୍ୟ ଥିଲେ । ତାଙ୍କର ଅନୁଭୂତିରୁ ଜନ୍ମ ନେଇଥିବା କବିତା ବେଶ୍‌ ଲୋକପ୍ରିୟ । ଜଣେ ନିଃସ୍ୱାର୍ଥପର ରାଜନେତା ଥିଲେ ସେ । ତାଙ୍କର ବ୍ୟକ୍ତିତ୍ୱ ସମସ୍ତଙ୍କୁ ପ୍ରଭାବିତ କରିଥିଲା । ୧୯୮୦ରେ ସେ ଲାଲକୃଷ୍ଣ ଆଡଭାନୀଙ୍କ ସହ ମିଶି ଭାରତୀୟ ଜନତା ପାର୍ଟିର ମୂଳଦୁଆ ପକାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.