ସାମ୍ନାକୁ ଆସିଲା ଆୟେଶାଙ୍କ ଶେଷ ଚିଠି, ମାଡ଼ ମାରି ଗର୍ଭରେ ଥିବା ଛୁଆକୁ ହତ୍ୟା କରିଥିବା ଅଭିଯୋଗ
ସାମ୍ନାକୁ ଆସିଛି ସାବରମତୀ ନଦୀ କୂଳରେ ଭିଡିଓ କରି ସୁଇସାଇଡ୍ କରିଥିବା ଆୟେଶାଙ୍କ ହାତଲେଖା ଶେଷ ଚିଠି। ଆୟେଶା ଏହି ଚିଠି ସ୍ୱାମୀ ଆରିଫ୍ ଖାନ୍ଙ୍କ ନାଁରେ ଲେଖିଥିଲେ। ମାତ୍ର ସେ ଏହାକୁ ପଠାଇନଥିଲେ। ଆୟେଶାଙ୍କ କେସ୍ ଲଢ଼ୁଥିବା ଓକିଲ ଜଫର ପଠାନ ଶନିବାର ଏହି ଚିଠିକୁ କୋର୍ଟରେ ଦାଖଲ କରିଛନ୍ତି।
ଚିଠିରେ ଆୟେଶା ଲେଖିଛନ୍ତି, ‘ମାଇଁ ଲଭ୍ ଆରୁ(ଆରିଫ୍)। ଏମିତି ଅନେକ ଜିନିଷ ଅଛି, ଯାହା ମୁଁ କରିନାହିଁ। ତମେ ମୋ ନାଁ ଆସିଫ୍ ସହ ଯୋଡ଼ିଦେଲ। ମୋତେ ବହୁତ ଖରାପ ଲାଗିଲା। ଆସିଫ୍ ମୋର ସବୁଠୁ ଭଲ ବନ୍ଧୁ ଓ ଭଲ ଭାଇ। ଯେତେବେଳେ ମୋତେ ୪ ଦିନ ପାଇଁ ଗୋଟେ କୋଠରୀରେ ବନ୍ଦ କରିଦେଇଥିଲ, ସେତେବେଳେ ମୋତେ କେହି ଖାଇବା କଥା ବି ପଚାରିନଥିଲେ। ମୁଁ ଗର୍ଭବତୀ ଥିବା ବେଳେ ବି ତୁମେ ଆସିଲ ନାହିଁ। ତମେ ଆସିବା ପରେ ମୋତେ ଖୁବ୍ ପିଟିଲ। ଫଳରେ ମୋ ଲିଟିଲ୍ ଆରୁର ବି ମୃତ୍ୟୁ ହେଲା। ଏବେ ମୁଁ ତା’ ପାଖକୁ ଯାଉଛି। ମୁଁ କେବେ ବି ତୁମକୁ ଧୋକା ଦେଇନାହିଁ। ହସୁଥିବା ଖେଳୁଥିବା ଦୁଇଟି ଜୀବନ ବର୍ବାଦ ହୋଇଗଲା। ମୁଁ ଭୁଲ ନ ଥିଲି, ଭୁଲ ତୁମ ସ୍ୱଭାବ ଥିଲା। ମୁଁ ତୁମ ଆଖିକୁ ଭଲ ପାଉଥିଲା, କିନ୍ତୁ କାହିଁକି, ତାହା ଆର ଜନ୍ମରେ କହିବି। ଲଭ୍ ୟୁ ଆପଣଙ୍କ ପତ୍ନୀ ଆୟେଶା’।
ସୂଚନାଯୋଗ୍ୟ ଯେ ଗତ କିଛି ଦିନ ତଳେ ଅହମ୍ମଦାବାଦରେ ୨୩ ବର୍ଷୀୟା ଆୟେଶା ସାବରମତୀକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ସେ ଏକ ଭିଡିଓ ତିଆରି କରିଥିଲେ, ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। ଏହା ପରେ ପୋଲିସ ତାଙ୍କ ସ୍ୱାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ଗିରଫ କରିଛି। ଆରିଫ୍ ୩ ଦିନ ପୋଲିସ ରିମାଣ୍ଡରେ ରହିବା ପରେ ପୋଲିସ ତାକୁ ଅଦାଲତରେ ଉପସ୍ଥାପନ କରିଛି। ଆୟେଶାଙ୍କ ଓକିଲଙ୍କ ତରଫରୁ ଦାଖଲ କରାଯାଇଥିବା ସୁଇସାଇଟ୍ ନୋଟ୍ ଆଧାରରେ ଆଗକୁ ଯାଞ୍ଚ କରାଯିବ।