ପାଶବିକତାର ସବୁସୀମା ଟପିଲା, ଦୁଷ୍କର୍ମ ପରେ ନାବାଳିକାକୁ ଏସିଡ୍‌ରେ ଜଳାଇ ନଦୀକୁ ଫିଙ୍ଗି ଦେଲେ ଦୁର୍ବୃତ୍ତ

ମହିଳାଙ୍କ ସୁରକ୍ଷା ପାଇଁ ଆଇନ୍‌ ଯେତେ କଡ଼ା ହେଲେ ବି ଥମିବାର ନାଁ ନେଉନି ନାରୀ ନିର୍ଯାତନା। ବାରମ୍ବାର ପୁରୁଷଙ୍କ କଦର୍ଯ୍ୟ କାମନା ପାଇଁ ବଳି ପଡ଼ୁଛି ନାରୀର ଜୀବନ। ଏବେ ପୁଣିଥରେ ସେଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ। ଉତ୍ତର ପ୍ରଦେଶର ଭଦୋହୀରେ ଦୁର୍ବୃତ୍ତମାନେ ପାଶବିକତାର ସବୁସୀମାକୁ ପାର କରିଛନ୍ତି। ଏଠାରେ ନଦୀରୁ ଏକ ୧୭ ବର୍ଷୀୟ ଝିଅର ଅର୍ଦ୍ଧଦଗ୍ଧ ମୃତଦେହ ମିଳିଛି। ଝିଅଟିର ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ଦୃର୍ବୃତ୍ତମାନେ ତାଙ୍କ ଝିଅକୁ ଦୁଷ୍କର୍ମ କରିବା ପରେ ଏସିଡ୍‌ ଢାଳି ହତ୍ୟା କରିଛନ୍ତି।

ପୋଲିସ ମୁତାବକ ଭଦୋହୀ କୋତବାଲୀ ଅଞ୍ଚଳର ବାସିନ୍ଦା ୧୭ ବର୍ଷୀୟା କୁନି(ଛଦ୍ମନାମ) ଅଗଷ୍ଟ ୧୭ ତାରିଖରେ ବିଲକୁ ଗାଈ ଚରାଇବାକୁ ଯାଇଥିଲା। ମାତ୍ର ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିଲା। ପରିବାର ଲୋକ ଚାରିଆଡ଼େ କୁନିକୁ ଖୋଜିଥିଲେ ମଧ୍ୟ ପତ୍ତା ପାଇନଥିଲେ। ଏଣୁ ବାଧ୍ୟହୋଇ ଝିଅ ହଜିଥିବା ନେଇ ପରିବାର ଲୋକ ପୋଲିସରେ ଅଭିଯୋଗ କରିଥିଲେ।  ପରିବାର ଲୋକଙ୍କ ଅଭିଯୋଗକ୍ରମେ ଆଇପିସି ଧାରା ୩୬୩ ଅନୁସାରେ ଅପହରଣ ମକଦ୍ଦମା ରୁଜୁ କରି ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲା।

rape2

ଖୋଜାଖୋଜି ବେଳେ ନଦୀ କୂଳରୁ ଝିଅର ଅର୍ଦ୍ଧଦଗ୍ଧ ମୃତଦେହ ଜବତ ହୋଇଛି। ମୃତଦେହ ଦେଖିଲେ ଜଣାପଡ଼ୁଛି ଯେ କୁନିକୁ ଦୁଷ୍କର୍ମ ପରେ ଏସିଡ୍‌ ଢାଳି ଅତି କଲବଲ କରି ମାରି ଦିଆଯାଇଛି। ପରିବାର ଲୋକ ଅଭିଯୋଗ କରିଛନ୍ତି ତାଙ୍କ ଗାଁ ପାଖ ଏକ ଇଟା ଭାଟିର ମାଲିକ  ହିଁ ଝିଅକୁ ବଳାତ୍କାର କରିଛି ଓ ଧରାପଡ଼ିବା ଭୟରେ ମାରି ଦେଇଛି।

ତେବେ ମାମଲାର ତଦନ୍ତଭାର କ୍ରାଇମ୍‌ବ୍ରାଞ୍ଚକୁ ଦିଆଯାଇଛି। ପୋଲିସ ଅଧୀକ୍ଷକ ରାମବଦନ ସିଂହଙ୍କ କହିବାନୁସାରେ ପୋଷ୍ଟମର୍ଟମ ପରେ ସତ ଜଣାପଡ଼ିବ। ମାତ୍ର ପୋଲିସ ମାମଲାକୁ ଗମ୍ଭୀରତାର ସହ ନେଇ ଯାଞ୍ଚ ଚଳାଇଥିବା କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.